ଭୁବନେଶ୍ୱର, (କେପିଏନ୍ଏସ୍) : ଚିଳତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀରେ ନାମଲେଖା ବୟସକୁ ନେଇ ଜିଲ୍ଲା ଓ ବ୍ଲକ ସ୍ତରରେ ତଥା ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଗହଣରେ ଦ୍ୱନ୍ଦ ଉପୁଜିଥିଲା । ଯାହା ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଉଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କୁ ଏକ ଦ୍ୱନ୍ଦାତ୍ମକ ସ୍ଥିତ ସୃଷ୍ଟି କରିଥିଲା । ଏହି ଦ୍ୱନ୍ଦକୁ ଦୂର କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ସ୍ପଷ୍ଟ ପତ୍ର ଉଲ୍ଲେଖ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍ଗ ଅଧିସୂଚନା କ୍ରମାଙ୍କ ୬୫୫୪ ତା.୦୪/୦୪/୨୦୨୨ରିଖରେ ସ୍ପଷ୍ଟ ଭାବେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ବୟସ ସୀମା ୩୧ ମାର୍ଚ୍ଚ ସୁଦ୍ଧା ପାଞ୍ଚରୁ ସାତ ବର୍ଷ ବୟସ ଧାର୍ଯ୍ୟ କରାଯାଇଛି । ତେବେ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ଏହି ବୟସସୀମା ସର୍ବାଧିକ ନଅ ବର୍ଷ ହୋଇପାରିବ । ବର୍ତ୍ତମାନ ଏହି ଦ୍ୱନ୍ଦକୁ ଦୂର କରିବା ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ପତ୍ର କମ୍ରାଙ୍କ ୭୬୪୪ ତା.୦୫/୦୪/୨୦୨୩ରିଖରେ ପୁନଃ ସ୍ପଷ୍ଟିକରଣ ଦିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଏହା ସମସ୍ତଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଇଛି ।