ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଘୋଡ଼ାର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ଦାନ ମାଝୀ ଓ ଅଇଁଲା ମାଝୀ ଝୁପୁଡ଼ି ଘର କରି ରହୁଥିଲେ । ପେଟ ପୋଷିବା ପାଇଁ ଛୋଟିଆ ହୋଟେଲ କରି ଜୀବିକା ନିର୍ବାହ କରୁଥିଲେ । ଆଜି ସକାଳେ କୌଣସି କାରଣ ବସତଃ ନିଆଁ ଲାଗି ସେ ଭିତରେ ଥିବା ହୋଟେଲ୍ ସାମଗ୍ରୀ, ଆଧାର କାର୍ଡ, ଜମି ପଟ୍ଟା, ଗ୍ରାଇଣ୍ଡର, ଗୃପ ଋଣ ଉଠାଇଥିବା ୪୦ ହଜାର ଟଙ୍କା ପୋଡ଼ି ପାଉଁଶ ହୋଇଥିବା ନେଇ ଦମ୍ପତି ସୂଚନା ଦେଇଛନ୍ତି । ଗ୍ରାମର ସରପଞ୍ଚଙ୍କ ପ୍ରତିନିଧି ମଣ୍ଟୁ ବାଗ ଟିଟିଲାଗଡ଼ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ । ପାଖରେ ଯାଇଥିବା ବିଦ୍ୟୁତ ବିଭାଗର ମେନ୍ କେବୁଲରେ ମଧ୍ୟ ନିଆଁ ଲାଗିଥିଲା । ବିଦ୍ୟୁତ ବିଭାଗକୁ ମଧ୍ୟ ଖବର ଦେଇ ବିଦ୍ୟୁୁତ ସଂଯୋଗ କଟା ଯାଇଥିଲା । ଅଗ୍ନିଶମ କର୍ମଚାରୀଙ୍କ ଚେଷ୍ଟା ସତ୍ତ୍ଵେ ଜିନିଷ ସବୁ ପୋଡ଼ି ପାଉଁଶ ହୋଇଯାଇଛି । ଗୋଟିଏ ଗରିବ ଦମ୍ପତି ଏବେ ରୋଜଗାର ହରାଇଥିବା ଯୋଗୁଁ ଏମାନଙ୍କ ପ୍ରତି ସରକାର କିଛି ସହାୟତା ପ୍ରଦାନ କରିବାକୁ ଦାବୀ ହେଉଛି ।