ବରଗଡ଼ ପୌର ପରିଷଦ ନିର୍ବାଚନ : ବଢୁଛି ଉଷ୍ମତା ବୃଦ୍ଧି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ପୌର ପରିଷଦ ନିର୍ବାଚନ ପାଇଁ ଭୋଟ ଗ୍ରହଣ ତାରିଖ ଯେତିକି ପାଖେଇ ଆସୁଛି, ଗ୍ରୀଷ୍ମ ପ୍ରବାହର ତାତି ସାଙ୍ଗକୁ ପ୍ରଚାରର ଉଷ୍ମତା ମଧ୍ୟ ବୃଦ୍ଧି ପାଇଛି । ବରଗଡ଼ ସମେତ ବରପାଲି, ବିଜେପୁର ଏବଂ ପଦ୍ମପୁର ସହରରେ ଡିକବାଜି ଯନ୍ତ୍ର ଦ୍ବାରା ବିଭିନ୍ନ ରାଜନୈତିକ ଦଳର ପ୍ରଚାର କମ୍ପୁଛି । ସେହିପରି ବିଭିନ୍ନ ଦଳ ପକ୍ଷରୁ ଦିନ ତମାମ ବିଭିନ୍ନ ଓ୍ବାର୍ଡର ଗଳିକନ୍ଦିରେ ପ୍ରାର୍ଥୀମାନେ ଘରକୁ ଘର ଯାଇ ପ୍ରଚାର କରୁଛନ୍ତି । ସନ୍ଧ୍ୟା ବେଳକୁ ପ୍ରାର୍ଥୀମାନେ ବିଭିନ୍ନ ଓ୍ବାର୍ଡରେ ପଥପ୍ରାନ୍ତ ସଭା କରୁଥିବା ଦେଖିବାକୁ ମିଳୁଛି । ବରଗଡ଼ ପୌର ପରିଷଦ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରଚାର ମଙ୍ଗ ଧରିଥିବା ବେଳେ ତାଙ୍କୁ ସାପ୍ସସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ସୁଶାନ୍ତ ସିଂ ସହଯୋଗ କରୁଛନ୍ତି । ବିଜେପୁର ଓ ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦର ମଙ୍ଗ ବିଧାୟିକା ରୀତା ସାହୁ ରହିଥିବା ବେଳେ ମନ୍ତ୍ରୀ ସୁଶାନ୍ତ ସିଂ ମଧ୍ୟ ପ୍ରଚାରରେ ରହୁଛନ୍ତି । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜେଡି ପକ୍ଷରୁ ବିଧାୟକ ବିଜୟ ରଂଜନ ସିଂ ବରିହା ରହିଛନ୍ତି । ସେହିପରି ଭାରତୀୟ ଜନତା ପାର୍ଟିର ପକ୍ଷରୁ ବରଗଡ଼ ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ ବରଗଡ଼ ସାଂସଦ ସୁରେଶ ପୂଜାରୀ ପ୍ରଚାର କାର୍ଯ୍ୟର ନେତୃତ୍ବ ନେଇଛନ୍ତି । ସେହିପରି ପଦ୍ମପୁର ଅଞ୍ଚଳ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପ୍ରଚାର ମଙ୍ଗ ଧରିଥିବା ଜଣିପଡିଛି । କଂଗ୍ରେସ ଦଳ ପକ୍ଷରୁ ମଧ୍ୟ ପ୍ରଚାର ଆରମ୍ଭ କରିଛନ୍ତି । ଦଳର ପୁରୁଖା ନେତାମାନେ ଏଥର ପ୍ରଚାର ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ ନିପନ ଦାଶ, ପ୍ରଦୀପ ଦେବତା, ବରିଷ୍ଠ ନେତା ଯୁଗଲ ସିଂଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳୁଛି ।

Leave A Reply

Your email address will not be published.