jayashree

ଅନ୍ତର୍ଜାତୀୟ ନିଶା ଦ୍ରବ୍ୟର ବ୍ୟବହାର ଓ ଅବୈଧ ତସ୍କରୀ ନିରାକରଣ ଦିବସ ପାଳନ

  • ନିଶା ଦ୍ରବ୍ୟରକୁ ଅଭ୍ୟାସ ଓ ଅବୈଧ ତସ୍କରୀକୁ ରୋକିବା ନିମନ୍ତେ ସବୁ ସ୍ତରରେ ଆନ୍ତରିକ ଉଦ୍ୟମ ରହିବା ଆବଶ୍ୟକ – ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ସାମାଜିକ ସୁରକ୍ଷା ବିଭାଗ ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜିଲ୍ଲା ଅବକାରୀ ବିଭାଗ ଆନୁକୂଲ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆନ୍ତର୍ଜାତୀୟ ନିଶା ଦ୍ରବ୍ୟର ବ୍ୟବହାର ଓ ଅବୈଧ ତସ୍କରୀର ନିରାକରଣ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସଚେତନତା ସଭାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁର ଅମରେଶ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦାନ କରି ନିଶା ଦ୍ରବ୍ୟରକୁ ଅଭ୍ୟାସ ଓ ଅବୈଧ ତସ୍କରୀକୁ ରୋକିବା ନିମନ୍ତେ ସବୁ ସ୍ତରରେ ଆନ୍ତରିକ ଉଦ୍ୟମ ରହିବା ଆବଶ୍ୟକ ବୋଲି କହିବା ସହ ଆମେ ସମସ୍ତେ ନିଜ ନିଜ ସ୍ତରରେ ଏଥି ନିମନ୍ତେ ଯତ୍ନବାନ ହେବାକୁ ପରାମର୍ଶ କରିଛନ୍ତି । ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଡିଆର୍‌ଡିଏ ନିହାର ରଞ୍ଜନ କଁହରଙ୍କ ସଭାପତିତ୍ୱ ତଥା ପରିଚାଳନାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଏହି ସଚେତନତା ସଭାରେ ଅତିରିକ୍ତ ଜିଲ୍ଲପାଳ, ଶ୍ରୀମତୀ ନିଶି ପୁନମ ମିଞ୍ଜ, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ନିଶା ଦ୍ରବ୍ୟର କୁଅଭ୍ୟାସ ଓ ମାନବ ସମାଜ ଓ ବ୍ୟକ୍ତି ଜୀବନରେ ତାର ପ୍ରଭାବ ଓ ଭବିଷ୍ୟତ ତଥା ଅବୈଧ ତସ୍କରୀର ସାମାଜିକ ଜୀବନରେ କୁପ୍ରଭାବ ଉପରେ ନିଜ ନିଜର ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଶିକ୍ଷା କ୍ଷେତ୍ରରେ ନିଶାର ପ୍ରାଦୃଭାବକୁ ରୋକିବା ନିମନ୍ତେ ନିଆଯାଉଥିବା ବିଭିନ୍ନ ସଚେତନତା ଧର୍ମୀ ପଦକ୍ଷେପ ସହ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋକପାତ କରିଛନ୍ତି । ସେହିପରି ଅବକାରୀ ବିଭାଗ ନିରୀକ୍ଷକ ରାଧାକାନ୍ତ ଭୋଇ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ଅଧିକାରୀ, ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ, ସାମାଜିକ, ଅର୍ଥନୈତିକ ଓ ମାନସିକ ସ୍ତରରେ ନିଶା ବ୍ୟବହାର ଅପକାରିତା, ତଥା ନିଶା ବ୍ୟବହାର ଓ ଅବୈଧ ତସ୍କରୀ ନିମନ୍ତେ ଆଇନର ବିଭିନ୍ନ ଦିଗ ତଥା ନିବାରଣ ନିମନ୍ତେ ବିଭାଗୀୟ ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଛନ୍ତି । ରିସୋର୍ସ ପର୍ସନ ସାମାଜିକ କର୍ମୀ ରାଜୀବ ଲୋଚନ ନାୟକ, ବ୍ରହ୍ମ କୁମାରୀ ନମିତା, ଜୀବନ ଜ୍ୟୋତି ଯୁବକ ସଂଘ ପ୍ରକଳ୍ପ ସଂଯୋଜକ ପ୍ରମୁଖ ନିଶା ସେବନର ମାନବ ଜୀବନରେ କୁପ୍ରଭାବ ଓ ପରିଣତି ଏବଂ ଏହାର ନିବାରଣରେ ଆଧ୍ୟାତ୍ମିକ ଚିନ୍ତନର ଉପଯୋଗୀତା ଉପରେ ଗୁରୁତ୍ୱପୁର୍ଣ୍ଣ ସୂଚନା ପ୍ରଦାନ କରିବା ସହ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ନିଶା ସେବନ ଦ୍ୱାରା ମାନବ ଜୀବନରେ ତାର କୁପରିଣତିର ଏକ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଭିନ୍ନକ୍ଷମ ଅବିଭାବକ ସଂଘ, ତଥା ବିଭିନ୍ନ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଅଂଶଗ୍ରହଣ କରି ନିଶାଦ୍ରବ୍ୟ କାରବାର ତଥା ନିଶା ନିବାରଣ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ସଭା ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ତରଭା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ । ନିଶା ସେବନ ଦ୍ୱାରା କବଳିତ ହୋଇ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ନିଜକୁ ନିଶା ମୁକ୍ତ କରିପାରିଥିବା ଜିଲ୍ଲାର କିଛି ସଫଳ ବ୍ୟକ୍ତି ନିଜ ନିଜର ଅତୀତ ଜୀବନର ଅନୁଭୂତିକୁ ବଖାଣି ଥିବା ବେଳେ ସମସ୍ତେ ଏକଜୁଟ ହୋଇ ନିଶା ମୁକ୍ତ ସମାଜ ଗଠନ କରିବା ନିମନ୍ତେ ଏକ ଶପଥ ପାଠ କରାଯାଇଥିଲା । ଦିବସ ପରିପ୍ରେକ୍ଷୀରେ ଆଜି ସକାଳୁ ପୁରୁଣା ସୋନପୁର ଟାଉନ ହଲ ଠାରେ ପ୍ରକଳ୍ପ ନିର୍ଦେଶକ ଡିଆରଡିଏ ନିହାର ରଞ୍ଜନ କଁହର ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଏନ୍‌ସିସି, ଏନ୍‌ଏସ୍‌ଏସ୍‌ କ୍ୟାଡଟ, ବିଭିନ୍ନ ସ୍ୱେଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ଏକ ସଚେତନତା ରାଲି ଓ ନିଶା ନିବାରଣ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ସୁବର୍ଣ୍ଣପୁରର କାର୍ଯ୍ୟକର୍ତ୍ତା ତଥା ରାକେଶ କୁମାର ମିଶ୍ର, ଜନ୍ମେଜୟ ମହାକୁର, ଉମାକାନ୍ତ ହୋତା, ସମିକ୍ଷା ପୁରୋହିତ, ସୋନିଆ ବେହେରା, ଗୁପ୍ତେଶ୍ୱର ପଧାନ ଏବଂ ରେଆର, ରାଧା, ସଖି ଏବଂ ଏନ୍‌ଆର୍‌ଡିସିର ସ୍ଵେଚ୍ଛାସେବୀ ସଭାକୁ ସଫଳ କରିବାରେ ବିଶେଷ ସହଯୋଗ କରିଥିଲେ ।

Leave A Reply

Your email address will not be published.