snbehera

କୃତଜ୍ଞତା ଓ ଭାଇଚାରାର ପର୍ବ ନୂଆଁଖାଇ

ଅଧ୍ୟାପକ କୌତୁକ ପନ୍ଦର

kp

“ଅନ୍ନ ବିହୁନେ ହଂସ ହାନି
ଯୋଗ ସାଧିବୁ କାହା ଘେନି ।।”
(ଭାଗବତ, ଜଗନ୍ନାଥ ଦାସ)

ମନୁଷ୍ୟ ସଭ୍ୟତାର ପ୍ରାକ୍‌ କାଳରୁ ବଂଚିବା ସକାଶେ ତା’ର ମୌଳିକ ଆବଶ୍ୟକତା ନିତାନ୍ତ ଜରୁରୀ । ତା’ ଭିତରୁ ଖାଦ୍ୟ ହେଉଛି ଏକ ମୌଳିକ ଓ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା । ଏହା ବ୍ୟତିରେକେ ସେ ଜୀବନ ଧାରଣ କରିପାରେ ନାହିଁ । ଏହାକୁ ଦୃଷ୍ଟିରେ ରଖି ମନୁଷ୍ୟ ସଭ୍ୟତାର ଉନ୍ମେଷ କାଳରୁ ହିଁ ଅନ୍ନକୁ ପୂଜା କରି ଆସୁଛି । ଯଦିଓ ଏହା ଭୌଗୋଳିକ, ଭାଷାଗତ, ସାଂସ୍କୃତିକ ଓ ଆଂଚଳିକ ଭେଦରେ ବିଭିନ୍ନ ପ୍ରକାରର, ଲକ୍ଷ୍ୟ କିନ୍ତୁ ଏକ – ଅନ୍ନକୁ ସମ୍ମାନ ଦେବା । ଯେହେତୁ ଏହା ଉଦର ଜ୍ୱାଳାକୁ ପ୍ରଶମିତ କରୁଛି, ଶରୀରରେ ଶକ୍ତି ଦେଉଛି, କାର୍ୟ୍ୟ ପାଇଁ ମନରେ ଫୁର୍ତ୍ତି ଦେଉଛି । ହୁଏତ ଯେଉଁ ଦିନୁ ସେ ଶସ୍ୟ ଉପୁଜାଇ ନିଜର ଜୀବନ ଧାରାଣାରେ ସକ୍ଷମ ହୋଇଥିବ ସେ ଦିନୁ ଏ ଶସ୍ୟହେଉଛି ତା’ର ଆରାଧ୍ୟ । ଏ ପରିପ୍ରେକ୍ଷୀରେ ପଶ୍ଚିମ ଓଡ଼ିଶାର ନୂଆଁଖାଇକୁ ବିଶ୍ଲେଷଣ କରାଯାଇପାରେ । ପଶ୍ଚିମ ଓଡ଼ିଶାରେ ଥିବା ଦଶଟି ଜିଲ୍ଲାରେ ଏହାକୁ ଏକ ସାମାଜିକ, ସାଂସ୍କୃତିକ, ଆବେଗିକ ଧାରା ଆଧାରରେ ପାଳନ କରାଯାଇଥାଏ । ବରଗଡ଼, ବଉଦ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଏବଂ ଆଠମଲ୍ଲିକ ସଦର ମହକୁମା (ଅନୁଗୋଲ ଜିଲ୍ଲା) ଅନ୍ତର୍ଗତ ବସବାସ କରୁଥିବା ଓଡ଼ିଶା ଜନସଂଖ୍ୟାର ୨୪.୩୪% (ପ୍ରାୟ ଏକ କୋଟି ଦଶ ଲକ୍ଷ) ଜନସଂଖ୍ୟା ଓ ୪୦% (ପ୍ରାୟ ତେୟାଲିଶ ଲକ୍ଷ ବୟାଅଶି ହଜାର)ରୁ ଅଧିକ ଆଦିବାସୀ ଅଧ୍ୟୁଷିତ ଏହି ଅଂଚଳରେ ବଡ଼ ଧୁମ୍‌ଧାମ୍‌ ଓ ଆନନ୍ଦ ଉଲ୍ଲାସ ସହକାରେ ନୂଆଁଖାଇକୁ ପାଳନ କରିଥାନ୍ତି ।

