- ସ୍ଵାମୀ ସହ ୪ ସନ୍ତାନ ବେସାହାରା
- ସନ୍ଦେହରେ ଇଟାଭାଟି ମାଲିକ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାକୁ ଫେରିଛି ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତଦେହ । ପେଟପାଟଣା ପାଇଁ ସୁଦୂର ବାହାର ରାଜ୍ୟକୁ ଗୋଡ଼ କାଢି ଯାଇଥିବା ଏକ ପରିବାରର ଜଣେ ମହିଳା ଦାଦନଙ୍କ ମୃତଦେହ ଗାଁକୁ ଫେରିଥିବାରୁ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବାନ୍ଦୁପଳା ପଞ୍ଚାୟତ କଚାରଭାଡ଼ି ଗ୍ରାମର ରାମଜୀ ମହାନନ୍ଦ(୪୫) ନିଜ ସ୍ତ୍ରୀ ବନିତା ମହାନନ୍ଦ(୪୦)ଙ୍କୁ ନେଇ ନିଜ ପରିବାର ସହ ପ୍ରତିବର୍ଷ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଯାଇଥାନ୍ତି । ତାଙ୍କର ୩ ଜଣ ଝିଅ ଓ ଜଣେ ପୁଅ ଅଛନ୍ତି । ଚଳିତ ବର୍ଷ ମଧ୍ୟ ନିଜର ଜଣେ ଛୁଆକୁ ଧରି ରାମଜୀ ଗତ ୩ମାସ ତଳେ ବେଲପଡ଼ା ଥାନା ବାଗଉଡ଼ାର ଗ୍ରାମର ଦାଦନ ସର୍ଦ୍ଦାର ମନୋଜ ପାଖରୁ ପ୍ରଥମେ ୩୫ହଜାର ଟଙ୍କା ବଏନା ନେଇ ବିଜୟନଗରମର ମାଦି ଅଞ୍ଚଳକୁ ଦାଦନ ଶ୍ରମିକ ଭାବେ ଯାଇ ଇଟା ଗଢ଼ୁଥିଲେ । ଶନିବାର ଦିନ ବନିତା ଶୌଚ ଯାଇଥିବା ବେଳେ ହଠାତ୍ ତାଙ୍କର ଛାତି ଚିପି ଧରିବା ସହ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ସ୍ଵାମୀ ରାମଜୀ ତାଙ୍କୁ ପ୍ରଥମେ ପାଖ ଏକ ହସ୍ପିଟାଲକୁ ନେଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଜୟନଗରମ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡ଼ାକ୍ତରଖାନାରେ ଚିକିତ୍ସା ବେଳେ ଇଟାଭାଟି ମାଲିକ ସେଠାକୁ ପହଞ୍ଚି ନଥିବାବେଳେ ମୃତଦେହ ଆଣିବା ପାଇଁ ମାତ୍ର କିଛି ଟଙ୍କା ସେ ଦେଇଥିବା ସ୍ୱାମୀ ରାମଜୀ ଅଭିଯୋଗ କରିଛନ୍ତି । ସେହିପରି ଶବ ଗାଁକୁ ଫେରିବା ପରେ ମଧ୍ୟ ଦାଦନ ଦଲାଲ କିମ୍ବା ସର୍ଦ୍ଦାରର ଦେଖା ଦର୍ଶନ ମିଳିନଥିବା ସେ ଅଭିଯୋଗ କରିଛନ୍ତି । ଖବର ପାଇ ମୁରିବାହାଲ ଥାନା ପୁଲିସ ଗାଁକୁ ପହଞ୍ଚି ଅଧିକ ତଦନ୍ତ କରିଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ରବିବାର ଶବ ଗାଁକୁ ଅଣାଯାଇ ଦାହ କରାଯାଇଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ନିଜ ସ୍ତ୍ରୀର ଅସମୟ ମୃତ୍ୟୁରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ସ୍ଵାମୀ ରାମଜୀ ନିଜର ୪ସନ୍ତାନକୁ ନେଇ କିପରି ପରିବାର ପ୍ରତିପୋଷଣ କରିବେ ଏହି ଚିନ୍ତା ତାଙ୍କୁ ଘାରିଛି । ଏବେ ଶୁଦ୍ଧିକ୍ରିୟା କରିବା ପାଇଁ ମଧ୍ୟ ଅର୍ଥ ଅଭାବ ଦେଖାଦେଇଛି । ତୁରନ୍ତ ଜିଲ୍ଲା ଓ ବ୍ଲକ ପ୍ରଶାସନ ତଥା ଶ୍ରମ ବିଭାଗ ପକ୍ଷରୁ ଅସହାୟ ରାମଜୀଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।