
- ଲୋକେ ସରକାରୀ ଯୋଜନାର ଲାଭ ପାଉଛନ୍ତି, ସ୍ୱାସ୍ଥ୍ୟକ୍ଷେତ୍ରରେ ସୋନପୁର ଜିଲ୍ଲା ଆଗୁଆ
ତରଭା, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ପାଇକବାହାଲ ପଞ୍ଚାୟତରେ ଆଜି ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସୋନପୁର ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଜାରୀ କହିଛନ୍ତି ଯେ, ରାଜ୍ୟରେ ସରକାରୀ ଯୋଜନାର ଲାଭ ଲୋକେ ପାଉଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆମ ନବୀନ ସରକାରଙ୍କ ଏକ ଯୁଗାନ୍ତକାରୀ ଯୋଜନା । ଯେଉଁମାନେ ପୂର୍ବରୁ ଟଙ୍କା ଅଭାବରୁ ଚିକିତ୍ସିତ ହୋଇ ପାରୁନଥିଲେ ଆଜି ସେମାନେ ବିନା ଅର୍ଥରେ ରାଜ୍ୟ ତଥା ରାଜ୍ୟ ବାହାରର ବଡ ବଡ ହସ୍ପିଟାଲ୍ରେ ଚିକିତ୍ସିତ ହୋଇପାରୁଛନ୍ତି । ସୋନପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ପଦକ୍ଷେପ ନିଆଯାଇଛି । ତରଭା ସିଏଚ୍ସିକୁ ରୂପାନ୍ତରିତ କରାଯାଇଛି । ଏହା ସହିତ ସୋନପୁର ଜିଲ୍ଲା ସଦର ମହକୁମାରେ ୧୧୪ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ଜିଲ୍ଲା ହସ୍ପିଟାଲ୍ରେ ପରିଣତ କରାଯାଇ ପାରିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଏଣିକି ଆମ ଜିଲ୍ଲା ଆଗୁଆ ରହିଛି ବୋଲି ମନ୍ତ୍ରୀ କହିଥିଲେ । ଏହା ସହିତ ରାଜ୍ୟରେ ମହିଳା, ଶିଶୁ ଓ ଲୋକଙ୍କ ପାଇଁ କରାଯାଇଥିବା ଯୋଜନା ବିଷୟରେ କହିଥିଲେ । ପାଇକବାହାଲ ନାଏବ ସରପଞ୍ଚ ପିଙ୍କି ଶିକାଙ୍କ ସଭାପତିତ୍ୱ ଓ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର କମ୍ପ, ଜିଲ୍ଲା ପରିଷଦ ସଭ୍ୟା ଅଞ୍ଜଳି କମ୍ପ, ସମିତି ସଭ୍ୟ ରାଜକିଶୋର ଭୁଏ, ପୂର୍ବତନ ସରପଞ୍ଚ ଦେବକୀ ନାଗ, କନିଷ୍ଠଯନ୍ତ୍ରୀ ସୁଶାନ୍ତ ଛତ୍ରିଆ, ତରଭା ବ୍ଲକର ଏପିଓ ତଥା ନୋଡାଲଅଧିକାରୀ ଅମୃତାଂଶୁ ପାତ୍ର, ପଞ୍ଚାୟତ ନିର୍ବାହୀ ଅଧିକାରୀ ରସିକ ସୁନା ପ୍ରମୁଖ ମଞ୍ଚାସୀନ ଥିଲେ । ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ, ଜିଲ୍ଲା ପରିଷଦ ସଭ୍ୟା ଅଞ୍ଜଳି କମ୍ପ ଓ ଏପିଓ ଅମୃତାଂଶୁ ପାତ୍ର ତାଙ୍କ ବକ୍ତବ୍ୟରେ ରାଜ୍ୟ ସରକାର ଲୋକଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ଓ ପାଇକବାହାଲ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ପାଇଁ ଦିଆଯାଇଥିବା ଅନୁଦାନ ବିଷୟରେ ଲୋକଙ୍କୁ ସଚେତନ କରିଥିଲେ । ଏହି ଅବସରରେ ପଞ୍ଚାୟତର ବିଭିନ୍ନ ଗ୍ରାମର ବରିଷ୍ଠ ନାଗରିକ, ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା ଓ ବିପିଏମ୍ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଡାହିମାଳ ସ୍କୁଲ ଓ ପାଇକବାହାଲ ସ୍କୁଲର ଛାତ୍ରୀମାନେ ସଚେତନତା ଧର୍ମି ନୃତ୍ୟ ପରିବେଷଣ କରିଥିବା ବେଳେ ଶେଷରେ ଶଙ୍କର ବେହେରା ଓ ସାଥି ଟିମ୍ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଠାରେ ୨୦୦୦ରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ ୱାର୍ଡର ସଭ୍ୟ, ସଭ୍ୟା, ଗ୍ରାମର ସ୍ୱେଚ୍ଛାସେବୀଗଣ ସାହାଯ୍ୟ କରିଥିଲେ ।