ଭୀମଭୋଇ ଭେଷଜ ମହାବିଦ୍ୟାଳୟର ଫାର୍ମାକୋଲୋଜି ବିଭାଗର ପ୍ରଫେସର ଡଃ. ମୁରଲୀଧର ପାଣିଗ୍ରାହୀଙ୍କ ହୃଦ୍‌ଘାତରେ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଅପରାହ୍ନରେ ଭୀମଭୋଇ ଭେଷଜ ମହାବିଦ୍ୟାଳୟର ଫାର୍ମାକୋଲୋଜି ବିଭାଗର ପ୍ରଫେସର ଡଃ. ମୁରଲୀଧର ପାଣିଗ୍ରାହୀଙ୍କ ହୃଦ୍‌ଘାତରେ ଦେହାନ୍ତ ହୋଇଯାଇଛି । ଡଃ. ପାଣିଗ୍ରାହୀ ଗତକାଲି ଅପରାହ୍ନ ପ୍ରାୟ ୪ଟା ସମୟରେ ଶ୍ରେଣୀ ଗୃହରେ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରୁଥିବା ସମୟରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌କୁ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଡଃ. ପାଣିଗ୍ରାହୀ ଭୀମଭୋଇ ଭେଷଜ ମହାବିଦ୍ୟାଳୟରେ ୨୦୧୭ ମସିହାରୁ ଆସୋସିଏଟ୍‌ ପ୍ରଫେସର ଭାବରେ କାର୍ଯ୍ୟରତ ଥିଲେ । ସେ ବିଭିନ୍ନ ସମୟରେ ସୁପରିନ୍‌ଟେଣ୍ଡେଣ୍ଟ ଓ ପ୍ରିନ୍ସିପାଲ୍‌ ଦାୟିତ୍ୱରେ ମଧ୍ୟ ରହି ଆସୁଥିଲେ । ବର୍ତ୍ତମାନ ସେ ମେଡ଼ିକାଲ୍‌ ଏଡୁକେସନ୍‌ ବିଭାଗର କୋର୍ଡିନେଟର୍‌ ଦାୟିତ୍ୱରେ ରହିଥିଲେ । ଏହା ପୂର୍ବରୁ ସେ ଡାକ୍ତରଖାନାର ଔଷଧାଗାରର ଅଧିକାରୀ ଦାୟିତ୍ୱ ତୁଳାଉଥିଲେ । କୋଭିଡ଼୍‌ ସମୟରେ ଅମ୍ଲଜାନ ଯୋଗାଣ ତଥା ଅନ୍ୟାନ୍ୟ ଜରୁରୀ ଔଷଧ ଯୋଗଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଡଃ. ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉଭୟ ଡାକ୍ତରଖାନା ଓ ମହାବିଦ୍ୟାଳୟରେ ‘ହାର୍ବାଲ୍‌ ଗାର୍ଡେନ୍‌’ ଅତି ସୁଦୃଶ୍ୟ ଭାବରେ ପ୍ରସ୍ତୁତ ହୋଇପାରିଛି । କଲେଜ ପରିସରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ସୁପରିଚାଳନା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା । ନିୟମିତ ଯୋଗ ସାଧନା ପାଇଁ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ନେଇ ଯୋଗ ସାଧନା କରୁଥିଲେ । ୨୦୨୪ ସାଧାରଣ ନିର୍ବାଚନ ସମୟରେ ସମସ୍ତଙ୍କୁ ଭୋଟ ଅଧିକାର ସାବ୍ୟସ୍ତ କରିବା ପାଇଁ ପ୍ରବର୍ତ୍ତାଉଥିଲେ । ଡଃ. ପାଣିଗ୍ରାହୀ ଜଣେ ସୁଚିକିତ୍ସକ ଭାବେ ବ୍ରହ୍ମପୁର ଓ ବଲାଙ୍ଗିର ଠାରେ ବେଶ୍‌ ପରିଚିତ ଥିଲେ । ଜଣେ ଛାତ୍ରବତ୍ସଳ ଓ ଅଧସ୍ଥନ କର୍ମଚାରୀଙ୍କ ପ୍ରିୟ ମଣିଷ ଭାବେ ସେ ସୁନାମ ଅର୍ଜନ କରିଥିଲେ । ଆଜି ସକାଳୁ ଡଃ. ପାଣିଗ୍ରାହୀଙ୍କ ମର ଶରୀରକୁ କଲେଜ ପରିସରକୁ ଅଣାଯାଇ ଶେଷ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଆଜି ସଂଧ୍ୟାରେ ମେଡ଼ିକାଲ କଲେଜ ଅଡ଼ିଟରିଅମ୍‌ରେ ଏକ ଶୋକସଭାର ଆୟୋଜେନ କରାଯାଇଥିଲା । ତେବେ ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱାରରେ ସତ୍‌କାର କରାଯିବା ପାଇଁ ତାଙ୍କ ସହଧର୍ମିଣୀ, ପୁଅ, ଝିଅ ଓ ବଡ଼ଭାଇ ଯାତ୍ରା କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.