ପାଳନ ସମୟ :
ପଶ୍ଚିମ ଓଡ଼ିଶାର ଏହି ମହାନ ଗଣପର୍ବ ମୁଖ୍ୟତଃ “ଲଗନ୍‌’ (ଲଗ୍ନ) ଧାର୍ୟ୍ୟ ଅନୁସାରେ ପାଳନ କରାଯାଏ । ଭାଦ୍ରବ ମାସ ଶୁକ୍ଲପକ୍ଷ ପଂଚମୀ ତିଥିରେ ଅର୍ଥାତ୍‌ ଗଣେଷ ପୂଜାର ଠିକ୍‌ ପର ଦିନ ହିଁ ଏହାର ପୂଜା ପାଳନ ହୋଇଥାଏ । ଯଦିଓ କଳାହାଣ୍ଡିର କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା ଗାଁରେ ଭାଦ୍ରବ କୃଷ୍ଣପକ୍ଷ ଅମାବାସ୍ୟା ଦିନ ନବାନ୍ନ ଉକ୍ତ ଲଗ୍ନର ଧାର୍ୟ୍ୟ ସମୟର ପୂର୍ବରୁ ପାଳନ କରିଥାଆନ୍ତି । ଅଲେଖ ମହିମା ଧର୍ମାବଲମ୍ବୀମାନେ ପ୍ରାୟ ପନ୍ଦର ଦିନ ପୂର୍ବରୁ ପୂର୍ଣ୍ଣିମା ଦିନ ଏହା ପାଳନ କରିଥାଆନ୍ତି । କେତେକ ଗଡ଼ଜାତ ଅଂଚଳରେ ଯେମିତି କି, କଳାହାଣ୍ଡିର ଭବାନୀପାଟଣା ସହର ଓ ମଦନପୁର ରାମପୁର ସହରରେ ଭାଦ୍ରବ ଶୁକ୍ଲପକ୍ଷ ଦଶମୀ ଦିନ ତାଙ୍କର ନୂଆଁ ଖାଇଥାନ୍ତି ।

ପଶ୍ଚିମ ଓଡ଼ିଶାର ଏହି ଗଣପର୍ବ ୧୯୯୧ ପୂର୍ବରୁ ନିଜ ନିଜ ଧାର୍ୟ୍ୟ ସମୟ ମୁତାବକ ରାଜା-ରାଜୁଡ଼ାଙ୍କ ଅନୁସାରେ ପାଳନ ହେଉଥିଲେ ବି ଲୋକଙ୍କ ଭାବାବେଗ, ସାଂସ୍କୃତିକ ଓ ଐତିହ୍ୟର ଏକତାକୁ ଦୃଷ୍ଟିରେ ରଖି ତକ୍ରାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହାକୁ ବିଧିବଦ୍ଧ ଭାବେ ଏକ ଲଗ୍ନ ଧାର୍ୟ୍ୟର ଆଦେଶ ଦେଇ ସାମୂହିକ ନୂଆଁଖାଇ କିଭଳି ପାଳନ କରାହେବ ତାହାର ବିଚାର ବିମର୍ଶ କଲେ ଓ ସାରା ଓଡ଼ିଶାରେ ସରକାରୀ ଓ ବେସରକାରୀ ସ୍ତରରେ ଉକ୍ତ ଦିନକୁ ଛୁଟି ଘୋଷଣା କଲେ ।

