ପୁରୁଣା ପେନସନ୍‌ ଦାବୀ ନେଇ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ଅକ୍ଟୋବର ୧୫ ତାରିଖ ବ୍ଲକ ଘେରାଉ ନିଷ୍ପତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର (ଏନ୍‌ପିଏସ୍‌) ଆଜି ରାଧାରମଣ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାଗ ନେଇଥିବା ସମସ୍ତ ସଂଘର ସଭ୍ୟ/ସଭ୍ୟା ସରକାରଙ୍କର ନୂତନ ପେନସନ୍‌ ଯୋଜନାକୁ ବିରୋଧ କରିବା ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ଓ ପର୍ଯ୍ୟାଲୋଚନା କରି ବିଭିନ୍ନ ମତ ରଖାଯାଇଥିଲା । ଏଥିରେ ସମସ୍ତ ସଭ୍ୟ/ସଭ୍ୟାଙ୍କ ସହମତି କ୍ରମେ ଜିଲ୍ଲା ସଂଘର ନିର୍ଦ୍ଦେଶ କ୍ରମେ ପୁରୁଣା ପେନସନ୍‌ ଲାଗୁ କରିବା ଦାବୀ ନେଇ ବ୍ଲକ ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ଆଇନମନ୍ତ୍ରୀଙ୍କୁ ଦାବୀପତ୍ର ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସରକାର ନୂତନ ପେନସନ୍‌ ସ୍କିମ ଲାଗୁ କରିବା ଫଳରେ ସରକାରଙ୍କ କର୍ମଚାରୀ ଶୋଷଣ ନୀତି ସ୍ପଷ୍ଟ ହୋଇଯାଇଛି ବୋଲି ମତ ପ୍ରକାଶ ପାଇଛି । ନିଜ ରାଜସ୍ୱକୁ ବଳକା କରିବା ଆଳରେ ରାଜ୍ୟ କର୍ମଚାରୀମାନଙ୍କ ପେନସନ୍‌କୁ ବନ୍ଦ କରି ଦିଆଯାଇଛି । ସରକାରୀ କର୍ମଚାରୀଙ୍କ ପେନସନ୍‌ ହକ୍ ବୋଲି କୁହାଯାଉଥିବା ବେଳେ ପେନସନ୍‌କୁ ବନ୍ଦ କରିବା, କର୍ମଚାରୀଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଥିବା ବେଳେ ଅବସର ପରେ କର୍ମଚାରୀମାନେ କେମିତି ଚଳିବେ ସଂଘ କର୍ମକର୍ତ୍ତାମାନେ ପ୍ରଶ୍ନ କରିଛନ୍ତି । ନିକଟ ଅତୀତରେ ଅବସର ଗ୍ରହଣ କରିଥିବା ଶିକ୍ଷକମାନେ ୬୦୦ ଟଙ୍କାରୁ ୧୮୦୦ ଟଙ୍କା ମଧ୍ୟରେ ପେନସନ୍‌ ପାଇଥିବା ନଜିର ଅଛି । ଏହି ପେନସନ୍‌ ଦେଇ ସରକାର କର୍ମଚାରୀଙ୍କ ସାମାଜିକ ରକ୍ଷଣାବେକ୍ଷଣରୁ ଓହରି ଯିବା ଦୁର୍ଭାଗ୍ୟଜନକ ବୋଲି ସଂଘ ପ୍ରକାଶ କରିଛି ।

୨୦୦୫ ପୂର୍ବରୁ ନିଯୁକ୍ତ ସରକାରୀ କର୍ମଚାରୀ ପେନସନ୍‌ ପାଇବା ପାଇଁ ହକ୍‌ଦାର ଥିବା ବେଳେ ହଠାତ୍ ସରକାର ୨୦୦୫ ପରେ ଚାକିରି କରୁଥିବା ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ନୂତନ ପେନସନ୍‌ ଯୋଜନା କାର୍ଯ୍ୟକାରୀ କରିବା