ସ୍ୱାସ୍ଥ୍ୟ ଉପରେ ସମୀକ୍ଷା ବୈଠକ କଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷଠାରେ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି ସମ୍ମିଳନୀରେ ଯୋଗଦେଇ ବଲାଙ୍ଗିର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିଥିଲେ । ତାଙ୍କ ସହିତ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଉପସ୍ଥିତ ଥିଲେ । ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁପରିଟେଣ୍ଡେଣ୍ଟ, ଭୀମ ଭୋଇ ମେଡିକାଲ କଲେଜ୍ ଡିନ ଓ ସମସ୍ତ ଉପଖଣ୍ଡ, ପିଏଚ୍‌ସି, ସିଏଚ୍‌ସିର ଅଧିକାରୀମାନେ ଉପସ୍ଥିତ ଥିଲେ । ମନ୍ତ୍ରୀ ବଲାଙ୍ଗିର ଜିଲ୍ଲାର ସ୍ୱାସ୍ଥ୍ୟ ସମୀକ୍ଷା କରିବା ସହିତ ଏହାକୁ ଆହୁରି ସୁଦୃଢ କେମିତି କରାଯିବ ତାହା ଆଲୋଚନା କରିଥିଲେ । ଆଗାମୀ ଦିନରେ ବଲାଙ୍ଗିର ଜିଲ୍ଲାକୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଦର୍ଶ ଜିଲ୍ଲା ଭାବରେ ଗଢି ତୋଳିବାକୁ କାମ କରାଯିବ । ସ୍ୱାସ୍ଥ୍ୟ ସେବାକୁ ପ୍ରାଧାନ୍ୟ ଦେବା ସହିତ ଗ୍ରାମାଞ୍ଚଳ ଠାରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ସମସ୍ତେ କେମିତି ସୁବିଧାରେ ଉତ୍ତମ ଚିକିତ୍ସା ସେବା ପାଇ ପାରିବେ ତଦନୁଯାୟୀ କାମ କରିବାକୁ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ବଲାଙ୍ଗିର ଜିଲ୍ଲାକୁ ଖୁବ୍‌ଶୀଘ୍ର ଏକ ଏମ୍‌ଆର୍‌ଆଇ ମେସିନ୍ ଆଣିବାକୁ ମନ୍ତ୍ରୀ ସୂଚନା ଦେଇଥିଲେ । ବଲାଙ୍ଗିର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଦେବାକୁ ଅଧିକ ସୁଦୃଢ କରାଯିବା ପାଇଁ ଆହୁରି କାମ ବାକି ରହିଥିବା ସେ ସୂଚନା ଦେଇଥିଲେ ।

Leave A Reply

Your email address will not be published.