centurian jitm

ନୀତିଗତ ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ କମାଇ ୬% ରଖିଲା ରିଜର୍ଭ ବ୍ୟାଙ୍କ

nschool
  • ୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୬.୫% ରହିବା ନେଇ ଆକଳନ
  • ମୁଦ୍ରାସ୍ଫିତି ୪ ପ୍ରତିଶତ ମଧ୍ୟରେ ରହିବା ନେଇ ପୂର୍ବାନୁମାନ କଲା କେନ୍ଦ୍ରୀୟ ବ୍ୟାଙ୍କ

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ରିଜର୍ଭ ବ୍ୟାଙ୍କର ୫୪ତମ ତଥା ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରଥମ ମୁଦ୍ରା ନୀତି କମିଟି (ଏମପିସି) ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୀତିଗତ ରେପୋ ରେଟରେ ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିବା ଲାଗି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ରେପୋ ଦର ୬ ପ୍ରତିଶତରେ ପହଞ୍ଚିଛି । ରେପୋ ରେଟ୍‌ ହେଉଛି ସେହି ଦର ଯେଉଁଥିରେ ରିଜର୍ଭ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ଋଣ ଦେଇଥାଏ । ଏହି ଦର ହ୍ରାସ ଫଳରେ ଋଣ ଯୋଗାଣ ଓ ନିବେଶ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ବିଶ୍ୱ ଆର୍ଥିକ ଅସ୍ଥିରତା, ବାଣିଜ୍ୟ ଉତ୍ତେଜନା, ଆମେରିକୀୟ ଡଲାର ମୂଲ୍ୟ ହ୍ରାସ, ଅଶୋଧିତ ତୈଳ ଦର କମିବା ପରିପ୍ରେକ୍ଷୀରେ ରିଜର୍ଭ ବ୍ୟାଙ୍କ ଏଭଳି ନିଷ୍ପତ୍ତି ନେଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବା ନେଇ ରିଜର୍ଭ ବ୍ୟାଙ୍କ ଆକଳନ କରିଛି ୨୦୨୪-୨୫ର ଜିଡିପି ପୂର୍ବାନୁମାନ ହାରକୁ କେନ୍ଦ୍ରୀୟ ବ୍ୟାଙ୍କ ବଜାୟ ରଖିଛି । ଚଳିତ ଆର୍ଥିକ ବର୍ଷର ଚାରିଟି ତ୍ରୈମାସରେ ଜିଡିପି ବିକାଶ ହାର ଯଥାକ୍ରମେ ୬.୫, ୬.୭, ୬.୬ ଏବଂ ୬.୩% ରହିବା ନେଇ ଆକଳନ କରାଯାଇଛି । ୨୦୨୬-୨୭ ଆର୍ଥିକ ବର୍ଷରେ ବାସ୍ତବ ବିକାଶ ହାର ୬.୭ ପ୍ରତିଶତ ରହିବ ଏବଂ ଦେଶର ଅର୍ଥବ୍ୟବସ୍ଥାରେ ସୁଧାର ଆସିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି । ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ମୁଦ୍ରାସ୍ଫିତି ୨୦୨୫-୨୬ ଆର୍ଥିକ ବର୍ଷରେ ୪.୦ ପ୍ରତିଶତରେ ରହିବା ନେଇ କେନ୍ଦ୍ରୀୟ ବ୍ୟାଙ୍କ ପୂର୍ବାନୁମାନ କରିଛି । ଏହି ଆର୍ଥିକ ବର୍ଷର ଚାରିଟି ତ୍ରୈମାସରେ ମୁଦ୍ରାସ୍ଫିତି ହାର ଯଥାକ୍ରମେ ୩.