ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ ) : ସୋନପୁର ଶ୍ରୀ ଗୋପାଳଜୀ ମନ୍ଦିରରୁ ଚୋରି ହୋଇଥିବା ୧୨ ଗୋଟି ପ୍ରାଚୀନ ମୂର୍ତ୍ତି ଜବତ ହେବା ଘଟଣାକୁ ୪୨ ବର୍ଷ ପରେ ଆଜି ସିବିଆଇ ମାଲଖାନାରୁ ବାହାରିଛନ୍ତି । ଏହି ସବୁ ପ୍ରାଚୀନ ମୂର୍ତ୍ତି ୧୯୯୩ ରେ ଦିଲ୍ଲୀରୁ ସିବିଆଇ ଜବତ କରିଥିଲେ ମଧ୍ୟ ଗୋପାଳଜୀ ମନ୍ଦିରକୁ ଏହି ମୂର୍ତ୍ତି ନ ଫେରି ବିଭିନ୍ନ ମାମଲା ଯୋଗୁଁ ସିବିଆଇ ମାଲଖାନାରେ ପଡି ରହିଥିଲା । ୧୯୮୩ ମସିହାରେ ରାଜବାଟୀ ସମ୍ମୁଖ ବଡ ଗୋପାଳଜୀ ମନ୍ଦିରରୁ ୧୨ ଗୋଟି ପ୍ରାଚୀନ ମୂର୍ତ୍ତି ଚୋରିି ହୋଇଥିଲା । ଚୋରି ଘଟଣାକୁ ଦୀର୍ଘ ୪୨ ବର୍ଷ ବିତି ଯାଇଥିଲେ ମଧ୍ୟ ବଡ ଗୋପାଳଜୀ ମନ୍ଦିରର ୧୨ଟି ମୂର୍ତ୍ତି ବସିଥିବା ସେହି ସ୍ଥାନ ସବୁ ଆଜି ବି ଖାଁ ଖାଁ ଲାଗୁଥିଲା । ଏପରିକି ୭ ଅଗଷ୍ଟ ୨୦୦୯ ରେ ଗୋପାଳଜୀ ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟକୁ ମୂର୍ତ୍ତି ଫେରାଇ, ପୂର୍ବ ସ୍ଥାନରେ ପୁନଃ ସ୍ଥାପିତ କରି ପୂଜାବିଧି କରିବା ପାଇଁ ଭୁବନେଶ୍ୱର ସ୍ୱତନ୍ତ୍ର ସିଜେଏମ୍ ସିବିଆଇ କୋର୍ଟ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଥିଲେ । ହେଲେ ଆଜି ଯାଏଁ ସେହି ୧୨ଟି ବିଭିନ୍ନ ଧାତୁର ଦୁର୍ଲଭ ପିତ୍ତଳ ମୂର୍ତ୍ତି ସିବିଆଇ ମାଲଖାନାରେ ପଡ଼ି ରହିଥିଲେ । ଏପଟେ ସୋନପୁରରେ ଭକ୍ତଙ୍କ ମହଲରେ କ୍ଷୋଭ ପ୍ରକାଶ ପାଇଥିଲା । ସୋନପୁର ଚୌହାନ ବଂଶର କୂଳ ଦେବତା ବଡ ଗୋପାଜୀ ମନ୍ଦିରକୁ ଦୀର୍ଘ୍ ୪୨ ବର୍ଷପରେ ପିତ୍ତଳ ପ୍ରତିମୂର୍ତ୍ତି ଫେରୁଛନ୍ତି । ଝଲସି ଉଠିବ ପ୍ରଭୁଙ୍କ ସିଂହାସନ। ମହାରାଜ ମଦନ ମୋହନ ସିଂଦେଓ ଭାଇ ସନ୍ନ୍ୟାସୀ ବଂଶୀ ଗୋପାଳ ସିଂଦେଓ ଭାଇ ଭାଗରେ ଗୋପାଜୀ ମନ୍ଦିର ଓ ପୁରୀର ରାମଜୀ ମଠ ପ୍ରତିଷ୍ଠା ଲାଭ କରିଥିଲା । ଏହି ଗୋପାଳଜୀ ମନ୍ଦିରରେ ଅଶୀ ଦଶକ ପର୍ଯ୍ୟନ୍ତ ପୂଜାର୍ଚ୍ଚନା ଚାଲିଥିଲା । ୧୯୮୩ ମସିହାରେ ଦୁର୍ବୁତ୍ତମାନେ ୧୨ ଟି ମୂଲ୍ୟବାନ ମୂର୍ତ୍ତି ଚୋରି କରିଥିଲେ । ପରେ ୧୦ ଅକ୍ଟୋବର ୧୯୯୩ରେ ଦିଲ୍ଲୀ ଚାନ୍ଦିନି ଚୌକର ଫତେପୁରୀ ନିକଟରୁ ସିବିଆଇ ଦ୍ୱାରା ଜବତ ହୋଇଥିଲା । ଗୋପାଳଜୀ ମନ୍ଦିରରୁ ଚୋରି ହୋଇଥିବା ସମସ୍ତ ୧୨ଟି ମୂର୍ତ୍ତି । ଏହି ମୂର୍ତ୍ତି ଜବତ କରିଥିଲେ ସିବିଆଇ ଡିଏସ୍ପି ମାହାର ସିଂହ । ଏଥିରେ ଏକାଧିକ ଲୋକମାନଙ୍କ ସଂପୃକ୍ତି ରହିଥିବା ନେଇ ଏକ ମାମଲା ରୁଜୁ ହୋଇଥିଲା । ଏହି ଘଟଣା ନେଇ ଭୁବନେଶ୍ୱର ସ୍ୱତନ୍ତ୍ର ସିଜେଏମ୍ ସିବିଆଇ କୋର୍ଟରେ ଗତ ୪ ଅଗଷ୍ଟ ୨୦୦୯ରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ୭ ଅଗଷ୍ଟ ୨୦୦୯ ରେ ଚୂଡାନ୍ତ ରାୟ ଶୁଣାଇ କୋର୍ଟ ଶୁଣାଣି କରିଥିଲେ । ଏହି ମୂର୍ତ୍ତି ସବୁ ବଡ ଗୋପାଳଜୀ(ବାହାର) ମନ୍ଦିରକୁ ଫେରାଇ ପୁନଃ ସ୍ଥାପନ ପାଇଁ କୋର୍ଟ ପରାମର୍ଶ ଦେଇଥିଲେ । ଏହା ସତ୍ତ୍ୱେ ସୋନପୁରକୁ ଫେରି ପାରି ନ ଥିଲା ଏହି ପୁରାତନ କିର୍ତ୍ତୀରାଜି । ଏଥିପାଇଁ ଆଇନଗତ ପ୍ରତିବନ୍ଧକ ରହିଥିଲା । ଭୁବନେଶ୍ୱରସ୍ଥିତ ଖୋର୍ଦ୍ଧା ଏଡିଜେ-୩ଙ୍କ କୋର୍ଟ ରାୟ ପରେ ମୂର୍ତ୍ତି ଫେରିବାର ନେଇ ଆଶା ଉଜ୍ଜୀବିତ ହୋଇଥିଲା । ଗତ କିଛି ମାସ ହେଲା ବିଭିନ୍ନ ପତ୍ରିକାରେ ନିରନ୍ତର ବ୍ୟବଧାନରେ ଏହି ସମ୍ପର୍କ ଖବର ପରିବେଷଣ କରାଯାଉଥିଲା । ଦୀର୍ଘଦିନ ଧରି ମୂଲ୍ୟବାନ ମୂର୍ତ୍ତି ଫେରିବା ସମ୍ଭବ ହୋଇ ନ ଥିବାରୁ ଭକ୍ତମାନଙ୍କ ମଧ୍ୟରେ ନୈରାଶ୍ୟଜନକ ଭାବ ରହିଥିଲା । କିନ୍ତୁ ଏହି ପ୍ରସଙ୍ଗକୁ ବିଭିନ୍ନ ମିଡ଼ିଆଙ୍କ ଖବର ଓ ଜିଲ୍ଲା ପ୍ରଶାସନ, କୋର୍ଟର ଉଚ୍ଚ ପଦବୀ ଅଧିକାରୀଙ୍କ ପ୍ରଚେଷ୍ଟା ହିଁ ଉଜ୍ଜୀବିତ କରିଥିଲା । ବର୍ତ୍ତମାନ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ସ୍ଵତନ୍ତ୍ର ଦୃଷ୍ଟି ଦେବାରୁ ଏବଂ ଉପ ଜିଲ୍ଲାପାଳ ଡ. ସୌମ୍ୟାରୂପା ରଥଙ୍କ ପ୍ରଚେଷ୍ଟା ଯୋଗୁଁ ସମ୍ବେଦନଶୀଳ ଓ ସୋନପୁର ଐତିହାସିକ ମୂକସାକ୍ଷୀ ଥିବା ୧୨ଟି ମୂର୍ତ୍ତି ମାଲଖାନାରୁ ବାହାରିଲା । ଏହି ସମ୍ପର୍କରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ କହିଛନ୍ତି ବିଗତ ସପ୍ତାହରେ ଏହି ମାମଲା ନେଇ ଶୁଣାଣି ହୋଇଥିଲା । ଆମର ଆଇନ ସମ୍ମତ ଥିବାରୁ ଅପିଲ ମାନ୍ୟବର କୋର୍ଟ ଶୁଣିଲେ । ମାଲିକାନା ଥିବାରୁ ମୂର୍ତ୍ତିମାନେ ହସ୍ତାନ୍ତର ହେବ । ବଡ ଗୋପାଲଜୀ ମନ୍ଦିରରେ ମୂର୍ତ୍ତିମାନେ ସ୍ଥାପନା ହେବ । ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କଡା ସୁରକ୍ଷା ଓ ସିସିଟିଭି ବ୍ୟବସ୍ଥା କରାଯିବ । ଆଗାମୀ ଦିନରେ ପୂର୍ବ ପରି ପୂଜାର୍ଚ୍ଚନା କରାଯିବ ବୋଲି କହିଛନ୍ତି । ଆଜି କୋର୍ଟ ପରିସରରେ ପୁରୀ ତଥା ସୋନପୁର ଗୋପାଳଜୀ ମଠର ମଠାଧୀଶ ଶ୍ରୀ ଶ୍ରୀ ବଂଶୀଧରଜୀ ମହାରାଜଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପରେ ସେଠାରୁ ସୋନପୁରକୁ ମୂର୍ତ୍ତିମାନଙ୍କୁ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଓ ଉପଜିଲ୍ଲାପାଳ ଡ. ସୌମ୍ୟାରୂପା ରଥ, ଡିଏସପି ଚନ୍ଦ୍ରଶେଖର ଶବରଙ୍କ ସହ ପୁରା ଟିମ୍ ଆଜି ବୁଧବାର ରାତିରେ ଭୁବନେଶ୍ଵରରୁ କଡା ପୋଲିସ ସୁରକ୍ଷାରେ ଆଣିବେ ବୋଲି ଜଣାପଡିଛି । ଗତ ଦୁଇ ପୀଢ଼ି ଦେଖି ନ ଥିବାର ଭକ୍ତ ମାନେ ମୂଲ୍ୟବାନ ମୂର୍ତ୍ତି ଦର୍ଶନ ପାଇବେ ବୋଲି ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହା ସୋନପୁର ବାସୀଙ୍କ ପାଇଁ ସବୁଠୁ ଖୁସି ଖବର ନିଶ୍ଚିତ । ଶ୍ରୀ ଗୋପାଲଜୀ ମହାପ୍ରଭୁ ଜିଲ୍ଲାର ଅସ୍ମିତାର ପ୍ରତୀକ ଅଟନ୍ତି । ଦୀର୍ଘ ୪୨ ବର୍ଷ ପୂର୍ବରୁ ଯେଉଁ ଅସ୍ମିତା ହଜି ଯାଇଥିଲା ସୁବର୍ଣ୍ଣପୁରର ଲୋକପ୍ରିୟ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ବଳିଷ୍ଠ ନେତୃତ୍ଵ, ଦୃଢ଼ ଇଚ୍ଛାଶକ୍ତି ଓ ଶ୍ରୀ ଗୋପାଳଜୀଙ୍କ ଆଶୀର୍ବାଦ ମା’ ସୁରେଶ୍ଵରୀଙ୍କ ଶକ୍ତି ଓ ସୋନପୁର ଶକ୍ତି ପୀଠର ଶକ୍ତିର ପ୍ରଭାବରେ କୋର୍ଟର ସମସ୍ତ ମାନ୍ୟବର ବିଚାରପତିଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ସମସ୍ତ ଶୁଭେଚ୍ଛୁଙ୍କ କୋଡ଼ିନେଶନରେ ଜିଲ୍ଲା ପ୍ରଶାସନ ମୁଖ୍ୟ ଡ଼. ସାହୁ ତାଙ୍କ ମୁଖିଆ ପଦବୀକୁ ସାକାର କରି ପାରିଛନ୍ତି । ସହର ଓ ଜିଲ୍ଲା ବାସୀଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ଓ ସଂପୃକ୍ତ ବିଚାର ବିଭାଗୀୟ ଅଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହା ସୋନପୁରର ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ ନିଶ୍ଚିତ ।
Next Post