jayashree

ମେଣ୍ଡା ହାଇସ୍କୁଲର ପୂର୍ବତନ ଛାତ୍ର ବିନୋଦ ସୁନା ପାଇଲେ ଓଇଏସ୍‌

ବଲାଙ୍ଗିର/ତରଭା, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ହାଇସ୍କୁଲର ପୁରାତନ ଛାତ୍ର ଓଡିଶା ଏଜୁକେସନ୍‌ ସର୍ଭିସ(ଓଇଏସ) ପରୀକ୍ଷାରେ କୃତ କାର୍ଯ୍ୟ ହୋଇଛନ୍ତି । ଏହାକୁ ନେଇ ତରଭା ତଥା ମେଣ୍ଡା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଓଡିଶା ପବ୍ଲିକ ସର୍ଭିସ କମିଶନ(ଓପିଏସ୍‌ସି) ପକ୍ଷରୁ କରାଯାଇଥିବା ପରୀକ୍ଷାରେ ବିନୋଦ ଉତ୍ତୀର୍ଣ୍ଣ ହୋଇ ଏହି ସଫଳତା ପାଇଛନ୍ତି । ମେଣ୍ଡା ଗ୍ରାମର ସୁମିତ୍ରା ସୁନା ଓ ଉପେନ୍ଦ୍ର ସୁନାଙ୍କ କନିଷ୍ଠପୁତ୍ର ବିନୋଦ ମେଣ୍ଡା ସେବାଶ୍ରମ ସ୍କୁଲ, ଏମ୍‌ଇ ସ୍କୁଲ ପାଠ ପରେ ମେଣ୍ଡା ହାଇସ୍କୁଲରୁ ୨୦୦୩ ମସିହାରେ ମାଟ୍ରିକରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ଏମ୍‌ବିଆର୍‌ ମହାବିଦ୍ୟାଳୟରେ ଯୁକ୍ତଦୁଇ ଓ ବଲାଙ୍ଗିର ରାଜେନ୍ଦ୍ର ମହାବିଦ୍ୟାଳୟରୁ ଅର୍ଥନୀତି ବିଜ୍ଞାନ (ଅନର୍ସ) ଯୁକ୍ତତିନି ପାଠ ପଢିଥିଲେ । ଡିଗ୍ରୀ ପରେ ବଲାଙ୍ଗିର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରୁ ବିଇଡି ସାରି ବଙ୍ଗୋମୁଣ୍ଡା ବ୍ଲକର ଦେଢଗାଁ ହାଇସ୍କୁଲରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟରୁ ସେ ୨୦୧୮ ମସିହାରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ସାରିଥିଲେ । ଏବେ ୨୦୨୧ ମସିହାରୁ ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକର ସୁରଜମଲ ନୋଡାଲ ହାଇସ୍କୁଲ, ସାଉନ୍ତପୁରରେ ଯୋଗଦେଇ ବର୍ତ୍ତମାନ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହିଛନ୍ତି । ପ୍ରାଥମିକ ଶିକ୍ଷା ବେଳରୁ ଜଣେ ମେଧାବୀ ଛାତ୍ର ଭାବରେ ସେ ବେଶ ଜଣାଶୁଣା ଥିଲେ । ପରିବାରର ଆର୍ଥକ ଅନାଟନ ସତ୍ୱେ ସେ ତାଙ୍କର ଦୃଢ ଇଚ୍ଛା ଶକ୍ତି ବଳରେ ଏହି ସଫଳତା ପାଇଛନ୍ତି । ମେଣ୍ଡା ହାଇସ୍କୁଲର ପୁରାତନ ଛାତ୍ରମାନଙ୍କ ତରଫରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି । ଏହି ସଫଳତାର ଶ୍ରେୟ ସେ ତାଙ୍କ ବାପା ମାଆ ଓ ଅଞ୍ଚଳବାସୀଙ୍କୁ ଦେଇଛନ୍ତି ।

Leave A Reply

Your email address will not be published.