pakka

ବିଶ୍ୱ ଆଦିବାସୀ ଦିବସ ପାଳନ ଉତ୍ସବରେ ଯୋଗଦେଲେ ନରସିଂହ

bbehera
  • ଶିକ୍ଷା ହିଁ ଆଦିବାସୀଙ୍କ ବିକାଶର ଚାବିକାଠି : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦିବାସୀଙ୍କ ପ୍ରତ୍ୟେକଟି ପରମ୍ପରା ହେଉଛି ତାଙ୍କ ନିଜସ୍ୱ ଆଇନ । ଏହାକୁ କେହି ବଦଳାଇ ପାରିବେ ନାହିଁ । ଆଦିବାସୀ ହେଉଛନ୍ତି ଦେଶର ମୂଳ ଅଧିବାସୀ । ଦେଶର ଜଙ୍ଗଲ, ପାଣି ପବନ ଓ ପ୍ରକୃତି ଉପରେ ତାଙ୍କର ସମ୍ପୂର୍ଣ୍ଣ ଅଧିକାର ଅଛି । ତାଙ୍କୁ କେହି ସେଥିରୁ ବଂଚିତ କରି ପରିବେ ନାହିଁ । ତାଙ୍କୁ ବର୍ତ୍ତମାନ ସମୟରେ ଯଦି କିଛି ଦରକାର ତାହା ହେଲା ଶିକ୍ଷା ଓ ଶିକ୍ଷାକୁ ନେଇ ସଚେତନତା । ଏହି ଉଭୟ ଜିନିଷକୁ ଯଦି ଆଦିବାସୀ ଭାଇମାନେ ଠିକ୍‌ ଭାବରେ ବୁଝି ପାରିଲେ ତେବେ ତାଙ୍କର ସାମାଜିକ ଓ ଅର୍ଥନୈତିକ ଉନ୍ନତିରୁ କେହି ଅଟକାଇ ପାରିବେ ନାହିଁ ବୋଲି ଆଜି ସଦର ବ୍ଲକ ଅନ୍ତର୍ଗତ ଶିବତଲା ଗ୍ରାମରେ ବିଶ୍ୱ ଆଦିବାସୀ ଦିବସ ପାଳନ ଅବସରରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ । ସମଗ୍ର ୭ଟି ପ୍ରଗଣାର କର୍ମକର୍ତ୍ତାଙ୍କ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଥିଲେ ଯେ, ଆଜି ସାରା ଦେଶ ବିଶ୍ୱ ଆଦିବାସୀ ଦିବସ ପାଳନ କରୁଅଛି । ୧୯୪୪ ମସିହାରେ ଜାତିସଂଘ ସାଧାରଣ ପରିଷଦ ବୈଠକର ଘୋଷଣା ଅନୁଯାୟୀ ପ୍ରତିବର୍ଷ ଅଗଷ୍ଟ ମାସ ୯ ତାରିଖ ଦିନ ବିଶ୍ୱ ଆଦିବାସୀ ଦିବସ ପାଳନ ହେଉଛି । ଯାହାକି ନିଜ ଦେଶର ପ୍ରତ୍ୟେକ ପ୍ରାନ୍ତରେ ବସବାସ କରୁଥିବା ଆଦିବାସୀ ସଂପ୍ରଦାୟର ଲୋକଙ୍କ ଅଧିକାରର ସୁରକ୍ଷା ଏବଂ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ଏ ଦିବସ ପାଳନର ମୂଳ ଲକ୍ଷ୍ୟ । ଶାନ୍ତି, ମୈତ୍ରୀ, ପ୍ରଗତି କ୍ରାନ୍ତିର ନାରା ଦେଇ ଉପସ୍ଥିତ ସମସ୍ତ ଆଦିବାସୀ ଭାଇ ଭଉଣୀଙ୍କୁ ଉତ୍ସାହିତ କରିଥିଲେ ଶ୍ରୀ ମିଶ୍ର । ଆଦିବାସୀମାନେ ହେଉଛନ୍ତି ମାନବ ସଭ୍ୟତାର ମୂଳ ଅଧିବାସୀ ତଥା ପ୍ରକୃତିର ଉପାସକ, ଆଦି ସଂସ୍କୃତି ଆଦି ପରଂପରା ତଥା ଆଦି ଭାଷାର ସୃଷ୍ଟିକର୍ତ୍ତା ତା ସହ ପରିବେଶର ଜଡିତ ସମସ୍ୟାଗୁଡିକର ସମାଧାନ ଦିଗରେ ଆଦିବାସୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ସମୟ ପରିପ୍ରେକ୍ଷୀରେ ଆଦିବାସୀଙ୍କ ସଂସ୍କୃତି, ପରଂପରା, ଜମି ଓ ଜଙ୍ଗଲ ବିପଦରେ ପଡିଛି । ସରକାର ସଦା ସର୍ବଦା ଆଦିବାସୀଙ୍କୁ ନିଜ ଜମି, ଜଙ୍ଗଲ, ସଂସ୍କୃତି ଓ ପରଂପରାରୁ ଦୂରେଇ ରଖିବା ଓ ଆଦିବାସୀଙ୍କୁ ଭାଗ ଭାଗ କରିବା ରାଜନୈତିକ ଅପଚେଷ୍ଟା ତଥା ଚକ୍ରାନ୍ତ କରି ଆସୁଛନ୍ତି । ଆଦିବାସୀଙ୍କ ପରମ୍ପରା ହିଁ ହେଉଛି ଏମାନଙ୍କର ନିୟମ । ତେଣୁ ଏମାନଙ୍କୁ ଭ୍ରମିତ କିମ୍ବା ଏମାନଙ୍କ ଏକତାକୁ ବିଖଣ୍ଡିତ କରି ଆଦିବାସୀଙ୍କୁ ତାଙ୍କ ରାଜନୈତିକ ଅଧିକାରରୁ ବଂଚିତ କରାଯିବା ପ୍ରୟାସକୁ କେବେ ବି ବରଖାସ୍ତ କରାଯିବ ନାହିଁ ବୋଲି ଶ୍ରୀ ମିଶ୍ର କହିଥିଲେ । ରାମଚନ୍ଦ୍ରପୁର ଓ ଚୁଡାପାଲିଠାରେ ଆଦିବାସୀଙ୍କ ଶିକ୍ଷାର ଉନ୍ନତି ପାଇଁ ଶିକ୍ଷାନୁଷ୍ଠାନର ବ୍ୟବସ୍ଥା କରାଯାଇଛି । ସେମାନେ ତାର ଭରପୁର ଲାଭ ଉଠାନ୍ତୁ ବୋଲି ଶ୍ରୀ ମିଶ୍ର ଆଦିବାସୀ ଛାତ୍ର ଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ କହିଥିଲେ । ଉଚ୍ଚ ଶିକ୍ଷା ତଥା ବୈଷୟିକ ଶିକ୍ଷା କ୍ଷେତ୍ରରେ ଆଦିବାସୀମାନେ ନିଃଶୁଳ୍କ ଶିକ୍ଷା ଗ୍ରହଣ କରିପାରିବେ ସେ ଦିଗରେ ସେ ଉଦ୍ୟମ କରୁଛନ୍ତି ବୋଲି ସେ କହିଥିଲେ । ଏ ଅବସରରେ ଆଦିବାସୀଙ୍କ ଅନୁରୋଧ କ୍ରମେ ଦୁଇଟି କମ୍ୟୁନିଟି ସେଣ୍ଟର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ମିଶ୍ର ଘୋଷଣା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା ଆଦିବାସୀ ନେତା ମୟ ପ୍ରଧାନୀ କରିଥିବା ବେଳେ ସଂଘ ଉପଦେଷ୍ଟା ସତ୍ୟନାରାୟଣ କୁଅଁର, ଚିନ୍ତାମଣି ଭୋଇ, ପ୍ରଦୀପ ମାଝି, ସାଧୁରାମ ମାଝି, ଅନାବ ମାଝି, ରବିଚନ୍ଦ୍ର ମାଝି, ଦୟାନିଧି କୁଅଁର, ଉମା ପ୍ରଧାନୀ, ତ୍ରିଭୁଜ ଶାନ୍ତ, ବିନୋଦିନୀ ମାଝି ପ୍ରମୁଖ ମଂଚାସିନ ଥିଲେ । ଶେଷରେ ବ୍ୟାସଦେବ ମାଝି ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

1 × 5 =

error: Content is protected !!