
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହରର ଐତିହାସିକ ଦୋଳପର୍ବ ଓଡ଼ିଶା ପ୍ରସିଦ୍ଧ ତଥା ରାଜ୍ୟର ଶ୍ରେଷ୍ଠ ପ୍ରଥମତମ ବୋଲି ଜନମାନସରେ ମାନ୍ୟତା ଲାଭ କରିଛି । ଯାତ୍ରା କମିଟୀ ଦ୍ଵାରା ପରିଚାଳିତ ହୋଇଆସିଥିବା ଐତିହାସିକ ଗଞ୍ଜାମ ସହରର ଦୋଳପର୍ବ ଦୋଳ ମେଲଣ ଯାତ୍ରା ପାରମ୍ପରୀକ ରୀତିନୀତିରେ ଚଳିତ ବର୍ଷ ସୋମବାର ସନ୍ଧ୍ୟାରେ ସମାହିତ ହୋଇଯାଇଛି । ପବିତ୍ର ଏହି ଋଷିକୁଲ୍ୟା ନଦୀ ଉପକୁଳବର୍ତ୍ତୀ ପାର୍ଶ୍ଵରେ ଅବସ୍ଥିତ ଥିବା ଗଞ୍ଜାମ ନଗରୀର ଦୋଳ ପରମ୍ପରାର ଏକ ନିଆରା ସମ୍ପନ୍ନ ଅଟେ । ଏହି ଯାତ୍ରାରେ ଆଖପାଖ ଅଞ୍ଚଳର ପ୍ରାୟତଃ ୬୦ଖଣ୍ଡ ଗ୍ରାମରୁ ଦୋଳ ଗୋବିନ୍ଦଙ୍କ ଲୀଳା ଖେଳ ଦେଖିବାକୁ ଗଞ୍ଜାମ ନଗରୀକୁ ଅଗଣିତ ଭକ୍ତଙ୍କ ସମାଗମ ହୋଇଥାଏ । ଫଗୁ ଦଶମୀଠାରୁ ଦୋଳ ପୂର୍ଣ୍ଣିମା ଯାଏଁ ଏଠାରେ ଦୋଳ ଯାତ୍ରା ସମ୍ଭାର ସମ୍ପାଦିତ ହୋଇଥାଏ । ତ୍ରୟୋଦଶୀ ଦିନ ରାତ୍ରୀରେ ସାହିଯାତ୍ରା ଏବଂ ଚତୃଦଶୀ ଦିନ ରାତ୍ରୀରେ ବଜାର ଯାତ୍ରା ଆୟୋଜିତ ହୋଇ ଦୋଳ ପୂର୍ଣ୍ଣିମା ଦିନ ମଧ୍ୟାହ୍ନ ସୁଦ୍ଧା ଯାତ୍ରା ପଡ଼ିଆରେ ଲକ୍ଷାଧିକ ଜନତାଙ୍କ ଗହଳ ଚହଳ ଲାଗି ରହିଥାଏ । ଦୋଳ ବିମାନରେ ରାଧାଗୋବିନ୍ଦ ଠାକୁର ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ମେଲଣ ସ୍ଥଳକୁ ବଜାର ଯାତ୍ରା ନିମନ୍ତେ ଆସି ଯେଝା ସ୍ଥାନର ବିରାଜମାନ କରିଥାନ୍ତି ଏବଂ ଦୋଳ ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ଫଗୁ ଖେଳି ଖେଳି ସବୁ ମଠ ମନ୍ଦିରକୁ ଦୋଳ ବିମାନରେ ରାଧାଗୋବିନ୍ଦ ଠାକୁର ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଫେରିଥାନ୍ତି । ଏଠାରେ ୧୭ ଗୋଟି ରାଧାକୃଷ୍ଣ ମନ୍ଦିରରୁ ଦୋଳ ବିମାନ ଆସିଥାଏ । ତନ୍ମଧ୍ୟରୁ ଗୋଟିଏ ଶୈବ ପୀଠ ଅବା ଶିବ ମନ୍ଦିରୁ ବୃଷଭ ବାହାନରେ ଶିବ ପାର୍ବତୀ ବିଜେ କରିଥାନ୍ତି । ଏହା ଯେ’ ହରି ଓ ହରଙ୍କ ଭେଟର ଏକ ନିଆରା ଭକ୍ତିଭାବର ପରମ୍ପରା ବୋଲି