ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବି ଜଣାଇଲେ ଇରାସିସ ଆଚାର୍ଯ୍ୟ

ବରଗଡ, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷା ଓ ସ୍ଵାସ୍ଥ୍ୟ ପ୍ରତି ଗୁରୁତ୍ଵ ଦେଉଛନ୍ତି । ଶିକ୍ଷା ଓ ସ୍ଵାସ୍ଥ୍ୟ ସୁଦୃଢ ହେଲେ ରାଜ୍ୟ ତଥା ଦେଶ ପ୍ରଗତି ପଥରେ ଅଗ୍ରସର ହୋଇପାରିବ । ତେବେ ସାଂପ୍ରତିକ ପରିସ୍ଥିତିରେ ବହୁଳ ମାତ୍ରାରେ ଡାକ୍ତରଖାନା ଗଢି ଉଠିଥିବା ବେଲେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଅନେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକୁ ମେଡିକାଲ କଲେଜରେ ବିଗତ ସରକାର ସମୟରେ ରୂପାନ୍ତରଣ କରାଯାଇଛି । ମାତ୍ର ପରିତାପର ବିଷୟ ସେହି ଚିକିତ୍ସାଳୟ ଗୁଡିକରେ ଆବଶ୍ୟକ ପରିମାଣରେ ଡାକ୍ତର ନାହାନ୍ତି । ତେଣୁ ଉଚ୍ଚମାନର ଡାକ୍ତରଖାନା ଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ । ଏପରିକି ସେହି ଡାକ୍ତରଖାନାକୁ ରୋଗୀ ମାନେ ଚିକିତ୍ସା ପାଇଁ ଗଲେ ଡାକ୍ତର ନଥିବା ଅଭିଯୋଗ ହେଉଛି । ଏପରି ସ୍ଥଳେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅପରପକ୍ଷେ କେତେକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଅପରାହ୍ନରେ କିମ୍ବା ରାତିରେ ରୋଗୀ ଆସିଲେ ଡାକ୍ତର ନଥିବା ପରିଲକ୍ଷିତ ହେଉଛି । ଏହି କ୍ରମରେ ବରଗଡ଼ ଜିଲ୍ଲା ଭଟଲି ବିଧାନସଭା ଅନ୍ତର୍ଗତ ଭଟଲି, ସୋହେଲା ଓ ଅମ୍ବାଭୋନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ବିଭାଗରେ ବିଶେଷଜ୍ଞ ଡାକ୍ତର ପଦବୀ ବହୁ ବର୍ଷ ହେବ ଖାଲି ପଡ଼ିଥିବା ଜଣାପଡିଛି । ଅମ୍ବାଭୋନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ ବିଭାଗ, ମେଡିସିନ୍‌ ବିଭାଗ ଓ ଅସ୍ତ୍ରୋପଚାର ବିଭାଗର ବିଶେଷଜ୍ଞ ପଦବୀ ଖାଲି ପଡିଥିବାବେଳେ ଭଟଲି ସ୍ତ୍ରୀ ଓ ପ୍ରସୂତି, ଶିଶୁ, ଅସ୍ତ୍ରୋପଚାର ଏବଂ ଦାନ୍ତ ବିଭାଗର ବେଶଷଜ୍ଞ ପଦବୀ ଖାଲି ପଡ଼ିଛି । ସେହିପରି ସୋହେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିସିନ୍‌, ଅସ୍ତ୍ରୋପଚାର, ଅସ୍ଥିଶୈଲ୍ୟ ଓ ଶିଶୁ ବିଭାଗ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି । ତେଣୁ ଏହି ପଦବୀ ଗୁଡ଼ିକ ଶୀଘ୍ର ପୁରଣ କରି ଭଟଲି ବିଧାନସଭା ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ କରିବା ସକାଶେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଭେଟି ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ଦୃଢ଼ ଦାବି କରିଛନ୍ତି । ଏହା ସହିତ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ଉନ୍ନତିକରଣ ପାଇଁ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି । ଏହି ତିନୋଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ସମସ୍ୟା ଗୁଡ଼ିକର ସମାଧାନ ଶୀଘ୍ର ହୋଇଗଲେ ଅଞ୍ଚଳବାସୀ ଉପକୃତ ହୋଇପାରିବେ ବୋଲି ବିଧାୟକ ଦାବି କରିଛନ୍ତି । ତାଙ୍କର ଏଭଳି ଉଦ୍ୟମକୁ ଭଟଲି ନିର୍ବାଚନମଣ୍ଡଳୀ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.