ପୂଜାବିଧି :
ଏହି ପର୍ବର ୧୫ ଦିନ ପୂର୍ବରୁ ଘରର ମହିଳା ମାନେ ଘରର ସମସ୍ତ ନିତ୍ୟ ବ୍ୟବହାର୍ୟ୍ୟ ଦ୍ରବ୍ୟ ଯଥା ଟୁପା, ଭୁଗା, ଖଟ, ପିଢ଼ାକୁ ଘର ପାଖ ଯୋର୍‌, ନାଳ କିମ୍ବା ପୋଖରୀରେ ଧୋଇଥା’ନ୍ତି । ମାଟି ଘରକୁ ଲିପାପୋଛା କରିଥା’ନ୍ତି । ପଶ୍ଚିମ ଓଡ଼ିଶାରେ ଏକ ନିର୍ଦ୍ଦିଷ୍ଟ ଲଗ୍ନ ଧାର୍ୟ୍ୟ କରାଯାଇ, ସେହି ସମୟରେ ହିଁ ଇଷ୍ଟଦେବା ଦେବୀଙ୍କ ପୀଠରେ ପ୍ରଥମେ ଅନ୍ନ ଲାଗି ହୁଏ । ମାଁ ସମଲେଇ, ପାଟଣେଶ୍ୱରୀ, ସୁରେଶ୍ୱରୀ, ମାଣିକେଶ୍ୱରୀ ପରି ପଶ୍ଚିମ ଓଡ଼ିଶାର ପ୍ରମୁଖ ଦେବୀପୀଠ ମାନଙ୍କରେ ଭୋଗ ଲାଗିଥାଏ । ସେହିଭଳି ପଶ୍ଚିମାଂଚଳର ଗାଁ ମାନଙ୍କରେ ଗାଁର ଇଷ୍ଟ ଦେବଦେବୀଙ୍କୁ ସର୍ବ ପ୍ରଥମେ ଝାଁକର ଭୋଗ ଦେଲା ପରେ ପ୍ରତି ଘରେ ଥିବା ଇଷ୍ଟଦେବଦେବୀଙ୍କୁ ଘରର ମୁଖ୍ୟ ନୂଆଁ ଅନ୍ନ ଲାଗି କରିଥାନ୍ତି । ସକାଳ ବେଳା ସୁଦ୍ଧିସ୍ନାନ କଲାପରେ ଘରର ମୁଖ୍ୟ ଆଁଟ କିମ୍ବା ଢାଲୁ ଅଂଚଳରେ ହୋଇଥିବା ସରିଆଁ ଧାନକୁ ପୂଜା ବିଧି ଓ ଗୋରସ ତର୍ପଣ କରି, ହାତରେ କୁଲ୍‌ଜି (ଛିଣ୍ଡାଇ) ଥାଏ । ଜଙ୍ଗଲରୁ କୁରେ (କୁରେଇ) ପତ୍ରକୁ ତୋଳି ଆଣିଥାନ୍ତି । କେତେକ ସମ୍ପ୍ରଦାୟର ଲୋକେ ରେଙ୍ଗାଲ୍‌ (ଶାଳ), ମହୁଲ, ଫଲ୍‌ସା (ପଳାଶ), ଭେଲୁଆଁ ପତ୍ରକୁ ନିଜର ଇଷ୍ଟ ଦେବୀ ପାଖରେ ପୂଜାର ଆଧାର ସ୍ୱରୂପ ରଖିଥା’ନ୍ତି । ଚୂଡ଼ା, ଅରୁଆ ଚାଉଳରେ ଅରିସା ପିଠା, ଗୁଡ଼, ନଡିଆ ଦେଇ ଜୁଖା (ଖେଚୁଡ଼ି)କୁ ଇଷ୍ଟ ଦେବଦେବୀଙ୍କ ଠାରେ ଧୂପ, ଦୀପ ଦେଇ ପୂଜା କରିଥାନ୍ତି । ଗାଇ ଗୁହାଳରେ ମଧ୍ୟ ଧୂପଦୀପ, ଅକ୍ତା ବଢାଯାଏ । ଯେହେତୁ ଏଇ ନବାନ୍ନ ବା ନୂଆଁଖାଇ ହେଉଛି ଭାଇଚାରାର ସଂପ୍ରତି, ସୌହାର୍ଦ୍ୟର ପ୍ରତୀକ । ତେଣୁ ସମସ୍ତେ ପୂଜା ସ୍ଥଳରେ ଉପସ୍ଥିତ ରହି ଇଷ୍ଟ ଦେବଦେବୀ ତଥା ପୂର୍ବାପୁର୍‌ଷା (ପିତୃ ପୁରୁଷ)ଙ୍କୁ ଆବାହନ କରି ପ୍ରକୃତି ତଥା ମାଟିକୁ କୃତଜ୍ଞତା ସ୍ୱରୂପ ଅମଳର ପ୍ରଥମ ଶସ୍ୟ ଅର୍ପଣ କରିଥାନ୍ତି । କେତେକ ସ୍ଥାନରେ ପରମ୍ପରା ଅନୁସାରେ ଗୁର୍‌ଜି (ଏକ ପ୍ରକାର ଶସ୍ୟ) ଢେଙ୍କିରେ କୁଟି (ପେଶି) ଅର୍ପଣ ମଧ୍ୟ କରାଯାଇଥାଏ ।

