ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଭାବରେ ପୂର୍ବତନ ଉପାଧ୍ୟକ୍ଷ ଯତୀନ୍ଦ୍ର ପଟେଲ ନିର୍ବାଚିତ ହୋଇଛନ୍ତି । ଅଧ୍ୟକ୍ଷ ପଦବୀ ପାଇଁ ହୀରାପୁର ପଞ୍ଚାୟତ ସମିତି ସଭ୍ୟ ଯତୀନ୍ଦ୍ର ପଟେଲ ଓ ଉପରବାହାଲ ସମିତି ସଭ୍ୟ ଝିଲି ସାହୁ ମନୋନୟନ ପତ୍ର ଦାଖଲ କରିଥିଲେ । ଫଳରେ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ କରାଯାଇଥିଲା । ୨୦ ଟି ପଞ୍ଚାୟତର ସମିତି ସଭ୍ୟଙ୍କ ମଧ୍ୟରୁ ଯତୀନ୍ଦ୍ରଙ୍କ ସପକ୍ଷରେ ୧୨ ଜଣ ଓ ଝିଲିଙ୍କ ସପକ୍ଷରେ ୮ ଜଣ ମତଦାନ କରିଥିଲେ । ସଂଖ୍ୟାଗରିଷ୍ଠ ସଦସ୍ୟ ଯତୀନ୍ଦ୍ରଙ୍କ ସପକ୍ଷରେ ଭୋଟ ଦେଇଥିବାରୁ ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆ ତାଙ୍କୁ ଲୋଇସିଂହା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ନେଇ ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଯେ ମାତ୍ର ଦୁଇଦିନ ପୂର୍ବରୁ ଅଧ୍ୟକ୍ଷ ଶ୍ରୀ ପଟେଲଙ୍କ ପିତୃ ବିୟୋଗ ଘଟିଥିଲା ।