ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ସଦର ମହକୁମାଠାରୁ ମାତ୍ର ୧୨ କିଲୋମିଟର ଦୂର ଏକ ଗାଁରେ ନବଜାତ ଶିଶୁର ମୃତଦେହ ଠାବ ହୋଇଥିବା ଜଣାପଡିଛି । ସୂଚନା ମୁତାବକ, ଭବାନୀପାଟଣା ବ୍ଲକ ଅନ୍ତର୍ଗତ କରାଟିକିଲି ଗାଁର ମହାବନ୍ଦ ପୋଖରୀ ହୁଡାରେ ଗତକାଲି ଏକ ଜନ୍ମିତ ଶିଶୁର ମୃତଦେହ ପଡ଼ିଥିବା କିଛି ଲୋକ ଦେଖିଥିଲେ । ସେମାନେ ମୃତଦେହ ଦେଖିବା ପରେ ତୁରନ୍ତ ଗଣ୍ଡବାରଝୋଲା ସରପଞ୍ଚ ମୂରଲୀ ପ୍ରଧାନ, ସମାଜସେବୀ ଯଶୋବନ୍ତ ରଣାଙ୍କୁ ଖବର ଦେଇ ହସ୍ତକ୍ଷେପ କରିବାକୁ ୱାର୍ଡ ମେମ୍ବର ଗୁରୁବାରୁ ଗଉଡ଼ ଓ ଗ୍ରାମବାସୀ କହିଥିଲେ । ପରେ ସରପଞ୍ଚ ଶ୍ରୀ ପ୍ରଧାନ ଉକ୍ତ ଜାଗାକୁ ପହଂଚି ଶବ ଦେଖିବା ପରେ ଭବାନୀପାଟଣା ସଦର ଥାନାକୁ ଫୋନ କରି ଉକ୍ତ ସମସ୍ୟା ବିଷୟରେ ଜଣାଇଥିଲେ । ଖବର ପାଇ ସଦର ଥାନା ଆଇଆଇସି ରଶ୍ମିତା ପ୍ରଧାନ ଓ ପୋଲିସ ଟିମ୍ ପହଂଚି ଶବ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଉପସ୍ଥିତ ଲୋକେ ଦାବୀ କରିଥିଲେ । ଉକ୍ତ ସମୟରେ ଗ୍ରାମର ୱାର୍ଡ ମେମ୍ବର ଗୁରୁବାରୁ ଗଉଡ଼, ଧ୍ରୁବ ନାଏକ, ଅରୁଣ ସମସ୍ତେ ଉପସ୍ଥିତ ରହି ସହଯୋଗ କରିଥିଲେ ।