ଏହା ପରେ ଘରର ସମସ୍ତ ସଦସ୍ୟ ଏକାଠି ଇଷ୍ଟ ଦେବଙ୍କୁ ମୁଣ୍ଡିଆ, ପ୍ରଣିପାତ କରି ଚୁରା କୁଁଣା ଖାଇ ସାରିଲା ପରେ, ଗୁରୁଜନଙ୍କୁ “ଜୁହାର ଭେଟ୍‌’ ହୁଅନ୍ତି । ଛୋଟମାନଙ୍କୁ ବଡ଼ମାନେ ଆଶୀର୍ବାଦ ଦେଇ ଦୀର୍ଘ ଓ ସୁଖୀ ଜୀବନର କାମନା କରନ୍ତି । ସମଧର୍ମା ମାନେ “ଜିଁ ଜାଗିଥିଲେ ବଛ୍‌ରେ’ କହି ଜୁହାର୍‌ ଭେଟ୍‌ ହୋଇ ପରସ୍ପରକୁ ଆଲିଂଗନ କରନ୍ତି । ସଦସ୍ୟଙ୍କ ପଂକ୍ତି ଭୋଜନ ଓ ଜୁହାର୍‌ ଭେଟ୍‌ ଏକ ନିଆଁରା ଦୃଶ୍ୟ ପାଲଟେ । କେତେକ ଗାଁରେ ଗାଁର ସମସ୍ତ ପରିବାର ଏକାଠି ନୂଆଁ ଖାଇବା ମଧ୍ୟ ପରମ୍ପରା ରହିଛି । ସାମ୍ପ୍ରତିକ ଯୁଗର ଅଣୁ ପରିବାରର ଆଧିପତ୍ୟକୁ ଅନ୍ତତଃ ବର୍ଷକୁ ଥରେ ଏହି ପଂକ୍ତି ଭୋଜନ ପୂର୍ବକାଳର ଯୌଥ ପରିବାର ଓ କୃଷିଭିତ୍ତିକ ସଭ୍ୟତାକୁ ମନେ ପକେଇ ଦିଏ । ନୂଆ ବସ୍ତ୍ର, ନୂଆ ଲୁଗା ଓ ନୂଆ ମନରେ ପାଳନ ହେଉଥିବା ଏହି ଗଣପର୍ବ ପରସ୍ପର ଭିତରେ ଥିବା ହିଂସା, ଦ୍ୱେଷ, ଘୃଣା, ପରଶ୍ରୀକାତରତା, ଅପ୍ରେମକୁ ଶ୍ରଦ୍ଧା, ପ୍ରେମ, କରୁଣା, ସଦ୍ଭାବ, ସନ୍ତୁଷ୍ଟି ଓ ସହଯୋଗିତା ରୂପକ ମାନବୀୟ ଗୁଣକୁ ରୂପାନ୍ତରିତ କରିଥାଏ । ବନ୍ଧୁ ବାନ୍ଧବ ମାନେ ପରସ୍ପର ଘରକୁ ତିହାରି (ଚାଉଳ, ଡାଲି, ଲୁଣ, ମରିଚ, ପିଆଜ) ନେଇ ଯାଇଥାନ୍ତି । ଏହି ଭାଇଚାରାର ପର୍ବକୁ ପାଳନ କରିବା ସକାଶେ ଯିଏ ଯେତେ ଦୂରରେ ଥିଲେ ବି ଘରର ସଦସ୍ୟ ମାନେ ଏହି ନିର୍ଦ୍ଦିଷ୍ଟ ଦିନରେ ଏକାଠି ହୁଅନ୍ତି । ହଜାର ହଜାର କିଲୋମିଟର ଦୂରରେ ଥିବା ଦେଶାନ୍ତରୀ ସନ୍ତାନଟି ତା’ ମା’ର କୋଳକୁ ଫେରି ଆସେ । ଆଜି ଏହି ପର୍ବ କେବଳ ପଶ୍ଚିମ ଓଡ଼ିଶା ନୁହେଁ ବରଂଚ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରକୁ ବ୍ୟାପୀ ଗଲାଣି । ଏହାର ସକାରାତ୍ମକ, ଆତ୍ମୀୟ ଓ ଏକତାର ବାସ୍ନାରେ ସମସ୍ତ ଲୋକ ଆଘ୍ରାଣ କରି ବିଭୋର ହେଲେଣି । “ପରବାସୀ କୁଟୁମ୍‌’ ମାନେ ବିଦେଶରେ ଥାଇ ପାଳନ କଲେଣି ନୂଆଁଖାଇ । ତାମିଲ୍‌ଙ୍କ ପୋଙ୍ଗଲ୍‌, କେରଳୀଙ୍କର ଓନାମ୍‌, ତେଲୁଗୁଙ୍କ ଉଗାଡ଼ି, ପଞ୍ଜାବିଙ୍କ ବୈଶାଖୀ, ଲୋହରି, ଅହମିଆଙ୍କ ବିହୂ ପରି କୃଷିଭିତ୍ତିକ ଏହି ନୂଆଁଖାଇ ପର୍ବଟି ପଶ୍ଚିମ ଓଡ଼ିଶାର ଏକ ସାଂସ୍କୃତିକ, ଭାବଗତ, ଭାଷାଗତ ଓ ପାରମ୍ପରିକ ସୌହାର୍ଦ୍ୟ, ସ୍ନେହ, ସହାଚାର୍ୟ୍ୟ, ସପ୍ରେମ ଓ ଭାଇଚାରାର ପର୍ବ ।

