ଶିଶୁ ଯତ୍ନ ଅନୁଷ୍ଠାନ ଅନ୍ତେବାସୀ ଶିଶୁଙ୍କ ନିମନ୍ତେ ପ୍ରଶାସନର ସ୍ୱତନ୍ତ୍ର ପଦକ୍ଷେପ, ଜିଲ୍ଲପାଳଙ୍କ ସ୍ୱତନ୍ତ୍ର ଆଗ୍ରହ
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଶିଶୁ ଯତ୍ନ ଅନୁଷ୍ଠାନ ସୋନପୁରରେ ରହୁଥିବା ବାପା, ମାଆ ସ୍ନେହ ଶ୍ରଦ୍ଧାରୁ ବଞ୍ଚିତ, ସେବା ଓ ଯତ୍ନ ଆବଶ୍ୟକ କରୁଥିବା କୋମଳମତି ଶିଶୁଙ୍କ ଆବେଗ ଓ ଉତ୍କଣ୍ଠାକୁ ହୃଦୟଙ୍ଗମ କରି ଜିଲ୍ଲାପାଳ ଶ୍ରୀମତୀ ଆବୋଲୀ ସୁନିଲ ନରୱଣେ ସ୍ୱତନ୍ତ୍ର ଆଗ୍ରହ ପ୍ରଦାନ କରି ଶିଶୁମାନଙ୍କୁ ରଜ ଅବସରରେ ନିଜ ପାଇଁ ଆବଶ୍ୟକ ପୋଷାକ ନିଜ ଇଚ୍ଛାରେ କିଣି ପିନ୍ଧିବାକୁ ପଦକ୍ଷେପ ନେଇ ଶିଶୁଙ୍କ ମୁହଁରେ ହସ ଦେଇଛନ୍ତି । ପ୍ରଥମ ଥର ପାଇଁ ଶିଶୁ ଗୃହରେ ରହୁଥିବା ଶିଶୁଙ୍କୁ ଏହି ସ୍ୱତନ୍ତ୍ରତା ପ୍ରଦାନ କରି ଜିଲ୍ଲାପ୍ରଶାସନ ଶିଶୁଙ୍କ ମନୋବଳକୁ ବୃଦ୍ଧି କରିବା ସହିତ ଆତ୍ମବଳକୁ ଦୃଢ କରିବାକୁ ପ୍ରଯତ୍ନ କରିଛି । ଏହି ପରିପ୍ରେକ୍ଷୀରେ ଶିଶୁ ଗୃହର ୪୧ ଜଣ ଶିଶୁ ଅନ୍ତେବାସୀ ସ୍ଥାନୀୟ ନିୟୁ ସତ୍ୟମ କ୍ଲଥ ଷ୍ଟୋରକୁ ଯାଇ ନିଜ ପସନ୍ଦ ମୁତାବକ ନିଜ ପାଇଁ ପୋଷାକ କିଣିଛନ୍ତି । ସେମାନେ ନିଜ ପସନ୍ଦର ପୋଷାକ କିଣିବା ପରେ ରଜରେ ପିନ୍ଧିବୁ ବୋଲି କହିବା ସହ ବହୁତ ଖୁସି ଥିବା କହିଛନ୍ତି, ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ ଉଦାରତା ନିମନ୍ତେ ଏହା ସମ୍ଭବ ହୋଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଏହି ସମସ୍ତ ବ୍ୟବସ୍ଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯାଇଥିବା ବେଳେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟା ରଞ୍ଜିତା ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ଗୃହର ସୁଜାତା ବେହେରା, ମାଳତୀ ଜେନା, ଅମୃତା ସାହୁ, ଟିକେଶ୍ୱର ଛାତ୍ରିଆ ପ୍ରମୁଖ ସହଯୋଗ କରିଥିଲେ ।