ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବିବାହର ତିନି ମାସ ନ ପୂରୁଣୁ ଶାଶୁ ଘର ଲୋକେ ଦେଇଥିଲେ ଯୌତୁକ ନିର୍ୟ୍ୟାତନା । ନିର୍ଯ୍ୟାତନା ସହ୍ୟ କରି ନପାରି ଶେଷରେ ବିଷ ପିଇ ଜୀବନ ହାରିଥିଲେ ନବବଧୂ । ଏନେଇ ଝିଅର ବାପ ଘର ପକ୍ଷରୁ ହୁମା ଫାଣ୍ଡିରେ ଏତଲା ଦେଆଯାଇଥିଲା । ଉକ୍ତ ଘଟଣାରେ ସ୍ୱାମୀ ପିଣ୍ଟୁ ପ୍ରଧାନ, ଶ୍ୱଶୁର ପବନା ପ୍ରଧାନ ଓ ଶାଶୁ କନ୍ଧୁଣୀ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ହୁମା ଫାଣ୍ଡି ପୋଲିସ । ପ୍ରକାଶ ଯେ, ସାତୁଳୀ ଗ୍ରାମର ବନମାଳୀ ବାରିକିଙ୍କ ଝିଅ ଜ୍ୟୋତି ଗତ ଏପ୍ରିଲ ମାସରେ ପୋଡାଗଡ଼ ଗ୍ରାମର ପବନାଙ୍କ ପୁଅ ପିଣ୍ଟୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ପରେ ଶାଶୁ ଓ ଶ୍ୱଶୁର ଅଧିକ ଯୌତୁକ ଆଣିବା ପାଇଁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ଆରମ୍ଭ କରି ଦେଇଥିଲେ । ଏଥିପାଇଁ ଝିଅ ଦଶ କର୍ତ୍ତାରେ ବାପ ଘରକୁ ଯାଇ ଆଉ ଶାଶୁ ଘର ଯିବି ନାହିଁ ବୋଲି ଜିଦ ଧରିବା ସହ ଘଟଣା ସମ୍ପର୍କରେ ବାପା ଭାଇଙ୍କୁ ଜଣାଇ ଥିଲେ । ପରବର୍ତୀ ସମୟରେ ବାପା ମା’ ବୁଝାସୁଝା କରିବା ପରେ ଅଗଷ୍ଟ ୧ରେ ଶାଶୁ ଘରକୁ ବୋହୁ ଜ୍ୟୋତି ଆସିଥିଲେ । ପୁଣି ନିର୍ଯ୍ୟାତନା ଦେବାରୁ ଜ୍ୟୋତି ସହ୍ୟ କରିନପାରି ଶେଷରେ ଘରେ ଥିବା ପୋକ ମରା ଔଷଧ ଖାଇ ଆତ୍ମହତ୍ୟା କରିଥିଲେ । ଉକ୍ତ ଘଟଣା ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।
Prev Post