- ଝାଡଖଣ୍ଡ ଦେଉଛି ବୋନସ
- ସୂଚନା ଅଧିକାର ଆଇନ ଯୋଗେ ମିଳିଲା ତଥ୍ୟ
- ଚାଷୀ ସମସ୍ୟାକୁ ନେଇ ବିଭ୍ରାନ୍ତିକର ପ୍ରଚାରରୁ ନେତାମାନେ କ୍ଷାନ୍ତ ହୁଅନ୍ତୁ : ହେମନ୍ତ ପଣ୍ଡା
ବଲାଙ୍ଗିର, (କେପିଏନ୍ଏସ୍) : ଓଡିଶାର ପଡୋଶୀ ରାଜ୍ୟ ଛତିଶଗଡରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସହ ବୋନସ ପ୍ରଦାନ କରାଯାଉଥିବା ବିଷୟରେ ରାଜ୍ୟର ରାଜନୈତିକ ନେତାମାନେ ଗଣମାଧ୍ୟମ ଜରିଆରେ ଦାବୀ କରିଆସୁଛନ୍ତି । ଏହାକୁ ନେଇ ରାଜ୍ୟର ସାଧାରଣ ଜନତାଙ୍କ ମଧ୍ୟରେ ଦ୍ୱନ୍ଦ ଓ ବିଭ୍ରାନ୍ତି ସୃଷ୍ଟି ହେଉଛି । ଏହି ଦ୍ୱନ୍ଦକୁ ଦୂର କରିବା ପାଇଁ ସୂଚନା ଅଧିକାର ଆଇନ ବଳରେ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ପଡୋଶୀ ରାଜ୍ୟ ମାନଙ୍କୁ ତଥ୍ୟ ମାଗିଥିଲେ । ତଥ୍ୟରୁ ଜଣାପଡିଛି ଯେ, ଛତିଶଗଡ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସହ ବୋନସ ଅର୍ଥରାଶି ଦେଉନଥିବା ବେଳେ ଝାଡଖଣ୍ଡ ରାଜ୍ୟ ସରକାର ୧୬-୧୭ ଆର୍ଥିକ ବର୍ଷରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସହ ଭିନ୍ନ ଭିନ୍ନ ଦରରେ ବୋନସ ପ୍ରଦାନ କରିଆସୁଛନ୍ତି । ଗତ ଆର୍ଥିକ ବର୍ଷରେ ୨୦୨୧-୨୨ରେ ଝାଡଖଣ୍ଡ ସରକାର ଧାନର ତତ୍କାଳୀନ ସହାୟକ ମୂଲ୍ୟ ସହ ୧୧୦ ଟଙ୍କା ବୋନସ ଅର୍ଥରାଶି ପ୍ରଦାନ କରିଥିବା ଜଣାଯାଇଛି । ଝାଡଖଣ୍ଡ ସରକାରଙ୍କ ଖାଦ୍ୟ, ସାର୍ବଜନିକ ବିତରଣ ଏବଂ ଉପଭୋକ୍ତା ବିଭାଗ ଏହି ତଥ୍ୟ ପ୍ରଦାନ କରିଛି । ଛତିଶଗଡ ଓ ଆନ୍ଧ୍ର ପ୍ରଦେଶରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସହ ବୋନସ ଅର୍ଥ ପ୍ରଦାନ କରାଯାଉ ନାହିଁ ବୋଲି ଛତିଶଗଡ ସରକାରଙ୍କ କୃଷି ବିକାଶ ଏବଂ କିଶାନ କଲ୍ୟାଣ ତଥା ଜୈବ ପ୍ରଦ୍ୟୋଗିକ ବିଭାଗ ତଥ୍ୟ ପ୍ରଦାନ କରିଥିବା ବେଳେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ସାଧାରଣ ଯୋଗାଣ ବିଭିଗ ଯଥାକ୍ରମେ ସୂଚନା କର୍ମୀ ପଣ୍ଡାଙ୍କୁ ତଥ୍ୟ ପ୍ରଦାନ କରିଛନ୍ତି । ଓଡିଶା ବିଧାନସଭାରେ ୨୦୧୭ ଓ ୨୦୧୮ ମସିହାରେ ଦୁଇଥର ଧାନର ସର୍ବନିମ୍ନ ଦର ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ସର୍ବସମ୍ମତ ପ୍ରସ୍ତାବ ପାସ ହୋଇଥିଲେ ମଧ୍ୟ ଚାଷୀଙ୍କ ପାଇଁ କିଛି କାମରେ ଆସିନାହିଁ । ଧାନର ସହାୟକ ମୂଲ୍ୟ ସହ ଓଡିଶାରେ ବୋନସ ଦେବା ପାଇଁ ପୂର୍ବରୁ ଘୋଷଣା କରାଯାଇଥିଲେ ମଧ୍ୟ କାର୍ଯ୍ୟକାରୀ କରାଯାଇ ନାହିଁ । ଓଡିଶାରେ କାଳିଆ ଯୋଜନା, ଛତିଶଗଡରେ ରାଜୀବ ଗାନ୍ଧୀ କୃଷକ ନ୍ୟାୟ ଯୋଜନା ଭଳି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଯୋଜନା ମାଧ୍ୟମରେ କୃଷକଙ୍କୁ ସହାୟତା ପ୍ରଦାନ କରାଯାଉଥିବା ପଣ୍ଡା କହିଛନ୍ତି । ଭୋଟ ସର୍ବସ୍ୱ ରାଜନୀତି ଓ ଅଜ୍ଞତା ଯୋଗୁଁ ଛତିଶଗଡରେ ଧାନ ସର୍ବନିମ୍ନ ଦର ସହ ବୋନସ ଅର୍ଥ ଦିଆଯାଉଛି ବୋଲି ଜନତାଙ୍କ ମଧ୍ୟରେ ଯେଉଁ ବିଭ୍ରାନ୍ତି ସୃଷ୍ଟି ତାହା ଏହି ସୂଚନାରୁ ତାହା ଦୂର ହେବ ବୋଲି ସୂଚନା କର୍ମୀ ପଣ୍ଡା କହିଛନ୍ତି । ଚାଷୀ ସମସ୍ୟା ବିଷୟକୁ ନେଇ ଉପନିର୍ବାଚନରେ ଭୋଟ ହାସଲ କରିବା ପାଇଁ ବିଭ୍ରାନ୍ତିକର ପ୍ରଚାରରୁ ନେତାମାନେ କ୍ଷାନ୍ତ ହେବା ପାଇଁ ପଣ୍ଡା ନିବେଦନ କରିଛନ୍ତି ।