ଉଲ୍ଲେଖ ରହିଛି । ପାଞ୍ଚ ଦିନର ଏହି ଦୋଳ ସମ୍ଭାର ସମାରୋହ ଯାହାର ପରମ୍ପରା ଏକ ଅଭିନ୍ନ । ବାସ୍ତବିକ୍ ପ୍ରାଚୀନ କାଳରୁ ବୃନ୍ଦାବନରୁ ଏହି ପାଞ୍ଚଦିନ ପାଇଁ ଦୋଳ ଗୋବିନ୍ଦଙ୍କ ଦୋଳଯାତ୍ରା ଅନୁମତି ଅଣାଯାଇଥିବା ପ୍ରସଙ୍ଗ ଏକ ଐତିହାସିକ ଭକ୍ତିବାଦ ପରମ୍ପରାକୁ ସାଧାରଣରେ ଆଲୋଡ଼ିତ କରେ । ଇତି ମଧ୍ୟରେ ପ୍ରାୟତଃ ଯାତ୍ରା ମେଳଣରେ ଆଜିକାଲି ଲକ୍ଷାଧିକ ଭକ୍ତଙ୍କ ପଦାର୍ପଣ ହୋଇଥାଏ । ଦୋଳ ଗୋବିନ୍ଦ ଠାକୁର ତଥା ରାଧାକୃଷ୍ଣ ଯୁଗଳ ମୂର୍ତ୍ତିରେ ଫଗୁ ଢ଼ାଳି ଠାକୁରଙ୍କୁ ପ୍ରଣତି ଜଣାଇ ଲକ୍ଷାଧିକ ଭକ୍ତଜନ ବିଭୂକୃପା ଲାଭ କରିଥାଆନ୍ତି । ବାସ୍ତବିକ୍ ଐତିହାସିକ ଗଞ୍ଜାମ ସହରର ଦୋଳପର୍ବରେ ଦୋଳ ଗୋବିନ୍ଦଙ୍କ ନଗର ପରିଭ୍ରମଣ ଓ ମେଳଣ ଯାତ୍ରାରେ ଅନେକ ବିଧି ପରମ୍ପରା ଦୃଶ୍ୟମାନ ହୁଏ । ଯାହା ସାରା ଓଡ଼ିଶାରେ ବିରଳ ପଦବାଚ୍ୟା ଅଟେ । ଚିତ୍ତାକର୍ଷକ ଦୋଳ ବିମାନ ଗୁଡ଼ିକୁ ସୁଶୋଭିତ ଏବଂ ଏହାର ନିର୍ମାଣ ଶୈଳୀ ସ୍ଵତନ୍ତ୍ର ଅଟେ । ଗୋଟିଏ ଗୋଟିଏ ଦୋଳ ବିମାନ ଗୁଡ଼ିକ ବୃହତ୍ତମ, ଏକ ରଥ ଆକୃତିର ଦୋଳ ବିମାନକୁ କାନ୍ଧରେ ଧରିବାପାଇଁ ଛଅଜଣରୁ ଆଠ ଜଣ, ଅବା ୧୨ଜଣ ଲୋକ କାନ୍ଧରେ ବୋହି ନେଇଥାନ୍ତି । ପୁଣି ମେଳଣ ଦାଣ୍ଡ ସହରର ପୁରୁଣା ଜାତୀୟ ରାଜପଥରେ ପସରା ମେଲିଥା । ମେଳଣ ଯାତ୍ରାରେ ଗୀତିନାଟ୍ୟ, ଥିଏଟର, ଲୋକସଙ୍ଗୀତ, ଲୋକନୃତ୍ୟ, ଲଘୁସଙ୍ଗୀତର ନୃତ୍ୟ, ରେକର୍ଡ ଡ୍ୟାନସ୍, ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ପସରା, ଯଥା – ସହିଯାତ୍ରା, ବଜାର ଯାତ୍ରା, ମେଳଣ ଯାତ୍ରାରେ ସର୍ବମୋଟ ୧୭ ଗୋଟି ଦୋଳ କୁଞ୍ଜ ସ୍ଥାପନା ହୋଇଥାଏ । ସୂଚନା ଯୋଗ୍ୟ ଯେ’ ଫଗୁ ଦଶମୀଠାରୁ ଏକାଦଶୀ, ଦୋଳ ପୂର୍ଣ୍ଣିମା ଯାଏଁ ପ୍ରାୟ ପାଞ୍ଚ ଦିନ ପାଇଁ ବୃନ୍ଦାବନରୁ ବହୁ ପ୍ରାଚୀନ କାଳରୁ ଅନୁମତି ଅଣାଯାଇଥିବା ଏକ ବୈଚିତ୍ରମୟୀ ଅପୂର୍ବ ସମାରୋହର ପର୍ବ ଅଟେ । ଯାହାର ବର୍ଣ୍ଣନା ଅସୀମିତ ବୋଲି ଗଣନା କରାଯାଇଥାଏ । ମେଳଣ ପଡ଼ିଆର ଅଭାବକୁ ନେଇ ଏହାକୁ ଏକ ବର୍ଣ୍ଣାଢ଼୍ୟ ବୈଚିତ୍ରମୟୀ ସମାରୋହରେ ପାଳନ କରାଯିବା ନେଇ ସନ୍ ୧୭୮୩ ମସିହାରେ ତତ୍କାଳୀନ ବ୍ରିଟୀଶ୍ ଗଞ୍ଜାମ କଲେକ୍ଟର ସ୍ନାଡ୍ଗ୍ରସ୍ ଏହି ଯାତ୍ରା ପାଇଁ ଅନୁମୋଦନ କରିଥିବା କୁହାଯାଏ । ବିସ୍ତୀର୍ଣ୍ଣ ମେଲଣ ପଡ଼ିଆର ଅଭାବକୁ ଦୃଷ୍ଟିରେ ରଖି ସେତେବେଳର ୫ନମ୍ୱର ଜାତୀୟ ରାଜପଥରେ ଆୟୋଜନ କରିବା ପାଇଁ ଅନୁମୋଦନ କରିଥିଲେ । ପ୍ରାୟ ୪୮ଘଣ୍ଟା ପର୍ଯ୍ୟନ୍ତ ଏହି ଯାତ୍ରା ସମ୍ପନ୍ନ କରିବାକୁ ଏକ ତମ୍ବା ପଟ୍ଟାରେ ଅନୁମତି ପ୍ରଦାନ କରିଥିବା ପ୍ରମାଣ ରହିଛି । ଯାହାର ଏକ ମହନୀୟ ଇତିହାସ ଏବେ ବି ବିସ୍ମିତ କରେ । ପ୍ରାଚୀନ ଗଞ୍ଜାମ ସହରରେ କେଉଁ ଅନାଦି କାଳରୁ ବୈଷ୍ଣବ ସମ୍ମତ ଲୌକିକ ପରମ୍ପରା ରହିଛି, ଯାହା ଆଜି ବି ଗଞ୍ଜାମ ସହରରେ ପ୍ରାଚୀନ ମନ୍ଦିର, ମଠ ଗୁଡିକରୁ ଅନେକ ଐତିହାସିକ ପ୍ରମାଣ ମିଳେ । ଗଞ୍ଜାମ ନଗରୀରେ ରହିଛି ୩୬ଟିରୁ ଅଧିକ ରାଧାକୃଷ୍ଣ ମଠ, ମନ୍ଦିର, ସବୁ ସାହି, ଗଳି-କନ୍ଦିରେ ଦେଖିବାକୁ ମିଳେ ଏକାଧିକ ବୃନ୍ଦାବତୀ ଅବା ତୁଳସୀ ଚଉଁରା, ଏକାଧିକ, ଶୈବ ପୀଠ,ଏକାଧିକ ଜଗନ୍ନାଥ ମନ୍ଦିର ସତେ ଯେପରି ଏହା ଏକ ଦ୍ୱିତୀୟ ବୃନ୍ଦାବନ ଧାମ୍ ଅବା ଓଡ଼ିଶାର ଏହା ଦ୍ୱିତୀୟ ମନ୍ଦିର ମାଳିନୀ ନଗରୀ ଗଞ୍ଜାମ ସହର ବୋଲି ଲୋକମୁଖରେ ଖ୍ୟାତ । ଏଠାକୁ ଖ୍ରୀଷ୍ଟାବ୍ଦ ୧୫୧୩ରେ ଚୈତନ୍ୟ ମହାପ୍ରଭୁଙ୍କ ଆଗମନ ହୋଇଥିଲା । ମହାପ୍ରଭୁ ରଧାଗୋବିନ୍ଦ ମନ୍ଦିରରେ ପାଞ୍ଚଦିନ ଅବସ୍ଥାନ କରିଥିବା ଚୈତନ୍ୟ ମଠର ମଠାଧୀଶ ମହନ୍ତ ମହାରାଜ କହନ୍ତ । ଚୈତନ୍ୟ ମହାପ୍ରଭୁଙ୍କ ଆଗମନ ହୋଇଥିବାରୁ ପରବର୍ତ୍ତୀ ସମୟରେ ତାହା ଚୈତନ୍ୟ ମଠ ନାମରେ ଖ୍ୟାତି ଲାଭକରିଥିବା ଏକ ମହନୀୟ ମୂକସାକ୍ଷୀ ରହିଛି । ଏହି ସବୁରୀ ଆଧ୍ୟାତ୍ମିକ ବାତାବରଣ ସ୍ୱରୂପ ହିନ୍ଦୁଧର୍ମର ମହତ୍ତ୍ଵକୁ ପ୍ରତିପାଦନ କରିଆସିଥିବା ବେଳେ ଐତିହାସିକ ଗଞ୍ଜାମ ସହରର ଦୋଳପର୍ବ ରାଜ୍ୟର ଅନ୍ୟତମ ନିଆରା ପରମ୍ପରା ଭାବେ ଖ୍ୟାତି ଅଟେ ବୋଲି ସାଧାରଣରେ ଗଣନା କରାଯାଇଛି ।