ପ୍ରଶାସନ ପକ୍ଷରୁ ଏକତା ପଦଯାତ୍ରା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସୁରେଶ୍ଵରୀ ମନ୍ଦିର ପ୍ରାଙ୍ଗଣରୁ ଏହା ଆରମ୍ଭ ହୋଇ ନଳିନୀ ଛକ, ବସଷ୍ଟାଣ୍ଡ, ବିଜୁ ପଟ୍ଟନାୟକ ଛକ, ମଝିପଡା, ଫକୀର ପଟ୍ଟନାୟକ ଛକ, ପର୍ଶୁରାମ ଛକ ଦେଇ ଏହା ସୋନପୁର ମହାବିଦ୍ୟାଳୟ ଠାରେ ପହଞ୍ଚିଥିଲା । ପ୍ରଥମେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ପଦଯାତ୍ରାର ସମସ୍ତ ଅଂଶ ଗ୍ରହଣ କରିଥିବା ଅଧିକାରୀ, କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କର ଛାତ୍ରଛାତ୍ରୀ ମାନଙ୍କୁ ଏକତାର ସତ୍ୟପାଠ କରାଇଥିଲେ । ତାପରେ ଜିଲ୍ଲାପାଳ ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶପଥ ପାଠ ସମୟରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ସୋନପୁର ପୌରଧ୍ୟକ୍ଷା ତାମସୀ ତମସ୍ମିତା ନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅର୍ଜୁନ ମାଝୀ ଆଡିଶିନାଲ ଏସପି କେ. କେ ହରିପ୍ରସାଦ, ଡିଏସପି ରେଣୁକା ସୁନା, ଲେଫ୍ଟନାନ୍ଟ ଆଶିଷ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପଦଯାତ୍ରା ସୋନପୁର ମହାବିଦ୍ୟାଳୟ ଠାରେ ପହଞ୍ଚିବା ପରେ ସେଠାରେ ଗ୍ରାମ୍ୟ ଯୁବ ଏକତା ଶିବିର ଆୟୋଜିତ ହୋଇଥିଲା ଏଥିରେ ଗୋଷ୍ଠୀ ଆଲୋଚନା, ପ୍ରେରଣା ଦାୟକ ଅଧିବେଶନ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଧୀରେନ୍ଦ୍ର କୁମାର ମିଶ୍ର, ଡି.ପି.ଓ, ଏନ୍ଏସଏସ ନୋଡାଲ ଅଫିସର ଭାବେ ଦାୟିତ୍ଵ ତୁଲାଇଥିଲେ ।

Leave A Reply

Your email address will not be published.