ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୪ ଆହତ, ୧ ଗୁରୁତର

  • ଆଦର୍ଶ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଥିବା ବେଳେ ଅଘଟଣ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ନିକଟସ୍ଥ ଧଅଁରାଭଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୪ ଜଣ ଛାତ୍ରଛାତ୍ରୀ ଓ ଅଟୋ ଚାଳକଙ୍କ ସମ୍ପକୀୟ ଜଣେ ନାବାଳକ ଗତକାଲି ଅପରାହ୍ନରେ ସ୍କୁଲ ଛୁଟି ହେବା ପରେ ଏକ ଅଟୋ ଯୋଗେ ଲାଞ୍ଜିଗଡ଼ ପଟେ ନିଜ ଘରକୁ ଫେରୁଥିବା ବେଳେ ଭାଟଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିଥିଲା । ଫଳରେ ଅଟୋରେ ବସିଥିବା ୪ ଜଣ ଛାତ୍ରଛାତ୍ରୀ ଅଞ୍ଜନା ଦୁର୍ଗା୧୩), ଅନନ୍ୟା ନାଏକ(୧୧), ରାଣି ଶୁଭଶୁଦ୍ଧା ନାଏକ(୧୪) ଓ ରଶ୍ମି ନାଏକ(୧୪)ଙ୍କ ସମେତ ଜଣେ ନାବାଳକ ଧିରଜ ନିହାଲ(୭) ଏଥିରେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଭାବେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସେଠାରୁ ବେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସୂଚନା ଅନୁସାରେ, ସେଥି ମଧ୍ୟରୁ ଅଞ୍ଜନାଙ୍କ ଅବସ୍ଥା ସ୍ଥିର ଥିବାବେଳେ ସେ ଘରକୁ ଯାଇଥିଲେ । ଆଉ ତିନି ଜଣ ଛାତ୍ରୀ ଅନନ୍ୟା, ରାଣି ଓ ରଶ୍ମିଙ୍କୁ ବେଦାନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସେଥି ମଧ୍ୟରୁ ଅଟୋରେ ବସିଥିବା ନାବାଳକ ଧିରଜଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଯୋଗ୍ୟ ଯେ, ଏ ସଂପର୍କରେ ଖବର ପାଇ ଲାଞ୍ଜିଗଡ଼ ବେଦାନ୍ତ ହସ୍ପିଟାଲର ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତିଙ୍କ ସମେତ ବେଦାନ୍ତ ଡାକ୍ତରୀ ଦଳ ଆମ୍ବୁଲାନ୍ସ ଯୋଗେ ଲାଞ୍ଜିଗଡ଼ ସିଏଚସି ପହଞ୍ଚି ଆହତ ତିନି ଛାତ୍ରୀଙ୍କୁ ନେଇ ବେଦାନ୍ତ ଡାକ୍ତରଖାନାରେ ଚିକିତ୍ସା କରୁଥିବା ଜଣାପଡ଼ିଛି । ଏହି ଦୁର୍ଘଟଣା ଖବର ଶୁଣିବା ପରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷୀରେଶ୍ୱର ପ୍ରଧାନ ତାଙ୍କ ତିନି ଜଣ ଶିକ୍ଷକଙ୍କ ସହ ବେଦାନ୍ତ ହସ୍ପିଟାଲକୁ ଯାଇ ଆହତଙ୍କୁ ଭେଟିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତରଙ୍କ ସହିତ ଆଲୋଚନା କରିଛନ୍ତି । ଅଟୋ ଚାଳକ ହୃଷିକେଶ ବାଗଙ୍କ ଦ୍ରୁତ ଗତି ଓ ମୋବାଇଲ ଧରି ଅସାବଧାନତା ଯୋଗୁଁ ଅଟୋଟି ଭାରସାମ୍ୟ ହରାଇ ଓଲଟି ଯାଇଥିବା ଅଟୋରେ ବସିଥିବା ଛାତ୍ରୀମାନେ ପ୍ରକାଶ କରିଛନ୍ତି । ଅଟୋ ଚାଳକ ଗୋଡ଼ରେ ଆଘାତ ଲାଗିଥିବା ବେଳେ ଲାଞ୍ଜିଗଡ଼ ସିଏଚସିକୁ ଆସିବା ପରେ ଫେରାର ହୋଇ ଯାଇଥିଲେ ବୋଲି ଛାତ୍ରୀଙ୍କ ପରିବାର ଲୋକେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.