ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ହେବାକୁ ଥିବା ନାଟ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ କସ୍ତୁରୀର ସାଂସ୍କୃତିକ ମହୋତ୍ସବରେ ରାଜ୍ୟର ବିଶିଷ୍ଟ ନାଟ୍ୟକାର ଶଙ୍କର ପ୍ରସାଦ ତ୍ରିପାଠୀ, ବିଶିଷ୍ଟ ମଞ୍ଚ ଓ ସିନେ ଅଭିନେତା ଅଶ୍ରୁମୋଚନ ମହାନ୍ତି ୨୦୨୩ କସ୍ତୁରୀ ସମ୍ମାନରେ ଓ ରାଉରକେଲାର ଭାସ୍କର ଚନ୍ଦ୍ର ମହାପାତ୍ର ଶ୍ରେଷ୍ଠ ଆୟୋଜକ ଭାବରେ ସମ୍ମାନିତ ହେବେ ଓଡିଶା ସଂଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଶ୍ରୀ ତ୍ରିପାଠି ଏକାଧାରରେ ଜଣେ ଦକ୍ଷ ସିନେ ଓ ମଞ୍ଚ ନାଟକର ଲେଖକ ହୋଇଥିବା ବେଳେ ଶ୍ରୀ ମହାପାତ୍ର ମଧ୍ୟ ଏନ୍ଏସ୍ଡି ଏବଂ ସଙ୍ଗୀତ ନାଟକ ଏକାଡେମୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ସୂଚାରୁରୂପେ ସମ୍ପାଦନା କରି ଲୋକଲୋଚନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଅଶ୍ରୁମୋଚନ ମହାନ୍ତି ମଧ୍ୟ ନାଟକ ଓ ସିନେମା ଜଗତର ସୁଦକ୍ଷ କଳାକାର ରୂପେ ସୁନାମ ଅର୍ଜନ କରିଛନ୍ତି । ନିକଟରେ ତାଙ୍କର ଅଭିନୀତ ଓଡ଼ିଆ ସିନେମା “ପୁଷ୍କରା” ଓଡିଶାରେ ଖୁବ୍ ଚହଳ ସୃଷ୍ଟି କରିପାରିଛି । ଆସନ୍ତା ଡିସେମ୍ବର ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ତିନିଦିନ ଧରି ଏହି କାର୍ଯ୍ୟକ୍ରମରେ ବିଷୟ ଭିତ୍ତିକ ସ୍ମରଣିକା “ବାପାଙ୍କୁ କାନ୍ଦିବା ମନା” ର ଉନ୍ମୋଚନ ହେବା ସହ ସେକ୍ଟର ୭ ମୁକ ବଧିର ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା ଗଣେଶ ବନ୍ଦନା ଓ କ୍ଷୁଦ୍ର ନାଟକ “ଶେଷ ପରିଣାମ”, ସେକ୍ଟର ୧୬ ମାନସିକ ଓ ଭିନ୍ନକ୍ଷମ ଅନୁଷ୍ଠାନ ଦ୍ୱାରା କ୍ଷୁଦ୍ର ନାଟକ “ପ୍ରଯୁକ୍ତିର ପକ୍ଷୀ”, ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟ ଲାଠିକଟା ଦ୍ୱାରା କ୍ଷୁଦ୍ର ନାଟକ “ଆମେ ହେବୁ ସଚେତନ” ଓ ସାନ୍ତାଳୀ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ସାନ୍ତାଳୀ ଲୋକ ନୃତ୍ୟ ଓ ଦନ୍ତା ନୃତ୍ୟ, ଏକ ସାମାଜିକ ସଚେତନ କାର୍ଯ୍ୟକ୍ରମ “ମୁଁ ବି କିଛି କହିବି”, ସମ୍ପର୍କ ରାଉରକେଲା ଦ୍ୱାରା ଭାସ୍କର ମହାପାତ୍ରଙ୍କ ନାଟକ “ଅନାମର ଆତ୍ମଲିପି”, ମୁଣ୍ଡାରି ୟୁଥ୍ ଆସୋସିଏସନ୍ ଦ୍ୱାରା ମୁଣ୍ଡା ଭାଷାର ନୃତ୍ୟ ଓ ନାଟକ “କରମା ପୂଜା” ଓ ଉଦ୍ଯାପନୀ ସଂଧ୍ୟାରେ କସ୍ତୁରୀ ସମ୍ମାନ ପ୍ରଦାନ ସହିତ ଡକ୍ଟର ସଞ୍ଜୟ ହାତୀଙ୍କ ଦ୍ଵାରା ଲିଖିତ ନାଟକ “ଡିଜିଟାଲ ସ୍ୱର୍ଗ” କସ୍ତୁରୀର କଳାକାରଙ୍କ ଦ୍ୱାରା ମଞ୍ଚସ୍ଥ କରାଯିବ ବୋଲି କସ୍ତୁରୀ ସାଧାରଣ ସମ୍ପାଦକ ରାଧାଶ୍ୟାମ ମହାନ୍ତି ସୂଚନା ଦେଇଛନ୍ତି ।