ମାଗଣା ଏଆଇ ତାଲିମ ନେବେ ୧୦ ଲକ୍ଷ ନାଗରିକ

• ଗ୍ରାମ୍ୟ ସ୍ତରୀୟ ଉଦ୍ୟୋଗୀ (ଭିଏଲଇ)ଙ୍କୁ ଦିଆଯିବ ପ୍ରାଥମିକତା
• ସିଏସସି ନେଟୱର୍କକୁ ସୁଦୃଢ଼ କରିବ ଏଆଇ ତାଲିମ, ଆଇଆରସିଟିସି ସେବା ଏବଂ ରାଜ୍ୟ ଏକୀକରଣ : କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ
• ଗୋଟିଏ ଦଶନ୍ଧି ମଧ୍ୟରେ ସିଏସସି ନେଟୱର୍କର ବ୍ୟାପକ ସମ୍ପ୍ରସାରଣ; ସିଏସସି ସଂଖ୍ୟା ୮୩ ହଜାରରୁ ୫.୫ ଲକ୍ଷକୁ ବୃଦ୍ଧି: କେନ୍ଦ୍ର ମନ୍ତ୍ରୀ ଜିତିନ ପ୍ରସାଦ
• ତୃଣମୂଳସ୍ତରରେ ଡିଜିଟାଲ ଇଣ୍ଡିଆର ରୂପାନ୍ତରଣ: ସିଏସସି ଦିବସ ଏବଂ ଡିଜିଟାଲ ଇଣ୍ଡିଆର ୧୦ ବର୍ଷ ପୂର୍ତ୍ତି ପାଳନ କଲା ସିଏସସି ଏସପିଭି

ନଆଦିଲ୍ଲୀ, (ପିଆଇବି) : ଦେଶର ୧୦ ଲକ୍ଷ ନାଗରିକଙ୍କୁ ଏଆଇ ତାଲିମ ଦିଆଯିବ । ଗ୍ରାମ୍ୟ ସ୍ତରର ଉଦ୍ୟୋଗୀ (ଭିଏଲଇ)ମାନଙ୍କୁ ଏଥିରେ ପ୍ରାଥମିକତା ଦିଆଯିବ ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି । ଆଜି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନ ଜନ ସେବା କେନ୍ଦ୍ର – ଇ-ଗଭର୍ଣ୍ଣାନ୍ସ ସର୍ଭିସେସ୍ ଇଣ୍ଡିଆ ଲିମିଟେଡ୍ (ସିଏସସି ଏସପିଭି) ପକ୍ଷରୁ ନୂଆଦିଲ୍ଲୀର ଦ୍ୱାରକାସ୍ଥିତ ଯଶୋଭୂମି ସମ୍ମିଳନୀ କେନ୍ଦ୍ରରେ ଡିଜିଟାଲ୍ ଇଣ୍ଡିଆର ୧୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ସେ ଏହି ଘୋଷଣା କରିଛନ୍ତି । ଏଥିସହିତ ଆଇଆରସିଟିସି ସେବା ଯୋଗାଇ ଦେବା ପାଇଁ ସେ ସବୁ ଭିଏଲଇଙ୍କୁ ନିବେଦନ କରିଛନ୍ତି । ସିଏସସି-ଏସପିଭି ସହିତ ରାଜ୍ୟ ଆଇଟି ଏଜେନ୍ସିକୁଗୁଡ଼ିକୁ ଯୋଡ଼ିବା ଲାଗି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବାକୁ ସେ ପ୍ରସ୍ତୁତ ଥିବା ବୈଷ୍ଣବ କହିଛନ୍ତି । ସାରା ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିଥିବା ଡିଜିଟାଲ୍ ସଶକ୍ତିକରଣର ଏକ ଦଶନ୍ଧି ପୂରଣ ପରିପ୍ରେକ୍ଷୀରେ ନୂଆଦିଲ୍ଲୀରେ ଉପରୋକ୍ତ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ; କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତିନ୍ ପ୍ରସାଦ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କେନ୍ଦ୍ର ମନ୍ତ୍ରୀ ବୈଷ୍ଣବ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସେ ତାଙ୍କ ଅଭିଭାଷଣରେ କହିଥିଲେ, ଦେଶର ଗ୍ରାମ୍ୟ ସ୍ତରର ଉଦ୍ୟୋଗୀ (ଭିଏଲଇ) ଭାଇ-ଭଉଣୀମାନେ ପ୍ରତ୍ୟେକ ନାଗରିକଙ୍କ ନିକଟରେ ଡିଜିଟାଲ ଇଣ୍ଡିଆର ଲାଭ ପହଞ୍ଚାଇ ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି କରିଛନ୍ତି । ଜଣେ ଚା ବିକ୍ରେତା କିମ୍ବା ପନିପରିବା ବିକ୍ରେତା କିପରି ଡିଜିଟାଲ ପେମେଣ୍ଟ ବ୍ୟବହାର କରିପାରିବେ ତା’କୁ ନେଇ ଏକଦା ବିଶ୍ୱ ପ୍ରଶ୍ନ କରିଥିଲା । ହେଲେ ଆଜି ସେହି ସ୍ୱପ୍ନ ସତ ହୋଇଛି । ୟୁପିଆଇ ଜରିଆର ଅର୍ଥ ନେଣଦେଣ ଭିସା କାରବାରକୁ ପଛରେ ପକାଇ ଦେଇଛି । ଏହା ହେଉଛି ୧୪୦ କୋଟି ଭାରତୀୟଙ୍କ ଶକ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ, ଦେଶର ପ୍ରାୟ ୯୦% ଗାଁରେ ଜନ ସେବା କେନ୍ଦ୍ର (ସିଏସସି) ପହଞ୍ଚି ପାରିଛି । ଏବେ ସିଏସସି ପ୍ରତ୍ୟେକ ଗାଁରେ ପହଞ୍ଚିବାର ଏକ ମାଧ୍ୟମ ପାଲଟିଛି । ଶ୍ରୀ ବୈଷ୍ଣବ ମୟୂରଭଞ୍ଜ ଜିଲ୍ଲାର ଭିଏଲଇ ମଞ୍ଜୁଲତା ଏବଂ ମେଘାଳୟର ଭିଏଲଇ ରୋଜ୍ ଆଞ୍ଜେଲିନାଙ୍କ ପ୍ରେରଣାଦାୟକ କାହାଣୀ ଉଦ୍ଧୃତ କରିଥିଲେ । ଆହ୍ୱାନପୂର୍ଣ୍ଣ ପରିସ୍ଥିତି ସତ୍ତ୍ୱେ, ଉଭୟ ମହିଳା ଡିଜିଟାଲ୍ ଦକ୍ଷତା ହାସଲ କରିଛନ୍ତି ଏବଂ ସେମାନଙ୍କ ସମାଜକୁ ସଶକ୍ତ କରିଛନ୍ତି । ମେଘାଳୟର ପୂର୍ବ ପଶ୍ଚିମ ଖାସି ପାହାଡ଼ର ମନୋରମ ପାହାଡ଼ ଏବଂ ଦୁର୍ଗମ ଗ୍ରାମ ମଧ୍ୟରେ, ମହିଳା ଭିଏଲଇ ରୋଜ୍ ଆଞ୍ଜେଲିନା ଏମ. ଖାରସିଣ୍ଟିୟୁ ଏକ ଡିଜିଟାଲ୍ ବିପ୍ଳବ ସୃଷ୍ଟି କରିଛନ୍ତି । ମୈରଙ୍ଗ ଅଞ୍ଚଳରେ ତାଙ୍କ କେନ୍ଦ୍ର ମାଧ୍ୟମରେ, ସେ କେବଳ ସେବା ପ୍ରଦାନ କରୁନାହାନ୍ତି ବରଂ ପରିବର୍ତ୍ତନ, ସଶକ୍ତିକରଣ ଏବଂ ସମାଜସେବାର ଏକ ଉଦାହରଣ ସୃଷ୍ଟି କରିଥିବା କେନ୍ଦ୍ର ମନ୍ତ୍ରୀ କହିଥିଲେ ।କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ଏବଂ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ଡିଜିଟାଲ୍ ବିଭାଜନକୁ ଦୂର କରିବାରେ ସିଏସସିର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ, ୨୦୧୪ ମସିହାରେ ମାତ୍ର ୮୩ ହଜାର ଜନ ସେବା କେନ୍ଦ୍ର ଥିଲା । ଆଜି ସେଗୁଡ଼ିକର ସଂଖ୍ୟା ପ୍ରାୟ ୫୫୦ ଲକ୍ଷକୁ ବୃଦ୍ଧି ପାଇଛି । ସେ ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ)ଗୁଡ଼ିକୁ ସିଏସସି ସହିତ ସମନ୍ୱୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସହିତ ୭୪ ହଜାରରୁ ଅଧିକ ମହିଳା ଭିଏଲଇଙ୍କ ଭୂମିକାକୁ ସ୍ୱୀକାର କରିଥିଲେ ଯେଉଁମାନେ ସଶକ୍ତିକରଣରେ ନୂତନ ମାନଦଣ୍ଡ ସ୍ଥାପନ କରୁଛନ୍ତି । