ନିର୍ଯ୍ୟାତନା ଅଭିଯୋଗ : ଶାଶୁଘର ଆଗରେ ଧାରଣା ଦେଲେ ବୋହୂ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ୱାର୍ଡ ନଂ ୨ ମଧ୍ୟଖଣ୍ଡ ସାହି ବାସିନ୍ଦା ନାରାୟଣ ପଣ୍ଡା ଓ ପରିବାର ତାଙ୍କ ବୋହୂଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି । ଏନେଇ ଗତକାଲି ବୋହୂ ତନ୍ମୟୀ ପଣ୍ଡା ନିଜ ଶାଶୁ ଘର ଆଗରେ ଧାରଣା ଦେଇଛନ୍ତି । ଧାରଣାରେ ତନ୍ମୟୀଙ୍କ ଆଈ ସୁବାସିନୀ ମହାପାତ୍ର ବସିଥିବା ଦେଖିବାକୁ ମିଳିଛି । ତାଙ୍କୁ ତାଙ୍କ ଶାଶୁ, ନଣନ୍ଦ ବାରମ୍ବାର ନିର୍ଯ୍ୟାତନା ଦେଇ ଆସୁଥିବା ନେଇ ତନ୍ମୟୀ ବ୍ରହ୍ମପୁର ମହିଳା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ତନ୍ମୟୀଙ୍କ କହିବା ଅନୁଯାଇ ତାଙ୍କ ନିଜ ଘର ରଣଝାଲି ଓ ତାଙ୍କ ମାଆ ନଥିବା ବେଳେ ବାପା ଜଣେ ମାନସିକ ରୋଗୀ । ଏଥିପାଇଁ ମାମୁଁ ଘର ଲୋକେ ୨୦୨୦ରେ ହିନ୍ଦୁ ରୀତିନୀତି ଅନୁସାରେ ଗଞ୍ଜାମ ସହର ମଧ୍ୟଖଣ୍ଡ ସାହିର ନାରାୟଣ ପଣ୍ଡାଙ୍କ ପୁଅ ସୁଜିତ କୁମାର ପଣ୍ଡାଙ୍କ ସହ ବିବାହ କରିଥିଲେ । ସୁଜିତ ଦମକଳ ବାହିନୀରେ କାର୍ଯ୍ୟ କରୁଥିବା ବେଳେ ବିବାହର ଦୁଇ ମାସ ପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ତନ୍ମୟୀ । ତାଙ୍କ ସ୍ୱାମୀ ତାଙ୍କ ଭଉଣୀ ଓ ମା’ଙ୍କ କଥାରେ ପରିଚାଳିତ ହୋଇ ତାଙ୍କୁ ବିଭିନ୍ନ ସମୟରେ ମାରଧର କରିବାରୁ ସେ ତାଙ୍କ ମାମୁଁ ଘର ବ୍ରହ୍ମପୁର ରାମହରି ନଗର ସେକେଣ୍ଡ ଲାଇନକୁ ଚାଲି ଯାଇଥିଲେ । ପୁଣି ଏକ ମାସ ପରେ ସ୍ୱାମୀ ସୁଜିତ ତାଙ୍କ ମାମୁଁ ଘରକୁ ଯାଇ ସ୍ତ୍ରୀଙ୍କୁ ବୁଝାସୁଝା କରି ଅଲଗା ଘରଭଡା ନେଇ ଗୋପାଳପୁରରେ ରହିବାକୁ ନିଷ୍ପତି ନେଇଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ନିଜ ବାପା ମା’ଙ୍କ କଥାରେ ପୁଣି ଝଗଡା କରିଥିଲେ ବୋଲି ତନ୍ମୟୀ ଗଣମାଧ୍ୟମ ଆଗରେ କହିଛନ୍ତି । ବର୍ତମାନ ଯଦି ତାଙ୍କୁ ଶାଶୂଘର ଲୋକେ ଗ୍ରହଣ ନ କରନ୍ତି ତା’ହେଲେ ସେ ଯୌତୁକ ବାବଦରେ ନେଇଥିବା ୨୦ ଭରି ସୁନା ଓ ନଗଦ ଦୁଇ ଲକ୍ଷ କୋଡିଏ ହଜାର ଟଙ୍କା ଫେରସ୍ତ କରନ୍ତୁ ବୋଲି ତନ୍ମୟୀ ଗଣ ମାଧ୍ୟମ ଆଗରେ କହିଛନ୍ତି । ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିବା ସହ ପରିସ୍ଥିତି ଉତ୍ତେଜନାମୂଳକ ଥିବା ଜଣାପଡିଛି । ମଧ୍ୟାହ୍ନରେ ଗଞ୍ଜାମ ଥାନାରେ ନିଜ ଆଈ ସହ ପହଂଚିବା ପରେ ପୋଲିସ ଶ୍ୱଶୁର ଓ ସ୍ୱାମୀଙ୍କୁ ଡାକିଥିଲେ ସେଠାରେ କୌଣସି ସୁଫଳ ନ ମିଳିବାରୁ ସନ୍ଧ୍ୟାରେ ଧାରଣା ଦେଇଛନ୍ତି ତନ୍ମୟୀ । ଏନେଇ ତନ୍ମୟୀଙ୍କ ଶ୍ୱଶୁର କିମ୍ବା ସ୍ୱାମୀଙ୍କ ମତାମତ ମିଳି ପାରିନାହିଁ ।

Leave A Reply

Your email address will not be published.

error: Content is protected !!