jayashree

କରପା ସେବାଶ୍ରମ ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରଧାନ ସେବିକାଙ୍କୁ ନିଲମ୍ବିତ କଲେ ଜିଲ୍ଲା‌ପାଳ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କରପା ସରକାରୀ ପ୍ରାଥମିକ ସେବାଶ୍ରମର ଚତୁର୍ଥ ଶ୍ରେଣୀ ଛାତ୍ରୀ ରଶ୍ମିତା ନାଚିକାଙ୍କ ମୃତ୍ୟୁ ଘଟଣାର ରିପୋର୍ଟ ପାଇ ଜିଲ୍ଲାପାଳ ପାରୁଲ ପଟାୱାରି ସେବାଶ୍ରମର ମୁଖ୍ୟ ସେବିକା ବୈଜନ୍ତୀମାଳା ପଟ୍ଟନାୟକଙ୍କୁ ନିଲମ୍ବନ କରିଥିବା ଜଣାପଡିଛି । ଛାତ୍ରୀଙ୍କ ମୃତ୍ୟୁ ପରେ ଘଟଣାର ତଦନ୍ତ ରିପୋର୍ଟ ଆସିବାର ଗୋଟିଏ ଦିନ ପରେ ଜିଲ୍ଲାପାଳ ପ୍ରଧାନ ସେବିକାଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବନ ପରେ ମୁଖ୍ୟ ସେବିକାଙ୍କୁ ତୁରନ୍ତ ରାୟଗଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗ ଦେବାପାଇଁ କୁହାଯିବା ସହ ଉପଜିଲ୍ଲାପାଳଙ୍କ ବିନା ଅନୁମତିରେ ହେଡକ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଚତୁର୍ଥ ଶ୍ରେଣୀ ଛାତ୍ରୀ ରଶ୍ମିତା ବିଦ୍ୟାଳୟ ହଷ୍ଟେଲରେ ଥିବାବେଳେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ ଏବଂ ଚିକିତ୍ସିତ ହେଉଥିଲେ । କିନ୍ତୁ ହଠାତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀଙ୍କ ବାପା ସମ୍ବୁରୁ ନାଚିକାଙ୍କୁ ଡକାଇ ଝିଅକୁ ହସ୍ତାନ୍ତର କରିଦେଇଥିଲେ । ସମ୍ବୁରୁ ଝିଅର ଚିକିତ୍ସା ନିଜ ଘରେ ଗ୍ରାମ ବେଜୁଣିକୁ ଡକାଇ ପୂଜା ପାଠ କରାଇ ଚେରମୂଳି ଔଷଧ ଦେଇଥିଲେ । କିନ୍ତୁ ସ୍ୱାସ୍ଥ୍ୟବସ୍ଥା ନ ସୁଧୁରିବାରୁ ପ୍ରଥମେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ରଶ୍ମିତାଙ୍କୁ ରାୟଗଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କୋରାପୁଟର ଏସ୍‌.ଏଲ୍‌.ଏନ୍‌ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ରେଫର କରାଯାଇଥିଲା କିନ୍ତୁ ସେଠାରେ ଛାତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା ।

Leave A Reply

Your email address will not be published.