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିମାନଙ୍କୁ ସ୍ୱାଗତ କରି, ସିଏସସି ଏସପିଭିର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଶ୍ରୀ ସଞ୍ଜୟ ରାକେଶ କହିଥିଲେ, ‘‘ସିଏସସି ସହିତ, ସରକାରୀ ସେବା ପାଇବା ପାଇଁ ସହର ପରିଦର୍ଶନ କରିବାର ଆବଶ୍ୟକତା ନାହିଁ । ସିଏସସି କେନ୍ଦ୍ରଗୁଡ଼ିକ ଦେଶର ଦୂରଦୂରାନ୍ତ ଅଞ୍ଚଳରେ ଦ୍ୱାର ଦେଶରେ ଜିଟୁସି ଏବଂ ବିଟୁବି ସେବା ପ୍ରଦାନ କରୁଛନ୍ତି, ଯାହା ଡିଜିଟାଲ୍ ସଶକ୍ତିକରଣକୁ ସକ୍ଷମ କରୁଛି । ସୂଚନାଯୋଗ୍ୟ ଯେ ସାରା ଦେଶରେ ସିଏସସି ଦିବସ ପାଳନ କରାଯାଉଥିବା ବେଳେ ୧୫ ଓ ୧୬ ଦୁଇ ଦିନ ଧରି ଦିଲ୍ଲୀରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଡିଜିଟାଲ ଇଣ୍ଡିଆ ଅଭିଯାନକୁ ୧୦ ବର୍ଷ ପୂରଣ ହୋଇଛି । ଗତ ଏକ ଦଶନ୍ଧି ମଧ୍ୟରେ ଏହା ଡିଜିଟାଲ୍ ବିଭାଜନକୁ ଦୂର କରିଛି । ପ୍ରଶାସନରେ ପରିବର୍ତ୍ତନ ଆଣିବା ସହିତ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ଇଣ୍ଟରନେଟ୍ ସୁଗମତା ଆଣି ଦେଇଛି । ଏହା ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଡିଜିଟାଲ୍ ଅର୍ଥବ୍ୟବସ୍ଥାରେ ପରିଣତ କରିଛି । ସିଏସସି ଏସପିଭି ୨୦୦୯ରେ ପ୍ରତିଷ୍ଠା କରାଯାଇଥିବା ବେଳେ ବର୍ତ୍ତମାନ ଏହାର ଅଧୀନରେ ସାରା ଦେଶରେ ୫.୫ ଲକ୍ଷ କାର୍ଯ୍ୟକ୍ଷମ କେନ୍ଦ୍ର ସାରା ଦେଶରେ ଡିଜିଟାଲ ସେବା ଯୋଗାଇ ଦେଉଛି । ପ୍ରତ୍ୟେକ ଜନସେବା କେନ୍ଦ୍ର ଜଣେ ଭିଏଲଇଙ୍କ ଦ୍ୱାରା ପରିଚାଳିତ ଯିଏକି ନାଗରିକ କୈନ୍ଦ୍ରିକ ସେବା ଯୋଗାଇ ଦେଉଛନ୍ତି । ଏଠାରେ ଆଧାର ପଞ୍ଜିକରଣ ଓ ସଂଶୋଧନ, ପ୍ୟାନ୍‌ କାର୍ଡ ଓ ପାସପୋର୍ଟ ସେବା, ବ୍ୟାଙ୍କ ଓ ବୀମା ସେବା, ଟେଲିମେଡିସିନ୍ ଓ ଶିକ୍ଷା ସେବା, ଦକ୍ଷତା ବିକାଶ ଓ ଟେଲି-ଆଇନ ମାଧ୍ୟମରେ ଆଇନଗତ ସହାୟତା, କୃଷି ସେବା, ଗ୍ରାମୀଣ ଇ-ଷ୍ଟୋର୍ (ବିଟୁବି), ଉପଯୋଗିତା ବିଲ୍ ପୈଠ, ଏବଂ ଅନ୍ୟାନ୍ୟ ସେବା ମିଳିପାରୁଛି ।

jittmm
Leave A Reply

Your email address will not be published.