ବିଧାନସଭା ପୂର୍ବରୁ ଜନମତ ଲୋଡିଲେ ନରସିଂହ

  • ମମିତା ହତ୍ୟାକାଣ୍ଡ ଓ ଚାଷୀ ସମସ୍ୟାକୁ ନେଇ ବିଧାନସଭା ହେବ ହୁଲସ୍ତୁଲ – ନରସିଂହ
  • ମମିତାଙ୍କୁ ନ୍ୟାୟ ପାଇଁ କଳାକୋର୍ଟ ପିନ୍ଧିବାର ପ୍ରତିଶୃତି ଦୋହରାଇଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଠିକ୍‌ ବିଧାନସଭା ପୂର୍ବରୁ ପୂର୍ବପରି ପୁଣି ଥରେ ଜନମତ ଲୋଡିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଜନମତ ଓ ବିଧାୟକ କାର୍ଯ୍ୟକ୍ରମରେ ବର୍ତ୍ତମାନ ରାଜନୈତିକ ପରିସ୍ଥିତିକୁ ଅନୁଧ୍ୟାନ କଲେ ମମିତା ହତ୍ୟାକାଣ୍ଡ ଓ ଚାଷୀ ସମସ୍ୟାକୁ ନେଇ ବିଧାନ ସଭାର ଆଗାମୀ ଶୀତ ଅଧିବେଶନ କମ୍ପିବ ବୋଲି ପୂର୍ବାନୁମାନ କରିବା ସହ ମମିତାକୁ ନ୍ୟାୟ ଦେବା ପାଇଁ ସେ ନିଶ୍ଚୟ କଳାକୋର୍ଟ ପିନ୍ଧିବେ ବୋଲି ତାଙ୍କ ପ୍ରତିଶୃତିକୁ ଦୋହରାଇଛନ୍ତି । ବଲାଙ୍ଗିରର ସର୍ବାଙ୍ଗିନ ବିକାଶ ପାଇଁ ବିଧାନ ସଭା ପୁର୍ବରୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଜି ନିଜ ଚିରା ଚରିତ ଢଙ୍ଗରେ ପୁଣି ଥରେ ଜନମତ ସଂଗ୍ରହ କରିଛନ୍ତି । କାର୍ଯ୍ୟକ୍ରମ ଆରମ୍ଭରୁ ପଥରଚେପା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ସର୍ବ ଭାରତୀୟ ସ୍ତରରେ ଦଶମ ସ୍ଥାନରେ ରହି ବଲାଙ୍ଗିର ପାଇଁ ସମ୍ମାନ ଆଣି ଦେବା ପାଇଁ ବିଦ୍ୟାଳୟର ଶିକ୍ଷକବୃନ୍ଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଧାୟକ ଶ୍ରୀ ମିଶ୍ର ଅଂଚଳର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଯଥା ଲୋୟର ସୁକତେଲ, ଗନ୍ଧ୍ରେଲ ଡ୍ୟାମ, ରାସ୍ତାଘାଟ, ବାଏପାସ ରୋଡ, ମେଡିକାଲ କଲେଜ, ସୁପର ସ୍ପେସିଆଲିଟି ଡାକ୍ତରଖାନା, ପିଇବା ପାଣି, ବିଦ୍ୟୁତ ଓ ଟ୍ରାଫିକ ସମସ୍ୟା ଓ ସମାଧାନ ପନ୍ଥା ଉପରେ ଉପସ୍ଥିତ ଜନତାଙ୍କୁ ତଥ୍ୟ ସହିତ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ । ପରେ ପରେ ବିଧାୟକଙ୍କ ଅନୁରୋଧ କ୍ରମେ ସହରର ବିଭିନ୍ନ ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀ ଆଗାମୀ ବିଧାନସଭାରେ ବିଧାୟକ କଣ ସବୁ ବିଷୟ ବସ୍ତୁ ଉପରେ ଗୁରୁତ୍ୱ ଦେବେ ତଥା ସରକାରଙ୍କୁ କଣ ସବୁ ପ୍ରଶ୍ନ କରିବେ ସେ ନେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ବିଭିନ୍ନ ବୁଦ୍ଧିଜୀବୀ ଅଂଚଳରେ ଶିକ୍ଷା ବ୍ୟବସ୍ଥା ଓ ସରକାରୀ ନୀତିକୁ ନେଇ ବେଶ ଚିନ୍ତା ପ୍ରକଟ କରିଥିଲେ । ଯୋରଦାର ଉଦ୍ୟମ ବଳରେ ସ୍କୁଲ କଲେଜମାନଙ୍କର ଢାଞ୍ଚାଗତ ବିକାଶ ହେଉଥିବା ବେଳେ ସମାନ୍ତରାଳ ଭାବେ ଯଥା ଶୀଘ୍ର ଶିକ୍ଷକ ସମସ୍ୟାର ସମାଧାନ ପାଇଁ ବ୍ୟଗ୍ରତା ପ୍ରକାଶ କରିଥିଲେ । ସେହିପରି ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବା ବେଳେ ସରକାରୀ ଧାନ କିଣା ବ୍ୟବସ୍ଥା ତଥା ଚାଷୀକୂଳର ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱାରୋପ କରିଥିଲେ । ଠିକ୍‌ ଏତିକି ବେଳେ ମାହେଶ୍ୱରୀ ସଂଗଠନର ଜଣେ ନାରୀ କର୍ମୀ ମମିତାଙ୍କୁ ଯଥା ଶୀଘ୍ର ନ୍ୟାୟ ପ୍ରଦାନ କରିବା ନେଇ ଦାବୀ କରିଥିଲେ । ଉତ୍ତରରେ ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯେ, ମମିତା ହତ୍ୟା ଘଟଣାରେ ପୋଲିସ ତଥା ସରକାରର ଭୂମିକା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ଏହି ଘଟଣାରେ ପୋଲିସର ଅନୁସନ୍ଧାନ ଯେଭଳି ରହିଛି , ମାମଲା ଫାଷ୍ଟଟ୍ରାକ କୋର୍ଟକୁ ଗଲେ ଦୋଷୀ ଆରାମରେ ଖଲାସ ହୋଇଯିବା ନେଇ ଢେର ଆଶଙ୍କା ରହିଛି । ଏପରି ସ୍ଥଳେ ମମିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବୀ କେବଳ ଦୋଷୀ ଓ ସହେଯାଗୀକୁ ଖସି ଯିବାରେ ସହାୟକ ହେବ । ତେଣୁ ଜନସାଧାରଣ ମମିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ଅପେକ୍ଷା ନିଶ୍ଚୟ ନ୍ୟାୟ ପ୍ରଦାନ କରିବା ପାଇଁ ଦାବୀ କରିବା ଆବଶ୍ୟକ । ସେ ଯାହା ହେଉ ଏହି ଘଟଣାର ପୁନଃ ତଦନ୍ତ କରାଯାଇ ନ୍ୟାୟ ପ୍ରଦାନ କରିବା ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମାଲା ରୁଜୁ କରାଯିବ ଓ ମମିତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ମୁଁ ନିଶ୍ଚୟ କଳା କୋର୍ଟ ପିନ୍ଧିବି ବୋଲି ଶ୍ରୀ ମିଶ୍ର ନିଜ ପ୍ରତିଶୃତି ଦୋହରାଇ ଥିଲେ । ଏହା ସହ ଚାଷୀ ସମସ୍ୟା ଓ ମମିତା ହତ୍ୟାକାଣ୍ଡକୁ ନେଇ ବିରୋଧୀ ନିଶ୍ଚୟ ସରକାରଙ୍କୁ ଘେରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିରର ଅନେକ ବୁଦ୍ଧିଜୀବୀ, ଶିକ୍ଷାବିତ, ଛାତ୍ରସମାଜ, ସାମାଜିକ ଓ ଜାତି ସଂଗଠନମାନେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ଧର୍ମେନ୍ଦ୍ର ନନ୍ଦ ସଂଯୋଜନା କରିଥିଲେ ।

Leave A Reply

Your email address will not be published.