ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ମ୍ୟୁଜିକ୍ ସର୍କଲ’ ଆନୁକୂଲ୍ୟରେ ବିଜୟା ଉତ୍ସବ ୨୦୨୪ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବକୁ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ । ମ୍ୟୁଜିକ୍ ସର୍କଲ ପରିଚାଳିତ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗୁରୁ ବାବାଜୀ ଚରଣ ବିଶ୍ଵାଳଙ୍କ ପରିଚାଳନାରେ ଅଳକା ଚାନ୍ଦଙ୍କ ରଚିତ “ଯାଗୋ ମା’ ଜନନୀ ଯାଗୋ” ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରଫେସର ଡଃ. କିଶୋରୀ ଦାଶ ବିଜୟା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁ ବୁଦ୍ଧ ପ୍ରସାଦ ରାଓଙ୍କ ଛୋଟା ଖୟାଲ ଓ ଆଧୂନିକ ସଂଗୀତ, ଗୁରୁ ସଙ୍ଗୀତା ଜେନାଙ୍କ ଆଧୂନିକ ସଂଗୀତ ଏବଂ ରାଜଲକ୍ଷ୍ମୀ କବି ଓ କୁମାରୀ ତନୁଶ୍ରୀଙ୍କ କଣ୍ଠରୁ ହିନ୍ଦୀ ଗଜଲ୍ ପରିବେଷଣ ଶ୍ରୋତାମାନଙ୍କୁ ବିମୁଗ୍ଧ କରିଥିଲା । ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ ଗୁରୁ ବିଭୂତି ପତି, ଗୁରୁ ନରେନ୍ଦ୍ର ନାୟକ, ମନୋଜ ନାୟକ, ଅମିତ ରଣା, ଉମେଶ ଏବଂ ବି.ଚନ୍ଦ୍ରଶେଖର ରାଓ । ପରିଶେଷରେ ଗୁରୁ ସୁଦେଷ୍ଣା ରାଉତଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର କଳାକାରମାନଙ୍କ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଅନୁଷ୍ଠାନର ସହସାଧାରଣ ସମ୍ପାଦକ ବିବେକାନନ୍ଦ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ସଙ୍ଗଠନ ସମ୍ପାଦକ ସନ୍ତୋଷ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସଦସ୍ୟ,ସଦସ୍ୟା ଏବଂ ଶିକ୍ଷକ,ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମରେ ସହାୟତା କରିଥିବା ବେଳେ ଏହି ଉତ୍ସବରେ ସହରର ବହୁ ସଂସ୍କୃତି ପ୍ରେମୀ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।
Next Post