ଦୁର୍ଭାଗ୍ୟଜନକ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଭାରତବର୍ଷର ବିଭିନ୍ନ ରାଜ୍ୟ ଯଥା ରାଜସ୍ଥାନ, ଛତିଶଗଡ, ଝାରଖଣ୍ଡ, ପଂଜାବ କର୍ମଚାରୀଙ୍କ ଆବେଗକୁ ବିଚାର କରି ନୂତନ ପେନସନ୍‌ ଯୋଜନାକୁ ଉଚ୍ଛେଦ କରି ପୁରଣା ପେନସନ୍‌ ଯୋଜନା ଲାଗୁ କରିଛନ୍ତି । ସରକାରୀ କର୍ମଚାରୀ ସରକାରର ଗୋଟିଏ ଅଙ୍ଗ । ପେନସନ୍‌ ସେମାନଙ୍କର ଅଧିକାର । ପୁରୁଣା ପେନସନ୍‌ରୁ ସେମାନଙ୍କୁ ବଂଚିତ କରି ନୂତନ ପେନସନ୍‌ ଯୋଜନା ପ୍ରଚଳନ ସରକାରଙ୍କ ଏକ ଷଡଯନ୍ତ୍ର ଅଟେ ବୋଲି ମତ ପ୍ରକାଶ ପାଇଛି । ନୂତନ ପେନସନ୍‌ ଯୋଜନା କର୍ମଚାରୀଙ୍କ ପାଇଁ ଏକ ଲଲିପପ୍ ବୋଲି ଚର୍ଚ୍ଚା ହେଉଛି । ନୂତନ ପେନସନ୍‌ ଯୋଜନାରେ ଅବସରପ୍ରାପ୍ତ କର୍ମଚାରୀ ନିଜର ଗଚ୍ଛିତ ଟଙ୍କା ଯୋଗୁଁ ମାତ୍ର ୬୦୦ରୁ ୧୮୦୦ ଟଙ୍କା ପାଇବା କେତେ ଦୂର ଯୁକ୍ତିଯୁକ୍ତ ଏବଂ ସରକାରଙ୍କର ଏ ସଂପର୍କରେ ଭୂମିକା ଏକ ବିରାଟ ପ୍ରଶ୍ନବାଚୀ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି ହୋଇଛି । ସରକାରଙ୍କ ଏଭଳି ଅବିମୃଶ୍ୟକାରିତା ସିଦ୍ଧାନ୍ତ ୨୦୦୫ ପରେ ସରକାରୀ କର୍ମଚାରୀଙ୍କୁ ହତୋତ୍ସାହିତ କରିବା ସହିତ ସରକାର ପୁରୁଣା ପେନସନ ନ ଦେଲେ ଆନ୍ଦୋଳନକୁ ଜୋରଦାର ଓ ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏ ପରିପ୍ରେକ୍ଷିରେ ବ୍ଲକର ସମସ୍ତ ପ୍ରାଥମିକ ଶିକ୍ଷକ (ଏନ.ପି.ଏସ୍ ଶିକ୍ଷକ, ଏକ୍ସ କେଡର ଶିକ୍ଷକ, କନିଷ୍ଠ ଶିକ୍ଷକ) ୧୫ ଅକ୍ଟୋବରରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ଆଇନମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯିବ ଏବଂ ଅକ୍ଟୋବର ୨୯ରେ ଜିଲ୍ଲାରେ ବ୍ଲକର ସମସ୍ତ ଶିକ୍ଷକ ଯୋଗ ଦେବା ପାଇଁ ସଂଘର ସଭାପତି କାମଳ ଲୋଚନ ସାହୁ, ସଂପାଦକ ବିଷ୍ଣୁ ଚରଣ ସାହୁ, ଏକ୍ସ କେଡରର ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତ୍ରିଲୋକ ସିଂ, ସମ୍ପାଦକ ମହେଶ ମଲ୍ଲିକ ମହାଦେବ ମେଶ୍ୱା, ଲମ୍ବୋଦର ପୃଷ୍ଟି, ଗଣେଶ ପଣ୍ଡା, ହେମନ୍ତ ବେହେରା, ପ୍ରଜ୍ଞାପରମିତା ବହିଦାର, ଅଞ୍ଜଳି ନାଏକ, ବିଶ୍ଵାମିତ୍ର ନାଗ, ନରେଶ ମେହେର, ଗନ୍ଧର୍ପ ପାତ୍ର ଏବଂ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.

error: Content is protected !!