ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ପ୍ରଥମ ସନ୍ଧ୍ୟା : ପ୍ରତିଧ୍ୱନୀ ତରଫରୁ ପେଇଂଗେଷ୍ଟ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ସ୍ଥାନୀୟ ସିଭିକ ସେଣ୍ଟରଠାରେ ଆରମ୍ଭ ହୋଇଛି । ପ୍ରଥମ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ପ୍ରତିଧ୍ଵନି ତରଫରୁ ନାରୀ ନିର୍ୟାତନା ଉପରେ ଆଧାରିତ ନାଟକ ପେଇଂଗେଷ୍ଟ ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ପ୍ରଦୀପ ଭୌମିକ ରଚନା କରିଥିବା ବେଳେ ଶରତ ଦାସ ନିର୍ଦ୍ଦେଶନା ଦେଇଥିଲେ । ଆମ ଚାରିପଟେ ନାରୀ ସଶକ୍ତିକରଣ, ନାରୀ ସ୍ୱାଧିନତା, ନାରୀ ପ୍ରଗତିକୁ ନେଇ ଯେତେ ହୋହାଲ୍ଲା ହେଲେ ମଧ୍ୟ ବାସ୍ତବରେ ଏହା କେବଳ ଭାଷଣବାଜୀ, ବିଭିନ୍ନ ଲୋକଦେଖାଣିଆ କାର୍ଯ୍ୟକ୍ରମ ଏବଂ ସରକାରୀ ପ୍ରଚାର ମାଧ୍ୟମରେ ଆଖି ଦେଖାଣିଆ ବିଜ୍ଞାପନ ମାଧ୍ୟମରେ ହିଁ ସିମୀତ ରହିଛି । ନାରୀମାନଙ୍କ ସାମାଜିକ ସ୍ଥିତି କିନ୍ତୁ ସମ୍ପୁର୍ଣ୍ଣ ଭିନ୍ନ । ଏକବିଂଶ ଶତାବ୍ଦୀରେ ନାରୀ ପୂର୍ବ ଭଳି ଅସହାୟ, ନିର୍ଯ୍ୟାତିତା ଏବଂ ଦୁଷ୍ଟ ଚକ୍ରର ଲଗାମହୀନ ଶୋଷଣର ଏକ ମନଲାଖି ବସ୍ତୁ ଭିନ୍ନ ଅନ୍ୟ କିଛି ନୁହେଁ। ଏହି ଭଳି କିଛି ଅସହାୟ ଓ ନିର୍ଯ୍ୟାତିତ ନାରୀଙ୍କର ଜୀବନପଞ୍ଜିକାକୁ ନେଇ ନାଟକ ପେଇଂଗେଷ୍ଟ ପ୍ରସ୍ତୁତ କରାଯାଇ ଥିଲା । ଏହି ନାଟକରେ ନୀତା ଗୋସ୍ୱାମୀ, ପ୍ରିୟଦର୍ଶିନୀ ସ୍ୱାଇଁ, ସବିତା ଜେନା, ମମତା ନନ୍ଦ, ସଞ୍ଜନା ପତି ପ୍ରମୁଖ ଅଭିନୟ କରିଥିବା ବେଳେ ଗୁଲାବ ଶର୍ମା ଓ ପ୍ରମୋଦ ସାହୁ ସଂଗୀତ, ମଞ୍ଚ ସଜ୍ଜା ରେ ପ୍ରଳୟ ଶତପଥୀ, ପରିଚାଳନାରେ ରମେଶ ମହାନ୍ତି, ମନୋରଞ୍ଜନ ବକ୍ସି ପ୍ରମୁଖ ସହଯୋଗ କରିଥିଲେ । ଆଜିର ଏହି ନାଟକରେ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆର୍‌ଏସ୍‌ପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଓ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ, ଉପଦେଷ୍ଟା ମିହିର ରାୟ ପ୍ରମୁଖ ଯୋଗଦେଇଥିବା ବେଳେ ସଭାପତି ରାଜୀବ ପାଣି ସ୍ୱାଗତ ଭାଷଣ ଓ ଅନୁଷ୍ଠାନର ଲକ୍ଷ୍ୟ ତଥା ସମ୍ପାଦକ ସୁଦେଶ ନାୟକ ସମ୍ପାଦକୀୟ ବିବରଣୀ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଭୌମିକ ଅନୁଷ୍ଠାନର ଉଦ୍ୟମକୁ ସାଧୁବାଦ ଦେବା ସହ ଆର୍‌ଏସ୍‌ପିର ସାହିତ୍ୟ ଓ ସଂସ୍କୃତି ପ୍ରତିବଦ୍ଧତାକୁ ଦୋହରାଇ ଥିଲେ । ସମ୍ମାନିତ ଅତିଥି ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ନାଟକକୁ ପଞ୍ଚମ ବେଦ ରୂପେ ଅବହିତ କରି ନାଟକର ପ୍ରଭାବ କିପରି ମହାତ୍ମା ଗାନ୍ଧୀ ଉପରେ ପଡିଥିଲା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରମେଶ ମହାନ୍ତି, ସୁମନ ଦତ୍ତ, ପ୍ରଶାନ୍ତ ପତି, ଆଲୋକ ବୋଷ, ଚନ୍ଦ୍ର ଶେଖର ଶତପଥୀ, ସରୋଜ ଶଙ୍ଖୁଆ, ପ୍ରଜ୍ଞାନନ୍ଦ ମହାନ୍ତି, ପ୍ରବୀର କୁମାର ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଅନୀଲ ମଲ୍ଲିକ ମଞ୍ଚ ସଂଯୋଜନା ଓ ସହସମ୍ପାଦିକା କନକଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.