ଡିସେମ୍ବର ୨୯ ପାଚକ ପାଚିକା ମହାସଂଘ ପକ୍ଷରୁ ଭୁବନେଶ୍ଵରଠାରେ ବିରାଟ ଗଣ ବିକ୍ଷୋଭ ଓ ଧାରଣା

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ରାଉରକେଲା ଶାଖା ପକ୍ଷରୁ ସେକ୍ଟର -୭ ବି/୪୦ ରାଉରକେଲାର ସିଅର କାର୍ଯ୍ୟାଳୟ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଓଡିଶା ମହାସଂଘର ସଭାପତି ଯୋଗେନ୍ଦ୍ର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ହିନ୍ଦ୍ ମଜଦୁର ସଭାର ରାଜ୍ୟ କାର୍ଯ୍ୟକାରି ସଭାପତି ତଥା ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ଉପସଭାପତି ବୈଦ୍ୟନାଥ ଦାସ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ହିନ୍ଦ୍ ମଜଦୁର ସଭା ରାଜ୍ୟ ଉପସଭାପତି ଅକ୍ଷୟ କୁମାର ନାୟକ, ସମ୍ପାଦକ ପ୍ରମୋଦ କୁମାର ଦାସ, ପାଚକ ପାଚିକା ମହାସଂଘ କେନ୍ଦ୍ରୀୟ ସଂଯୋଜକ ନିରଞ୍ଜନ ପାତ୍ର ଓ ଅଙ୍ଗନବାଡି କର୍ମଚାରୀ ଓ ସହାୟକ ସାମୁଖ୍ୟର ଉପସଭାନେତ୍ରୀ ମନୋରମା ନନ୍ଦୀ ଯୋଗ ଦେଇଥିଲେ । ପାଚକ ପାଚିକା ମହାସଂଘର କୋଷାଧ୍ୟକ୍ଷ ତଥା ରାଉରକେଲା ସଂଘର ନେତ୍ରୀ ସଂଧ୍ୟାରାଣୀ ସ୍ଵାଇଁ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଦାସ ପାଚକ ପାଚିକା ମାମାନଙ୍କର ବହୁବିଧ ଅସୁବିଧା ବିଷୟରେ ଅବଗତ ହେବା ସହ ଆଗାମୀ ଦିନମାନଙ୍କରେ କିପରି ସମସ୍ତ ପାଚକ ପାଚିକା ମାମାନଙ୍କ ସମସ୍ତ ମୌଳିକ ଦାବି ପୂରଣ ହୋଇପାରିବ ସେଥି ନିମନ୍ତେ ସମସ୍ତ ପ୍ରକାର ଚେଷ୍ଟା କରିବେ ବୋଲି କହିଥିଲେ । ଅନ୍ୟ ଅତିଥିମାନେ ପାଚକ ପାଚିକା ମାମାନଙ୍କୁ ମିଳିତ ଭାବେ ସଂଗଠିତ ହୋଇ ରହିବା ପାଇଁ ଆହ୍ୱାନ କରିଥିଲେ ଏବଂ ନିଜର ପେଟପାଟଣା ପାଇଁ ସମସ୍ତେ ଆଗେଇ ଆସିବାପାଇଁ ଅନୁରୋଧ କରିଥିଲେ । ରାଜ୍ୟ ସରକାର ମା’ମାନଙ୍କ ପାଇଁ ବହୁ ସୁବିଧାମାନ ଯୋଗାଇ ଦେଉଛନ୍ତି । ତେଣୁ ମା ମାନେ ନିଜ ନିଜର ହକ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଗୁହାରି କରିବା ସହ ଦାବି ଉତ୍ଥାପନ କରିବା ପାଇଁ କହିଥିଲେ । କେନ୍ଦ୍ରୀୟ ସଂଯୋଜକ ଶ୍ରୀ ପାତ୍ର ଆଗାମୀ ୨୯ ଡିସେମ୍ବର ଭୁବନେଶ୍ୱର ଚାଲ ବୋଲି ସମସ୍ତ ପାଚକ ପାଚିକା ମାମାନଙ୍କୁ ଅନୁରୋଧ ଏବଂ ନିବେଦନ କରିଥିଲେ । ବର୍ତ୍ତମାନ ରାଜ୍ୟ ବ୍ୟାପୀ ପାଚକ ପାଚିକା ମାମାନଙ୍କୁ ନେଇ ସଭା ସମିତି କରାଯାଇ ଅନୁରୋଧ କରାଯାଉଛି । ତେଣୁ ରାଉରକେଲା ସହରର ସମସ୍ତ ପାଚକ ପାଚିକା ମାମାନଙ୍କୁ ଆଗାମୀ ଡ଼ିସେମ୍ବର ୨୯ ତାରିଖ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦାନ କରି ସହଯୋଗ କରିବା ପାଇଁ କହିଥିଲେ । ସଭାପତି ଶ୍ରୀ ସ୍ୱାଇଁ ପାଚକ ପାଚିକା ମାମାନଙ୍କୁ ସବୁ ସମୟରେ ସହଯୋଗ କରିବା ସହ ସେମାନଙ୍କ ମୌଳିକ ଅଧିକାର ଏବଂ ନ୍ୟାର୍ଯ୍ୟ ଦାବି କିପରି ହାସଲ ହୋଇପାରିବ ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବାପାଇଁ କହିଥିଲେ । ଆଗାମୀ ୨୯ ଡିସେମ୍ବର ୫୦୦୦୦ ହଜାରରୁ ଉର୍ଦ୍ଧ୍ଵ ପାଚକ ପାଚିକା ମାମାନେ ଯେପରି ଭୁବନେଶ୍ୱର କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ସେଥିପାଇଁ ସମସ୍ତଙ୍କୁ ଚେଷ୍ଟା କରିବା ପାଇଁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାସନ୍ତୀ ବାରିକ୍, ଲିଲି ପ୍ରଧାନ, ଅନ୍ନପୂର୍ଣ୍ଣା ଶତପଥୀ, ଫରିଦା ବେଗମ, ନିର୍ମଳା ମିଞ୍ଜ, ଜିନତ ଖାତୁନ, ବବି ସାଣ୍ଡିଲ, ମଞ୍ଜୁ ମହାପାତ୍ର, ମମତା ଜେନା ଆଲୋଚନାରେ ଭାଗ ନେଇ ନିଜ ନିଜର ମତାମତ ଦେଇଥିଲେ ଏବଂ ଆଗାମୀ ଡ଼ିସେମ୍ବର ୨୯ ଭୁବନେଶ୍ୱର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତେ ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟ କରିବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନା କରିବା ପାଇଁ ଲିଜା ମହାରଣା, ମୋନାଲିସା ଲେଙ୍କା, ମୁକ୍ତା ଛତ୍ରିଆ ସହଯୋଗ କରିଥିଲେ । ଶତାଧିକ ପାଚକ ପାଚିକା ମାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶେଷରେ ରାଉରକେଲା ସଂଘର ସଭାନେତ୍ରୀ ଅଞ୍ଜଳି ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.