jayashree

ଟିଟିଲାଗଡରେ ଧୁମ୍‌ଧାମ୍‌ରେ ପାଳିତ ହେଲା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ସାରା ଓଡ଼ିଶା ଚଳଚଞ୍ଚଳ ହୋଇପଡିଛି । ଟିଟିଲାଗଡ ସହରରେ ମଧ୍ୟ ଏହି ନୂଆଁଖାଇ ପର୍ବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ପ୍ରଥମେ ଟିଟିଲାଗଡର ଅଧିଷ୍ଠାତ୍ରୀ ଦେବୀ ମା’ ଘଣ୍ଟାଶୁଣିଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ବିଭିନ୍ନ ପରିବାର ପକ୍ଷରୁ ନୂଆଁଖାଇର ଆୟୋଜନ ହୋଇଥିଲା ।

ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ରଘୁନାଥପଡ଼ାର କୋଷଲି କବି ଟିକେଲାଲ ବେହେରାଙ୍କ ଘରକୁ ଯାଇ ଆମ ଟିମ୍‌ ନୂଆଁଖାଇ ପରମ୍ପରା ସହ କିଭଳି ସମସ୍ତେ ଏକଜୁଟ ହୋଇ ଏହି ନୂଆଁଖାଇ ପର୍ବ ପାଳନ କରନ୍ତି ତାହା ଦେଖିଥିଲେ । ପ୍ରଥମେ ଶ୍ରୀ ବେହେରା ପରିବାର ପକ୍ଷରୁ ନିଜର ପୂଜା ଘରେ ଇଷ୍ଟ ଦେବୀଙ୍କୁ ଭୋଗ ଲଗାଇ ସମସ୍ତେ ଗୋଟିଏ ସ୍ଥାନରେ ବସି ଭୋଗ ଲାଗି ଥିବା ନୂତନ ଚୁଡ଼ା ପ୍ରସାଦ ଗ୍ରହଣ କରିବା ପରେ ଘରର ଗୁରୁଜନମାନଙ୍କୁ ମୁଣ୍ଡିଆ ମାରି ନୂଆଁଖାଇ ଜୁହାର କରିଥିଲେ । ତା’ପରେ ସମସ୍ତେ ଏକାଠି ବସି ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକାରର ଖାଦ୍ୟକୁ ଗ୍ରହଣ କରିଥିଲେ । ପିଠାପଣା ସାଙ୍ଗକୁ ଭାତ୍ ଏବଂ ବହୁତ କିସମର ତରକାରୀ ପ୍ରସ୍ତୁତ ହୋଇଥିଲା । ନୂଆଁଖାଇ ପର୍ବର ଏ ହେଉଛି ମାଧୂର୍ଯ୍ୟ । ଯିଏ ଯେଉଁଠି ରହୁ ଏହି ନୂଆଁଖାଇ ପାଳନ କରିବା ପାଇଁ ସମସ୍ତେ ଘରକୁ ଫେରି ଥାଆନ୍ତି । ପଶ୍ଚିମ ଓଡ଼ିଶାର ଏ ହେଉଛି ସବୁଠୁ ବଡ଼ ପର୍ବ । ଏକଜୁଟ୍‌ ହୋଇ ନୂଆଁ ଖାଇବା ସାଙ୍ଗକୁ ସମ୍ବଲପୁରୀ ଗୀତର ତାଳେ ତାଳେ ସମସ୍ତେ ନଚିବା ମଧ୍ୟ ଆହୁରି ବଡ଼ ଖୁସି । କୋଶଲି କବି ଟିକେଲାଲ ବେହେରା କିଭଳି ନୂଆଁଖାଇ ପାଳନ କରାଯାଏ, ପରମ୍ପରା କ’ଣ କ’ଫ ରହିଛି ସେ ବିଷୟରେ ଅବଗତ କରାଇଥିଲେ ।

Leave A Reply

Your email address will not be published.