ଯୁବତୀମାନଙ୍କ ଦ୍ଵାରା ନିଆରା ଢଙ୍ଗରେ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନୂଆଁଖାଇ ଦିନ ସନ୍ଧ୍ୟାରେ ବରଗଡ଼ ନିକଟସ୍ଥ ଦେଓଗାଁ ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କେବଳ ମହିଳାମାନଙ୍କୁ ନେଇ ସୃଜନୀ ସାଂସ୍କୃତିକ କଳା ପରିଷଦ ଆନୁକୂଲ୍ୟରେ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ରିଙ୍କି ବାରିକ ସଭାପତିତ୍ବ କରିଥିବା ବେଳେ ସିନେ ଅଭିନେତ୍ରୀ ଡ.ତପସ୍ଵୀନି ଗୁରୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଆଡ଼ଭୋକେଟ ଜୟଶ୍ରୀ ମହାପାତ୍ର ଯୋଗଦେଇଥିବା ବେଳେ ବିଶିଷ୍ଟ ସାହିତ୍ୟିକା ସଙ୍ଗୀତା ପଣ୍ଡା ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ମାନେ ନୂଆଁଖାଇର ପରମ୍ପରା, ସଂସ୍କୃତି, ଭାଷା ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ଅତିଥି ପରିଚୟ ସୁଶ୍ରୀ ଅର୍ପିତା ମେହେର ଦେଇଥିବା ବେଳେ ସୁଶ୍ରୀ ଶିଖା ପଟେଲ ସଂପାଦକୀୟ ବିବରଣୀ ପାଠ କରିଥିଲେ । ସୁଶ୍ରୀ ରୀନା ଦାଶ ପୂଜ୍ୟପୂଜା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁଶ୍ରୀ ପ୍ରିୟାରାଣୀ ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗ୍ରାମର ଚାଷୀ, ସ୍ବାସ୍ଥ୍ୟ କର୍ମୀ, ସାମରିକ ଅଧିକାରୀ, ବୟୋଜ୍ୟେଷ୍ଠ ବ୍ୟକ୍ତି, କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଷଦର ମହିଳା ସଦସ୍ୟମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଯାହାକୁ ଉପସ୍ଥିତ ଗ୍ରାମବାସୀ ଉପଭୋଗ କରିଥିଲେ ।

Leave A Reply

Your email address will not be published.