ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

  • ଖରିଫ ୨୦୨୩ ପାଇଁ ସହାୟତା
  • ୪୩ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାରେ ୮୭୭ କୋଟି ଟଙ୍କାର କାଳିଆ ସହାୟତା
  • ଖାଦ୍ୟ ଶସ୍ୟ ଉତ୍ପାଦନରେ ଓଡ଼ିଶାର ସଫଳତାର ଶ୍ରେୟ ଚାଷୀ ଭାଇ ଭଉଣୀଙ୍କୁ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର ଚାଷୀ ଭାଇ ଭଉଣୀମାନଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି ।

ଚଳିତ ଖରିଫ ଋତୁରେ ଚାଷ କାମ ପାଇଁ ଏହି ସହାୟତା ଦିଆଯାଇଛି ।

ଝାରସୁଗୁଡ଼ା ବ୍ୟତୀତ ରାଜ୍ୟର ସବୁ ଅଞ୍ଚଳର କୃଷକମାନେ ଏହି ସହାୟତା ପାଇଛନ୍ତି । ୪୩ ଲକ୍ଷରୁ ଅଧିକ ଚାଷୀ ପରିବାରଙ୍କୁ ୮୭୭ କୋଟି ଟଙ୍କା ସହାୟତା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଦିଆଯାଇଛି ।

ଏହି ଅବସରରେ ଚାଷୀ ଭାଇମାନଙ୍କୁ ଓଡ଼ିଶା ଦିବସର ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଚାଷୀଙ୍କ କଲ୍ୟାଣ ସହ ରାଜ୍ୟର ବିକାଶ ଯୋଡି ହୋଇ ରହିଛି ତେଣୁ ଆଜିର ପବିତ୍ର ଦିନରେ କାଳିଆ ସହାୟତା ପ୍ରଦାନ କରି ଆମେ ନୂଆ ଆର୍ଥିକ ବର୍ଷ ଆରମ୍ଭ କଲୁ ।

ଓଡ଼ିଶା ଆଜି ଖାଦ୍ୟ ଶସ୍ୟ ଉତ୍ପାଦନରେ ଆତ୍ମ ନିର୍ଭର ହେବା ସହିତ ଦେଶର ଖାଦ୍ୟ ଭଣ୍ଡାରକୁ ଅନ୍ନ ଯୋଗାଇ ପାରୁଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହି ଗୌରବର ଶ୍ରେୟ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀମାନଙ୍କୁ ଦେଇଥିଲେ ।

ଚାଷର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ କୃଷିରେ ଅଧିକ ମେସିନ ଓ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ । ରାଜ୍ୟରେ ପୁଷ୍ଟିଯୁକ୍ତ ଖାଦ୍ୟର ଉତ୍ପାଦନ ବୃଦ୍ଧି ଓ ଚାଷୀମାନଙ୍କ ରୋଜଗାରରେ ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ଶସ୍ୟ ଭିତ୍ତିକ ମିଶନ କାର୍ଯ୍ୟକରୀ କରୁଛନ୍ତି ବୋଲି ପ୍ରକାଶ କରି ସେ ଚାଷୀମାନଙ୍କୁ ଫସଲ ବିବିଧକରଣ ଉପରେ ଗୁରୁତ୍ଵ ଦେବା ପାଇଁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଲେ ଯେ କାଳିଆ ଯୋଜନା ଚାଷୀମାନଙ୍କୁ ଆତ୍ମ ନିର୍ଭର କରିଛି । ଚାଷ ପାଇଁ ଧାର ଉଧାରରୁ ମୁକ୍ତି ମିଳିବା ସହିତ ଚାଷୀଙ୍କ ମନୋବଳ ବୃଦ୍ଧି ପାଇଛି ।

ଏହି ଅବସରରେ କେତେକ ଚାଷୀ – ମାଲକାନଗିରିର ଗୋପୀନାଥ ପାଙ୍ଗି, ପୁରୀ ଜିଲ୍ଲା ପିପିଲିର ସୁଲୋଚନା ନାୟକ, ବରଗଡର ଦିପାଞ୍ଜଳି ପ୍ରମୁଖ କାଳିଆ ସହାୟତା ସମ୍ପର୍କରେ ସେମାନଙ୍କ ମତାମତ ରଖି ଏହାଦ୍ୱାରା ସେମାନଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ଉପରେ ନିଜର ମତାମତ ଦେଇଥିଲେ ।

ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକର କାଳିଆ ବୃତ୍ତି ଲାଭ କରିଥିବା କିରଣ କୁମାର ସାହୁ କିପରି ଏହି ସହାୟତା ଦ୍ଵାରା ସେ ଆଜି ବ୍ରହ୍ମପୁର MKCG Medical Collegeରେ ଡ଼ାକ୍ତରୀ ପାଠ ପଢିବା ପାଇଁ ସୁଯୋଗ ପାଇଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ କାଳିଆ ଯୋଜନାର ଉପଦେଷ୍ଟାମାନେ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲେ ଓ କୃଷି ନିର୍ଦ୍ଦେଶକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.