୬%, ୩.୯%, ୩.୮% ଏବଂ ୪.୪% ରହିବାର ସମ୍ଭାବନା ରହିଛି । ଜାନୁଆରୀ ଏବଂ ଫେବୃଆରୀ ୨୦୨୫ରେ ଖାଦ୍ୟ ମୂଲ୍ୟ ହ୍ରାସ ପାଇବା କାରଣରୁ ଶୀର୍ଷକ ମୁଦ୍ରାସ୍ଫିତି କମିଛି । ରବି ଫସଲକୁ ନେଇ ରହିଥିବା ଅନିଶ୍ଚିତତା ସମାଧାନ ହେବା ପରେ ଗହମ ଅମଳ ଏବଂ ଡାଲି ଉତ୍ପାଦନ ଅଧିକ ରହିବା କାରଣରୁ ଖାଦ୍ୟ ମୁଦ୍ରାସ୍ଫିତି ଆହୁରି ହ୍ରାସ ପାଇବ । ସେହିପରି ଖରିଫ୍‌ ଫସଲ ମଧ୍ୟ ଭଲ ହେବାର ସମ୍ଭାବନା ଥିବାରୁ ଦରଦାମ ଉଲ୍ଲେଖନୀୟ ଭାବେ କମିବା ନେଇ ରିଜର୍ଭ ବ୍ୟାଙ୍କ ଆକଳନ କରିଛି । ସଫ୍ଟୱେର, ବ୍ୟବସାୟ ଓ ପରିବହନ ସେବା କ୍ଷେତ୍ରରେ ଅଭିବୃଦ୍ଧି ସହ ଚଳିତ ବର୍ଷ ଜାନୁଆରୀ-ଫେବୃଆରୀରେ ସେବା ରପ୍ତାନିରେ ଦୃଢ଼ ଅଭିବୃଦ୍ଧି ଦେଖିବାକୁ ମିଳିଛି । ସେହିପରି ଚଳନ୍ତି ଖାତା ନିଅଣ୍ଟ ମଧ୍ୟ ନିୟନ୍ତ୍ରଣରେ ରହିବା ନେଇ ରିଜର୍ଭ ବ୍ୟାଙ୍କ କହିଛି । ସ୍ଥିର ମିଶ୍ରିତ ଆର୍ଥିକ ଆଧାର କାରଣରୁ ମୋଟ୍‌ ବିଦେଶୀ ପୁଞ୍ଜିନିବେଶ ଦୃଢ଼ ରହିଛି । ୨୦୨୪-୨୫ରେ ବିଦେଶୀ ପୋର୍ଟଫୋଲିଓ ନିବେଶ ୧.୭ ବିଲିୟନ ଡଲାର ଛୁଇଁଛି । ୨୦୨୫ ଏପ୍ରିଲ ୪ ସୁଦ୍ଧା ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୬୭୬.୩ ବିଲିୟନ ଡଲାରରେ ପହଞ୍ଚିଛି । ଜାନୁଆରୀ ୨୦୨୫ରେ, ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପାଣ୍ଠିର ଅଭାବର ସମ୍ମୁଖୀନ ହୋଇଥିଲା, ଯାହାକୁ ନଗଦ ନିଅଣ୍ଟ ବୋଲି କୁହାଯାଏ । ଏହାର ସମାଧାନ ପାଇଁ, ଭାରତୀୟ ରିଜର୍ଭ ବ୍ୟାଙ୍କ ୨୩ ଜାନୁଆରୀରେ ଲିକ୍ୱିଡିଟି ଆଡଜଷ୍ଟମେଣ୍ଟ ଫ୍ୟାସିଲିଟି (ଏଲଏଏଫ) ମାଧ୍ୟମରେ ୩.୧ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଥିଲା । ଏହା ବ୍ୟାଙ୍କଗୁଡ଼ିକୁ ନଗଦ ପ୍ରବାହରେ ଅସ୍ଥାୟୀ ଅସଙ୍ଗତିକୁ ପରିଚାଳନା କରିବା ପାଇଁ ସ୍ୱଳ୍ପ ଅବଧି ପାଇଁ ଆରବିଆଇରୁ ଟଙ୍କା ଋଣ ନେବାକୁ ଅନୁମତି ଦେଇଥାଏ । ରିଜର୍ଭ ବ୍ୟାଙ୍କ ମାର୍ଚ୍ଚ ଶେଷ ଭାଗରେ ୬.୯ ଲକ୍ଷ କୋଟି ଟଙ୍କା ନିବେଶ କରିଥିଲା ଯାହାକି ସରକାରୀ ଖର୍ଚ୍ଚକୁ ବୃଦ୍ଧି କରିଥିଲା । ଏହି ପଦକ୍ଷେପ ସ୍ଥିତିରେ ସୁଧାର ଆଣିଥିଲା ଏବଂ ୭ ଏପ୍ରିଲ ୨୦୨୫ ସୁଦ୍ଧା ବଳକା ନଗଦ ୧.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା ।

Leave A Reply

Your email address will not be published.