ନୂଆଁଖାଇର ବାସି :
ଏହା ହେଉଛି ନୂଆଁଖାଇର ପରବର୍ତ୍ତୀ ଦିନ ଏବଂ ଏହା ହେଉଛି ପରିବାର ଏବଂ ଜନସାଧାରଣ ପାଇଁ ଅତି ଆମୋଦର ଦିନ । କାରଣ ଏହି ଦିନରେ ଘରେ ଘରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ଯଥା ମାଛ, ମାଂସ, ଖୀରି ପୁରିରେ ନିଜକୁ ଆପ୍ୟାୟିତ କରିଥାନ୍ତି । ଗାଁର ଯୁବକ ଯୁବତୀ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ତଥା ଖେଳକୁଦର ଆୟୋଜନ କରି ଏହି ପର୍ବକୁ ଆନନ୍ଦ ଓ ଉଲ୍ଲାସର ସହିତ ଉପଭୋଗ କରିଥା’ନ୍ତି । କେବେ କେଉଁ ଅମୃତ ଲଗ୍ନରେ ପ୍ରକୃତିର ସନ୍ତାନ ଆଦିବାସୀ ଠୁ ଉତ୍ପତ୍ତି ଲଭି ସାରା ମନୁଷ୍ୟ ଜାତିକୁ ପରିବ୍ୟାପ୍ତ ହେଉଥିବା ଓ ମଣିଷର ପରସ୍ପର ଭିତରେ ଥିବା ଏକତାର ରଜ୍ଜୁକୁ ଆହୁରି ସଶକ୍ତ, ସୁଦୃଢ ଓ ସମର୍ଥ କରୁଥିବା ‘ନୂଆଁଖାଇ’ ଯେ ଆହୁରି ଆହୁରି ଜଗତସାରା ସମ୍ପ୍ରସାରିତ ଓ ପାଳିତ ହେବ ଏହା କହିବା ବାହୁଲ୍ୟ ମାତ୍ର । ମଙ୍ଗଳକର ଏହି ପର୍ବଟି ଏବେ ଗୋଟିଏ ସୀମିତ ଅଂଚଳର ଭାବଧାରା, ସଂସ୍କୃତି, ଐତିହ୍ୟ ଓ ମାଟି ମା’ର ଅସ୍ମିତାକୁ ନୃତ୍ୟୁର ଛନ୍ଦରେ, ଗୀତର ତାଳରେ, ଲୟରେ, ଢୋଲ୍‌ ମହୁରୀ, ତାସା, ନିଶାନ୍‌, ଢାପ୍‌, ମାନ୍ଦଲ, ପଏଁରୀ, ପାଏଁଝଲ, ଖଗଲା, ବନ୍ଧରିଆ, ଝୁମ୍‌କା, ଗୁନା ଓ ରଙ୍ଗ ବେରଙ୍ଗର ଲୁଗାପଟାରେ ତଥା ଘରର ଲିପାପୋଛାରେ ଗୁଞ୍ଜରିତ ହେଉଛି । ନୂଆ ଆବେଗ, ନୂଆ ଭାବ, ନୂଆ ମହକ, ନୂଆ ମନ ଓ ନୂତନ ସମ୍ଭାବନା ନେଇ ଆସନ୍ତୁ ସମସ୍ତେ କହିବା- “ନୂଆଖାଇ ଜୁହାର୍‌’ । ଜିଁ ଜାଗିଥିଲେ ବଛ୍‌ରେ ।

ଉପର୍‌ ନୂଆଁଗାଁ, ମାଣିକେରା
ମ. ରାମପୁର, କଳାହାଣ୍ଡି – ୭୬୬୧୦୨
ମୋ.ନଂ.- ୯୪୩୯୧୧୯୩୩୯

Leave A Reply

Your email address will not be published.

two × 1 =