ଛତ୍ରପୁର ସହରର ଐତିହାସିକ ନନ୍ଦଉତ୍ସବ ଏକ ନିଆରା ପରମ୍ପରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ସମ୍ପନ୍ନ ହୋଇଛି । ମଥୁରାରୁ ଯାଇ ଗୋପପୁରରେ ପହଞ୍ଚିଛନ୍ତି କଳା କହ୍ନେଇ । ସେଠାରେ ନାଭିକଟା ନୀତି ସମ୍ପନ୍ନ ହୋଇଥାଏ । ତେବେ ତହିଁଆର ଦିନ ନନ୍ଦଉତ୍ସବ ପାଳିତ ହେବ । ସେହି ଅବସରରେ ଆଜକୁ ପ୍ରାୟ ୧୦୦ ବର୍ଷରୁ ଅଧିକ ବର୍ଷ ହେଲା ଛତ୍ରପୁର ସହରରେ ନନ୍ଦଉତ୍ସବ ଏକ ନିଆରା ପରମ୍ପରା ଭାବେ ଅକ୍ଷୁର୍ଣ୍ଣ ରହିଛି, ଯାହାକୁ କି ଉକ୍ତ ନନ୍ଦଉତ୍ସବକୁ ଏଠାକାର ଅଞ୍ଚଳବାସୀ ସାଧାରଣରେ ଦହି ଯାତରା ବୋଲି କୁହାଯାଏ । ଏହା ଛତ୍ରପୁର ସହରର ମୁଖ୍ୟ ସଡ଼କ ପଥରେ ରିକାପଲ୍ଲୀ ଛକ ଉପରେ ଏହି ଯାତ୍ରା ଅବା ନନ୍ଦ ଉତ୍ସବ ଆୟୋଜିତ ହୋଇଥାଏ । ରିକାପଲ୍ଲୀ ଛକ ଠାରୁ ଆୟୋଜକ କମିଟୀର ସଦସ୍ୟଗଣ ଓ ଉଦ୍ୟକ୍ତାଗଣ ସନ୍ଧ୍ୟାବେଳେ ଏକ ପଟୁଆରରେ ବାହାରି ରାଧାକୃଷ୍ଣ ମଠକୁ ଯାଇ ଗୁରୁଣ୍ଡି ଗୋପାଳଙ୍କୁ ଧରି କୁଞ୍ଜରେ ଧରି ଆସିଥାନ୍ତି । ପରେ ଯୁବ ଗୋପାଳଙ୍କୁ ଦହି ହାଣ୍ଡି ଧରିବା ପାଇଁ ଆହ୍ୱାନ କରିଥାନ୍ତି । ଗୋପାଳ ପୁଅ ବାଡି ଧରି ଦହି ହାଣ୍ଡିକୁ ଭାଙ୍ଗିବା ପାଇଁ ବହାରିଥାନ୍ତି । ଆମ୍ବଡାଳ ସହ ସୁସଜ୍ଜିତ ୩ଟି କାଠ ଖୁଣ୍ଟ ଭାଡ଼ିରେ ଅରଟରେ ଝୁଲା ଯାଇଥିବା ଦହି ହାଣ୍ଡିକୁ ତଳ ଉପର କରି ଅରଟ ସାହାଯ୍ୟରେ ଦଉଡ଼ିକୁ ଟାଣି ଖସାଇ ସାହୁକାର ବାବୁ ଝୁଲାକୁ ତଳ ଉପର କରି ଥାଆନ୍ତି । ହଣ୍ଡା, ଡ୍ରମ୍ରେ ଭରି ପାଣିରୁ ଗୋପ ସଖାଗଣ ପାଣି କାଢି ଛାଡୁଛନ୍ତି । ପାଣି ଛାଟ ମାଡ଼ ମାରି ଗୋପ ପୁଅକୁ ଦୋହଲାଇ ତା’ର ମନ ବିଗିଡାଇ ଦେଇଥାନ୍ତି, ଯେତେ ଯାହା ହେଲେ ମଧ୍ୟ ଗଉଡ଼ ପୁଅ ପାଣି ଛାଟ ମାଡ଼କୁ ଖାତିର ନ କରି ଶେଷରେ ଦହି ହାଣ୍ଡି ଭାଙ୍ଗି ଥାଏ ଓ ଶେଷ ପାଳିରେ ଝୁଲା ଦହି ହାଣ୍ଡିକୁ ଧରି ଦୁଇ ହାତରେ ଭିଡ଼ି ଧରି ଥାଏ । ଏଭଳି ପାଣି ଖେଳର ଦହି ଯାତରା ଯାହା ଛତ୍ରପୁର ସହରର ଐତିହାସିକ ନନ୍ଦଉତ୍ସବ ଏକ ନିଆରା ପରମ୍ପରା ଭାବେ ପରିଚିତ ହୋଇଆସିଛି ।

Leave A Reply

Your email address will not be published.