jayashree

ମହୁଲପାଲିରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମହୁଲପାଲି ଗ୍ରାମରେ ଶନିବାର ଦିନ ଧୂମ୍‌ଧାମ୍‌ରେ ନୂଆଁଖାଇ ଭେଟ୍ ପାଳିତ ହୋଇଯାଇଛି । ନୂଆଁଖାଇ ଦିନ ପ୍ରବଳ ବର୍ଷା ଯୋଗୁଁ କାର୍ଯ୍ୟକ୍ରମ ବାତିଲ ହେବା ପରେ ଶନିବାର ଦିନ ସମସ୍ତ ଗ୍ରାମବାସୀ ଗାଁ ମୁଣ୍ଡ ଗାଈ ଗୋଠରେ ଜୁହାର ଭେଟ୍‌ ହୋଇଥିଲେ । ତା’ପରେ ନେତାଜୀ ଯୁବକ ସଂଘ ପକ୍ଷରୁ ଆବାଳ ବୃଦ୍ଧ ବନିତାଙ୍କ ପାଇଁ ବିଭିନ୍ନ ଖେଳର ଆୟୋଜନ କରାଯାଇଥିଲା । ବିସ୍କୁଟ ଖିଆ, ଲାଞ୍ଜ ଟଣା, ବସ୍ତା ଦୌଡ଼, ଧୋତି ପିନ୍ଧା, ମାଠିଆ ଫଟା, ସ୍ଲୋ ସାଇକେଲ ରେସ୍‌ ଆଦି ଖେଳ ମୁଖ୍ୟ ଆକର୍ଷଣ ଥିଲା । ସନ୍ଧ୍ୟାରେ ଅନୁଷ୍ଠିତ ନୂଆଁଖାଇ ଭେଟ୍ ସଭାରେ ଅବସରପ୍ରାପ୍ତ ଅଧ୍ୟାପକ ତଥା ନାଟ୍ୟକାର କେଶରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଏବଂ କଳା ପ୍ରେମୀ ଅଧ୍ୟାପକ ଯୁବରାଜ ସା ଓ ଅବସରପ୍ରାପ୍ତ ଶିକ୍ଷକ ତାରାଚାନ୍ଦ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଗାଁ ଗୌନ୍ତିଆ ଝସକେତନ ସାହୁ, ଝାଁକର ଧନପତି ନାଗ ଓ ଚୌକିଦାର କିଶୋର ସୁନାଙ୍କ ସହଯୋଗରେ ମା’ ସମଲେଇଙ୍କ ପୂଜାର୍ଚ୍ଚନା କରାଗଲା । ଦେଶୀ ବାଦ୍ୟ ସହ ସମୂହ ନୃତ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା । ପରେ ଗାଁ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସମ୍ବଲପୁରୀ ଲୋକନୃତ୍ୟ ଓ “ଲୁ” ନାଟ୍ୟ ସଂସଦର ଜଗନ୍ନାଥ ସେଠ୍‌ଙ୍କ ନିର୍ଦ୍ଦେଶିତ ନାଟକ “ଗାନ୍ଧୀ ଛକ” ମଞ୍ଚସ୍ଥ ହୋଇଥିଲା । ମୀନକେତନ, ସୁଶାନ୍ତ ଓ ଦିଲୀପ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ନରେନ୍ଦ୍ର, ପଦ୍ମଲୋଚନ, ଉଗ୍ରସେନ, ଦିବ୍ୟକିଶୋର, ବିକ୍ରମ, ରବିନ୍ଦ୍ର, ଅଲେଖ, ଗୁରୁବାରୁ, ପ୍ରତାପ, ପ୍ରକାଶ, ମତିଲ, ରୁପକ, ଓମ୍‌, ଅଙ୍କିତ ଆଦି ଅନେକ ଯୁବକ ସହଯୋଗ କରିଥିଲେ । ଶେଷରେ ସଭାପତି ସୁରେନ୍ଦ୍ର ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.