- ସରକାରଙ୍କ ଆର୍ଥିକ ବ୍ୟୟ ଆକଳନ ଜରୁରୀ- ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : “ଲୋକ ହିତାର୍ଥ ସତ୍ୟନିଷ୍ଠା”, ଲୋକ ମାନଙ୍କ ହିତ ସାଧନ ଦିଗରେ ସରକାରଙ୍କ ପ୍ରଦତ୍ତ ଅର୍ଥ ବିନିଯୋଗ ହେବାପରେ ସେହି ଅର୍ଥର ସତ୍ୟନିଷ୍ଠ ପ୍ରତିପାଦନ ସମୀକ୍ଷା ନିମନ୍ତେ ଅଡିଟ୍ ବା ଆକଳନ ଜରୁରୀ ଅଟେ । ତେବେଯାଇ ପ୍ରଶାସନରେ ସ୍ୱଚ୍ଛତା ବଜାୟ ରହିବ ଏବଂ ଦେଶର ପ୍ରଗତି କ୍ଷୀପ୍ର ଗତିରେ ହେବ । ଗୁରୁବାର ଭୁବନେଶ୍ୱର ମହାଲେଖାକାର କାର୍ଯ୍ୟାଳୟ ଦ୍ୱାରା ଅଡିଟ୍ ସପ୍ତାହ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଜଉଗଡ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ପଞ୍ଚାୟତ ସ୍ତରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ନିର୍ବାଚିତ ପ୍ରତିନିଧି ମାନଙ୍କୁ ସମ୍ମାନିତ କରିବା ନିମନ୍ତେ ଏହି ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ପ୍ରଧାନ ମହାଲେଖାକାର ରାଜ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ ଅତିଥି ରୂପେ ଯୋଗଦାନ କରି ନିଜ ବକ୍ତବ୍ୟରେ ଅବଗତ କରାଇଥିଲେ ଯେ, ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ଅନେକ ଯୋଜନା ପ୍ରଣୟନ କରାଯାଉଛି, ଯେଉଁ ଗୁଡିକର ଆର୍ଥିକ ବ୍ୟୟର ଆକଳନ ନିହାତି ଜରୁରୀ । ଆର୍ଥିକ ବିକାଶ କରିବାପାଇଁ ଆର୍ଥିକ ହିସାବ କିତାବ ମୁଖ୍ୟ ଭୂମିକା ନିର୍ବାହ କରିଥାଏ । ସରକାରଙ୍କ ମଞ୍ଜୁରୀ ଅର୍ଥକୁ ଯଦି ସଠିକ ଭାବରେ ବିନିଯୋଗ କରିବା ତେବେ ଦେଶ ପ୍ରଗତି ପଥରେ ଆଗେଇବ । ପ୍ରାରମ୍ଭିକ ସୂଚନା ପ୍ରଦାନ କରି ପ୍ରଧାନ ମହାଲେଖାକାର ରାଜ କୁମାର ନିଜ ବକ୍ତବ୍ୟରେ ଅବଗତ କରାଇଥିଲେ ଯେ, ଅଡିଟ୍ ସପ୍ତାହ ପାଳନ ଅବସରରେ ଏ ଜି ସେମାନଙ୍କର ମୁଖ୍ୟ ଅଂଶୀଦାର ମାନଙ୍କ ନିକଟରେ ପହଞ୍ଚିବାକୁ ପ୍ରୟାସ କରାଯାଇଛି । ଓଡିଶାର ପଞ୍ଚାୟତରାଜ ପ୍ରତିଷ୍ଠାନ ଗୁଡିକରେ ଯୋଗ୍ୟ ଆକାଉଣ୍ଟାଣ୍ଟ ଅଭାବ ସମସ୍ୟାର ସମାଧାନ ନିମନ୍ତେ ଏ ଜି ଓଡିଶା ସ୍ଥାନୀୟ ସରକାରୀ ଅଡିଟ୍ ଏବଂ ଦକ୍ଷତା ବିକାଶ ପାଇଁ ଏକ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯାଉଥିବା ଅବଗତ କରାଇଥିଲେ । ଏହି କେନ୍ଦ୍ର ସ୍ଥାନୀୟ ଶାସନ ଅଡିଟ୍ ସମ୍ବନ୍ଧୀୟ ଦକ୍ଷତା ବିକାଶର ଆବଶ୍ୟକତା ପୂରଣ ପାଇ ସ୍ୱତନ୍ତ୍ର ଭାବେ ଉତ୍ସର୍ଗୀକୃତ ହେବ । ଏହି ପରିପ୍ରେକ୍ଷୀରେ ଏକ ସାର୍ଟିଫିକେଟ ପାଠ୍ୟକ୍ରମ ସୃଷ୍ଟି ହେବ । ସି ଆଣ୍ଡ ଏ ଜି ଏବଂ ଇଷ୍ଟିଚ୍ୟୁଟ୍ ଅଫ୍ ଚାଟାର୍ଡ ଆକାଉଣ୍ଟସ୍ ମଧ୍ୟରେ ଏକ ଏମ୍ ଓ ୟୁ ସାକ୍ଷରିତ ହୋଇଥିବା ଜଣାଇଥିଲା । ନଭେମ୍ବର ମାସର ତୃତୀୟ ସପ୍ତାହକୁ ବାର୍ଷିକ ଅଡିଟ୍ ସପ୍ତାହ ଭାବେ ପାଳନ କରାଯାଏ । ଏହି ସଚେତନତା ସପ୍ତାହରେ ପର୍ଯ୍ୟାୟ କ୍ରମେ ଆକଳନ ପରିଚାଳନା ହୁଏ । ଜନ ସାଧାରଣଙ୍କ ସ୍ୱାର୍ଥ ସତ୍ୟକୁ ଉତ୍ସର୍ଗୀକୃତ କରିବା ଅଡିଟ ର କର୍ତ୍ତବ୍ୟ । ଏହି କାର୍ଯ୍ୟ ସଂପାଦନ କରି ଏ ଜି ଓଡିଶା ନିଜକୁ ଗର୍ବିତ ମନେ କରୁଥିବା ଜଣାଇଥିଲେ । ସମ୍ପ୍ରତି ତୃଣମୂଳ ଗଣତନ୍ତ୍ରକୁ କିଭଳି ମଜବୁତ କରାଯାଇପାରିବ ସେ ଦିଗରେ ଭାରତ ସରକାରଙ୍କ ସି ଆଣ୍ଡ ଏ ଜି ଗୁରୁ୍ତ୍ତାରୋପ କରୁଥିବା ପ୍ରକାଶ କରିଥିଲେ । ପ୍ରିନସିପାଲ ଆକାଉଣ୍ଟାଣ୍ଟ ଜେନେରାଲ ରେ ଉଲ୍ଲେଖ ଅଛି ଯେ, ଅଡିଟ୍ ରିପୋର୍ଟ ଏବଂ ଇନିସପେକ୍ଟର ରିପୋର୍ଟ ପଢିବା ବେଳେ ଅନୁଭବ ହୋଇପାରେ ଯେ, ଅଡିଟ୍ ରେ କେବଳ ନକାରାତ୍ମକ ଦୃଷ୍ଟିକୋଣ ରହିଛି । କିନ୍ତୁ ଅଡିଟ୍ ମଧ୍ୟ ଭଲକାର୍ଯ୍ୟକୁ ପ୍ରଶଂସା କରେ ଏବଂ ଉନ୍ନତି ସକାଶେ ସୁପାରିଶ୍ କରେ । ଜନସେବା ପ୍ରଦାନ କରିବା ଏବଂ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବା ଏକ ସହଜ କଥା ନୁହେଁ । ଏହି ଅଡିଟ୍ ସପ୍ତାହ ଲୋକ ପ୍ରତିନିଧି ମାନଙ୍କ ଦ୍ୱାରା କରାଯାଉଥିବା କାର୍ୟ୍ୟକୁ ଧ୍ୟାନ ଦିଏ, ଓ ସେମାନଙ୍କୁ ପ୍ରଶଂସା କରିବା ନିମନ୍ତେ ସମ୍ମାନିତ କରିବାର ସୁଯୋଗ ଦିଏ । ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ୟ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ କୀର୍ତ୍ତି ଭାସନ୍ ଭି ନିଜ ବକ୍ତବ୍ୟରେ ଲୋକ ପ୍ରତିନିଧି ମାନଙ୍କ କାର୍ୟ୍ୟକୁ ପ୍ରଶଂସା ଓ ଉତ୍ସାହିତ କରିବା ନେଇ ଏ ଜି କାର୍ଯ୍ୟଳୟ ଦ୍ୱାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଉଚ୍ଚପ୍ରଶଂସା କରି ଶୁଭେଚ୍ଛା ଜଣାଇଥିଲେ । ଗଞ୍ଜାମ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଉଚ୍ଚାଭିଳାଷୀ ଫାଇଭ୍-ଟି ସିଦ୍ଧାନ୍ତ ଅନୁପାଳନ କରି ଜିଲ୍ଲାର ବିକାଶ ଦିଗରେ ଅନେକ କାର୍ୟ୍ୟ ଅବିରତ ଚାଲିଥିବା ଉଲ୍ଲେଖ କରି ତୃଣମୂଳ ସ୍ତରରୁ ଚାଲୁଥିବା କାର୍ୟ୍ୟରେ କିଭଳି ସ୍ୱଚ୍ଛତା ବଜାୟ ରହୁଛି ତାହା ବ୍ୟକ୍ତ କରିଥିଲେ । ସହରର ସୁବିଧା ପ୍ରତି ଗ୍ରାମାଞ୍ଚଳରେ ଯେପରି ଉପଲବ୍ଧ ହେବ ସେ ଦିଗରେ ସର୍ବଦା ଚେଷ୍ଟା ଜିରି ରହିଛି । ଏହି ଉନ୍ନୟନ କାର୍ଯ୍ୟରେ ଅଡିଟ୍ ବା ଆକଳନ କାର୍ଯ୍ୟଧାରାକୁ ସ୍ୱଚ୍ଛତା ଓ ପରିମାର୍ଜିତ କରିପାରିଛି ବୋଲି ମତ ରଖିଥିଲେ । ଗଞ୍ଜାମ ଜିଲ୍ଲା ଅନେକ ଉନ୍ନୟନମୂଳକ କାର୍ଯ୍ୟ କରି ଭାରତ ସରକାରଙ୍କଠାରୁ ବହୁ ସମ୍ମାନର ଅଧିକାରୀ ହୋଇଥିବା ହେତୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ ଓ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ସରସ୍ୱତୀ ସେଠୀ ଏବଂ ଚମାଖଣ୍ଡି ସରପଞ୍ଚ ସି.ଏଚ୍. ମନୋଜ କୁମାର ରେଡ୍ଡୀଙ୍କୁ ଏଜି ଓଡିଶା ପକ୍ଷରୁ ସମ୍ମାନୀତ କରାଯାଇଥିଲା । ପ୍ରାରମ୍ଭରେ ଡେପୁଟୀି ଆକାଉଣ୍ଟାଣ୍ଟ ଜେନେରାଲ ତାନିଆ ଆମ୍ବାସ୍ତା ଉପସ୍ଥିତ ଅତିଥିମାନଙ୍କୁ ସ୍ୱାଗତ ଜଣାଇ ମଞ୍ଚ ପରିଚାଳନା କରିଥିବା ବେଳେ କଲ୍ୟାଣ ଅଧିକାରୀ ଅଶୋକ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ଲେଖା ପରୀକ୍ଷା ଅଧିକାରୀ ରାଜ କିଶୋର ମହାପାତ୍ର ଏବଂ ଶ୍ରୀମନ୍ତ କୁମାର ପଣ୍ଡା ଏବଂ ଏ. ଜି. କାର୍ଯ୍ୟାଳୟର ବହୁ ଅଧିକାରୀଗଣ ଉପସ୍ଥିତ ଥିଲେ ।