ସଇଁତଲା, (ପ୍ରମୋଦ ସେଲମା) : ଆଜି ଭୋର ସକାଳୁ ୨୬ ଜାତୀୟ ରାଜପଥ ସଇଁତଲା ସ୍ଥିତ ନୂଆଁବନ୍ଦଠାରେ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ରାସ୍ତାକଡ଼ରୁ ସଇଁତଲା ପୋଲିସ ଉଦ୍ଧାର କରିଛି । ମୃତବ୍ୟକ୍ତି ଜଣକ ହେଲେ ଆମ୍ବପାଲି ଗାଁର ସରୋଜ ଗହୀର (୪୦) । ମୃତ ବ୍ୟକ୍ତିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଘଟଣାର ଖବର ପାଇ ଟିଟିଲାଗଡ଼ ଏସ୍ଡିପିଓ ଅଙ୍କିତା କୁମ୍ଭାର, ସଇଁତଲା ଆଇଆଇସି ଅବନୀ କୁମାର ସାହୁ, ଏସ୍ଆଇ ଆଲୋକ ପ୍ରସାଦ ଭୋଇ, ସଂଗୀତା ବେକ, ଏଏସ୍ଆଇ ଲକ୍ଷଣ ମହାନ୍ତି, ଅରକ୍ଷିତ ନାୟକ ଓ ବଲାଙ୍ଗିର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଂଚି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି । ଏନେଇ ଥାନା କେସ ନଂ ୨୫୮/୨୩ରେ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ବଲାଙ୍ଗିରକୁ ପଠାଯାଇଛି । ଏ ନେଇ ଆଇଆଇସି ଅବନୀ ସାହୁଙ୍କୁ ପଚାରିବାରୁ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପ୍ରକାଶ କରିଥିଲେ । ପ୍ରକାଶ ଯେ, ଆମ୍ବପାଲି ଗାଁର ଦଲେଇ ଗହୀରଙ୍କ ପୁଅ ସରୋଜ ବାଙ୍ଗାଲୁରୁରେ କାମ କରୁଥିଲେ । ସେ ଗତ ୧ ତାରିଖ ଦିନ ଟ୍ରେନ ଯୋଗେ ବାହାରି କେସିଙ୍ଗା ପହଂଚିବା ପରେ ସଇଁତଲାକୁ ସନ୍ଧ୍ୟାରେ ପହଂଚି ଘରକୁ ଯାଇ ନ ଥିଲେ ବୋଲି ପରିବାର ଲୋକେ କହିଛନ୍ତି ।
Prev Post