କୋଭିଡ୍ ଲଢ଼େଇରେ ଦାୟିତ୍ୱ ନିର୍ବାହ କରୁଛି ଓଟିଡିସି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ-୧୯ର ଦ୍ୱିତୀୟ ପର୍ଯ୍ୟାୟ ଲହର ଏବେ ସମଗ୍ର ରାଜ୍ୟରେ ଅନୁଭୂତ ହୋଇଥିବା ବେଳେ ଏହାର ମୁକାବିଲା ଓ ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଇଛନ୍ତି । ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରି ରାଜ୍ୟରେ କରୋନା ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଉଥିବା ବେଳେ ବାହାର ରାଜ୍ୟଗୁଡ଼ିକୁ ଅକ୍ସିଜେନ୍ ଯୋଗାଣ କରି ଓଡ଼ିଶା ସରକାର ମହନୀୟତାର ପରିଚୟ ଦେଇଛନ୍ତି । ଏଭଳି ମହାବିପତ୍ତି ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) କରୋନା ଲଢ଼େଇରେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ନିଜକୁ ସାମିଲ କରିଛି ।

ଓଟିଡିସିିର ସମସ୍ତ ପାନ୍ଥନିବାସ ଓ ପାନ୍ଥିକା ଏବେ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଥିବା ବେଳେ କୋଭିଡ୍ ଯୋଦ୍ଧା ବିଶେଷ କରି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ରହିବା ନିମନ୍ତେ ପାନ୍ଥନିବାସଗୁଡ଼ିକୁ ଉନ୍ମୁକ୍ତ କରାଯାଇଛି । ଜିଲ୍ଲା ପ୍ରଶାସନ ସହାୟତାରେ କେନ୍ଦୁଝର, ରାଉରକେଲା, ପାରାଦୀପ ଓ ସମ୍ବଲପୁରରେ ଥିବା ପାନ୍ଥନିବାସର ପ୍ରାୟ ୧୦୦ଟି ରୁମରେ ଏବେ ଡାକ୍ତରମାନେ ରହୁଛନ୍ତି । ପାନ୍ଥନିବାସର କର୍ମଚାରୀମାନେ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରୁଥିବା ବେଳେ ଦୈନିକ ରୁମଗୁଡ଼ିକୁ ନିୟମିତ ସାନିଟାଇଜ୍ କରାଯାଉଛି । ପୁରୀ ପାନ୍ଥନିବାସ ପକ୍ଷରୁ ଏବେ ଦୈନିକ ୫୦୦ ମିଲ୍ ପ୍ରସ୍ତୁତ କରାଯାଇ କୋଭିଡ୍ ଯୋଦ୍ଧାମାନଙ୍କ ସମେତ କୋଭିଡ୍ ରୋଗୀଙ୍କୁ ଯୋଗାଇ ଦିଆଯାଉଛି । ଏହାସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବାୟତମାନଙ୍କୁ ମଧ୍ୟ ଗତବର୍ଷ ଭଳି ଖାଇବା ପୁରୀ ପାନ୍ଥନିବାସ ଯୋଗାଉଛି । ଏହି ସମ୍ପର୍କରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, କୋଭିଡ୍ ଗାଇଡଲାଇନକୁ ପାଳନ କରି ଓ ସହଯୋଗର ହାତ ବଢ଼ାଇ ସମସ୍ତେ ମିଳିମିଶି କରୋନା ଲଢ଼େଇରେ ବିଜୟୀ ହୋଇପାରିବା । ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟରେ ମାଗଣା ସାମୁହିକ କୋଭିଡ୍ ଟୀକାକରଣ ଘୋଷଣା କରିଛନ୍ତି । ଟୀକାକରଣ ଓ କୋଭିଡ୍ ଗାଇଡଳାଇନ୍ ପାଳନ କରୋନାରୁ ସୁରକ୍ଷିତ ରଖିବାରେ ସହାୟକ ହେବ। ପାନ୍ଥନିବାସ କର୍ମଚାରୀଙ୍କ ସୁରକ୍ଷା ପ୍ରତି ମଧ୍ୟ ବିଶେଷ ଭାବେ ଧ୍ୟାନ ଦିଆଯାଇଛି । କର୍ମଚାରୀଙ୍କ କୋଭିଡ୍ ଟୀକାକରଣ ମଧ୍ୟ କରାଯାଉଛି । ଏହି ମହାବିପତ୍ତି ସମୟରେ ଓଟିଡିସି ନିଜର ସାମାଜିକ ଦାୟିତ୍ୱବୋଧ ଓ କର୍ତ୍ତବ୍ୟ ପାଳନ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

Leave A Reply

Your email address will not be published.