ଦିଲ୍ଲୀରେ ଅନୁଗୁଳର ନୃତ୍ୟ ନୀଳୟର ୧୦ ଜଣିଆ ଦଳଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ୭୩ତମ ଗଣତନ୍ତ୍ର ଦିବସ ସାମାରୋହ ଅବସରରେ ଦିଲ୍ଲୀ ରାଜପଥରେ ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ହଜାର ହଜାର ଦର୍ଶକଙ୍କ ଭିଡ଼ରେ ଭାରତର ସାମରିକ ସାମର୍ଥ୍ୟ, କଳା ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା । ଏହି ଭବ୍ୟ ପରେଡର ଶେଷ ଭାଗରେ ୧୫ଟି ରାଜ୍ୟର ୩୬ଟି ଟିମ୍ ଦ୍ଵାରା ୪୮୫ ଜଣ କଳାକାରଙ୍କ ବନ୍ଦେ ମାତରଂ ସଙ୍ଗୀତ ସୂରରେ ଅମୃତ ମହୋତ୍ସବର ଚିତ୍ତାକର୍ଷକ ନୃତ୍ୟ ପ୍ରଦର୍ଶିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ଓଡ଼ିଶାର ଅନୁଗୁଳର ନୃତ୍ୟ ନୀଳୟର ୧୦ ଜଣିଆ ଦଳ ଏଥିରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଅଗଣିତ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା । ଅନୁଗୁଳ ଇତିହାସରେ ପ୍ରଥମ ଥର ପାଇଁ ଦିଲ୍ଲୀ-ରାଜପଥରେ ଏହି ଦଳ ନୃତ୍ୟ ପରିବେଷଣ କରିଥିଲା । ଲାଲ ପୋଷାକରେ ଓଡ଼ିଶୀ ନୃତ୍ୟାଙ୍ଗନାମାନେ ଯେତେବେଳେ ଓଡ଼ିଶୀ କଳାର ଚାତୁରି ପ୍ରଦର୍ଶନ କଲେ ଦର୍ଶକଙ୍କ ତାଳି ମାଡ଼ରେ ରାଜପଥର ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ନୃତ୍ୟ ଗୁରୁ ସ୍ବପ୍ନାରାଣୀ ସିହ୍ନାଙ୍କ ମାର୍ଗ ଦର୍ଶନରେ ଏହି ଦଳ ଦିଲ୍ଲୀ ଗସ୍ତ କରି ଦିଲ୍ଲୀ ରାଜପଥରେ ଆୟୋଜିତ ଗଣତନ୍ତ୍ର ଦିବସ ମହୋତ୍ସବରେ ମଞ୍ଚସ୍ଥ କରି ଉଚ୍ଚ ପ୍ରଶଂସା ଲାଭ କରିବା ବିଷୟ ଉତ୍କଳର ଗର୍ବ ଓ ଗୌରବର ଗାଥାକୁ ପ୍ରତିପାଦନ କରି ଓଡ଼ିଆ କଳାର ମହତ୍ତ୍ୱକୁ ପରିମାର୍ଜିତ କରିପାରିଥିଲା ।

Leave A Reply

Your email address will not be published.