ଓଡ଼ିଶା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ବଲାଙ୍ଗିର ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ତିନିଦିନିଆ ବଲାଙ୍ଗିର ଗସ୍ତରେ ଆସି ବିଭିନ୍ନ ସ୍କୁଲ, କସ୍ତୁରୀବା ଗାନ୍ଧୀ ବାଳିକା ବିଦ୍ୟାଳୟ ଓ ଋତୁକାଳୀନ ବିଦ୍ୟାଳୟ, ଏସିସିଆ, ଏସ୍‌ଏଏ ଏବଂ ପୋଲିସ ଷ୍ଟେସନ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଶିକ୍ଷା ସହିତ ଶିଶୁମାନଙ୍କର ସୁରକ୍ଷା କଥାକୁ ଦୃଢ଼ତାର ସହିତ ରିଭ୍ୟୁ କରିଥିଲେ । ପ୍ରାୟ ଜାଗାରେ ଥିବା ଟଏଲେଟ୍‌, ବାଥ୍‌ରୁମ୍‌ ଏବଂ କୋଠା ଗୁଡ଼ିକ ବ୍ୟବହାର ପାଇଁ ଅନୁପଯୋଗୀ ଥିବାରୁ ବିରକ୍ତି ପ୍ରକାଶ କରିଥିଲେ । ଡିଇଓ ଏବଂ ଡିସିପିଓ ଟିମ୍‌ଙ୍କୁ ସଙ୍ଗେ ସଙ୍ଗେ ସେ ଉପରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ଶିକ୍ଷକ ଏବଂ ଶିଶୁମାନଙ୍କୁ ନେଇ ବିଭିନ୍ନ ତାଲିମ ଆୟୋଜନ କରିବା ପାଇଁ କହିଥିଲେ । ମଙ୍ଗଳବାର ଦିନ ଏସ୍‌ଆଇଏଚ୍‌ଏମ୍‌ରେ ସାତ ଗୋଟି ଜିଲ୍ଲାକୁ ନେଇ ସ୍ଥାନାନ୍ତରଣ ତଥା ଅନ୍ୟାନ୍ୟ ଅସୁରକ୍ଷିତ ଶିଶୁମାନଙ୍କ ସୁରକ୍ଷା ତଥା ସେମାନଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତିକରଣ ଉପରେ ୭ଟି ଦାଦନ ପ୍ରବଣ ଜ଼ିଲ୍ଲା ବଲାଙ୍ଗିର, ନୂଆପଡା, ବରଗଡ, କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର ଏବଂ ସମ୍ବଲପୁରକୁ ନେଇ ଏକ ସଚେତନତା କର୍ମଶାଳାକୁ ଉଦଘାଟନ କରିଥିଲେ । ଏଡ଼ଏଟ୍‌ ଆକ୍ସନର ନିର୍ଦେଶକ ଉମି ଡାନିଏଲ୍‌ କହିଥିଲେ ଯେ, ପଶ୍ଚିମ ଅଂଚଳ ଜିଲ୍ଲାରେ ପରିବାର ସହିତ ଋତୁକାଳୀନ ଶ୍ରମ ସ୍ଥାନାନ୍ତରଣ ଏକ ବ୍ୟାପକ ଘଟଣା । ବହୁସଂଖ୍ୟକ ଶିଶୁ ନିଜ ବାପାମାଆଙ୍କ ସହ ଇଟାଭାଟିକୁ ଯାଆନ୍ତି ଏବଂ ଯେଉଁମାନେ ଗାଁରେ ରୁହନ୍ତି ସେମାନେ ବାପା ମା ନଥିବାରୁ ଅନେକ ସମୟରେ ଅସୁରକ୍ଷିତ ହୋଇପଡନ୍ତି । ଏହାବ୍ୟତୀତ, କୋଭିଡ ପରବର୍ତ୍ତୀ ପରିସ୍ଥିତିରେ ବିଭିନ୍ନ ପ୍ରକାର ବିପଦ, ଶୋଷଣ ଏବଂ ଅସୁବିଧାର ସମ୍ମୁଖୀନ ହେଉଥିବା ଶିଶୁଙ୍କ ପ୍ରତି ବିପଦ ବୃଦ୍ଧି ପାଇଛି । ସେ ରାଜ୍ୟରେ ଶିଶୁମାନଙ୍କ ପ୍ରତି ଅପରାଧ ନିମନ୍ତେ ଆହ୍ୱାନର ମୁକାବିଲା ପାଇଁ ଏକ ବ୍ୟାପକ ସମନ୍ୱୟ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଶିଶୁ ଅଧିକାର କମିଶନ ଅଧ୍ୟକ୍ଷା ମନ୍ଦାକିନୀ କର କହିଥିଲେ ଯେ, ଓଡିଶାର ପଶ୍ଚିମ ଜିଲ୍ଲାରେ ଶିଶୁମାନଙ୍କୁ ପ୍ରଭାବିତ କରୁଥିବା ଆହ୍ୱାନର ମୁକାବିଲା ପାଇଁ ସରକାର ସକ୍ରିୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଧର ଧରୁଆ, ଅତିରିକ୍ତ ଏସ୍‌ପି ସୁରେଶ ଚନ୍ଦ୍ର ନାୟକ ତାଙ୍କର ସୁଚିନ୍ତିତ ମତାମତ ରଖିଥିଲେ । ବିଭିନ୍ନ ଜିଲ୍ଲାରୁ ଆସିଥିବା ସରକାରୀ ଅଫିସରମାନେ ସେମାନଙ୍କ ବିଭାଗ ଦ୍ୱାରା ନିଆଯାଉଥିବା ପଦକ୍ଷେପଗୁଡିକୁ କହିଥିଲେ । ଏଥିସହିତ ବିଭିନ୍ନ ନାଗରିକ ସଂଗଠନ, ସ୍ୱେଛାସେବୀ ସଂଗଠନମାନେ ମଧ୍ୟ ନିଜର ମତ ରଖିଥିଲେ । ବୈଠକରେ ଶିଶୁ ସ୍ଥାନାନ୍ତରଣ, ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ଚାଲାଣ ଏବଂ ଅନ୍ୟାନ୍ୟ ଶିଶୁ ଦୁର୍ବଳତା ଏବଂ ବିପଦର ମୁକାବିଲା ପାଇଁ ଶର୍କରୀ ଏବଂ ବେସରକରି ସ୍ତରରେ ସମନ୍ୱୟ ଏବଂ ଭାଗିଦାରୀ ସହିତ ସମସ୍ତେ କାର୍ଯ୍ୟ କରିବେ ଏବଂ ଆଜିର ଏହି ପରାମର୍ଶ କର୍ମଶାଳାର ନିଷ୍କର୍ଷ ନିଶ୍ଚିତ ରୂପେ ଶିଶୁ ଅଧିକାର ଆୟୋଗକୁ ଶିଶୁ ଅଧିକାରରର ସୁରକ୍ଷା ନିମନ୍ତେ ଆହୁରି ଦୃଢତାର ସହିତ କାର୍ଯ୍ୟ କରିବାକୁ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା । ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଲକ୍ଷ୍ମୀ ସିଂ, ଚୂଡ଼ାମଣି ପଣ୍ଡା, ଅରୁଣ ଖୁଆସ ଏବଂ ଆଡ଼ଏଟ୍‌ ଆକ୍ସନର ସଂଯୋଜକ ଦୟାସାଗର ପଧାନ ତାଙ୍କ ପରିଦର୍ଶନରେ ସହଯୋଗ କରିଥିଲେ ।

Leave A Reply

Your email address will not be published.