ମୁରିବାହାଲ ରେଞ୍ଜରୁ ଗୁରୁତର ଅସୁସ୍ଥ ମାଇ ହାତୀର ମୃତଦେହ ଉଦ୍ଧାର

  • ଜଙ୍ଗଲ ବିଭାଗ ପକ୍ଷରୁ ତନାଘନା ତଦନ୍ତ ଜାରି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଜଇଁତରା ସେକ୍ସନ ଜାମଲିସର ଗ୍ରାମ ଜଙ୍ଗଲ ମଧ୍ୟରେ ଥିବା ପାହାଡ ତଳୁ ଏକ ଗୁରୁତର ଅସୁସ୍ଥ ମାଇ ହାତୀର ମୃତଦେହ ଜଙ୍ଗଲ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି । ପୂର୍ବ ଦିନ ସଂଧ୍ୟା ୭ଟାରେ ହାତୀଟି ଜୀବିତ ଥିବା ବେଳେ ରାତି ୧୧ଟାରେ ମଧ୍ୟ ଗର୍ଜନ କରୁଥିବା ଜଙ୍ଗଲ ବିଭାଗ ପକ୍ଷରୁ ଜଣାପଡିଛି । ମଙ୍ଗଳବାର ସକାଳେ ସ୍ଥାନୀୟ ଗ୍ରାମବାସୀ ଏହି ହାତୀଟି ମରିପଡ଼ିଥିବା ଦେଖିବା ପରେ ଜଙ୍ଗଲ ବିଭାଗକୁ ସୂଚନା ଦେଇଥିଲେ । ମୁରିବାହାଲ ରେଞ୍ଜ ଜଙ୍ଗଲ ବିଭାଗ ଓ ଥାନା ପୋଲିସ ପହଞ୍ଚି ତନାଘନା ତଦନ୍ତ ଆରମ୍ଭ କରିଥିଲେ । ମୃତ ହାତୀଟିର ଆନୁମାନିକ ବୟସ ୨୦ବର୍ଷ ହେଉଥିବା ବେଳେ ସେ ଦୀର୍ଘ ଦିନରୁ ଗୁରୁତର ଅସୁସ୍ଥ ହୋଇ ଜଙ୍ଗଲରେ ଏକାକୀ ଚଳପ୍ରଚଳ କରୁଥିଲା । ହାତୀ ମୃତ୍ୟୁ ଖବର ପାଇ ଘଟଣାସ୍ଥଳକୁ ବଲାଙ୍ଗିର ଏସିଏଫ ମୁରାରି ପ୍ରସାଦ ପଣ୍ଡା, ଭବାନୀପାଟଣା ଏସିଏଫ ସଂଘମିତ୍ରା ଭୋଇ, ରେଞ୍ଜର ଶିବପ୍ରସାଦ ନାୟକ, ଜଇଁତରା ଫରେଷ୍ଟର ଧୃବଚରଣ ବଗର୍ତ୍ତି, ବିଭିଓ ଡ. ଅଞ୍ଜନ ମଲ୍ଲିକ, ଇଚ୍ଛାପଡ଼ା ଆରଆଇ ହୃଦାନନ୍ଦ ବାଗ, ରେପିଡ ଏକ୍ସନ୍ ଟିମ, ଜଙ୍ଗଲ ବିଭାଗ ସ୍କ୍ୱାର୍ଡ ଓ ବିଦ୍ୟୁତ୍ ବିଭାଗର ସମସ୍ତ କର୍ମଚାରୀ ପହଞ୍ଚି ତନ୍ନତନ୍ନ ଯାଞ୍ଚ କରିଥିଲେ । ପଶୁ ଚିକିତ୍ସକଙ୍କ ଗଠିତ ଏକ ଜିଲ୍ଲାସ୍ତରୀୟ ଟିମ ପକ୍ଷରୁ ବୁଧବାର ସଂପୂର୍ଣ୍ଣ ଶବ ବ୍ୟବଚ୍ଛେଦ କରାଯାଇ ଅବଶେଷ ସହ ସମସ୍ତ ରିପୋର୍ଟ ଭୁବନେଶ୍ୱର ଫରେନସିକ ଲାବକୁ ପଠାଯିବ ଓ ଏହାପରେ ହାତୀର ଶବକୁ ସେଠାରେ ପୋତି ଦିଆଯିବ ବୋଲି ମୁରିବାହାଲ ବିଭିଓ ଡ. ମଲ୍ଲିକ ପ୍ରକାଶ କରିଛନ୍ତି । ଦୀର୍ଘ ଦେଢ଼ ବର୍ଷ ହେଲା ଏହି ରେଞ୍ଜ ଅଞ୍ଚଳରେ ୭୦ରୁ ଉର୍ଦ୍ଧ୍ବ ହାତୀପଲ ରହି ଆତଙ୍କ ସୃଷ୍ଟି ସହ ୨ଜଣଙ୍କ ଜୀବନ ଯିବା, କେତେକ ଆହତ ହେବା, ବ୍ୟାପକ ଫସଲ ନଷ୍ଟ, ହାତୀ କୂଅରେ ପଡ଼ିବା ଭଳି ବାରମ୍ବାର ଘଟଣା ଘଟିସାରିଛି । ବର୍ତ୍ତମାନ ମଧ୍ୟ ୧୬ଟିକିଆ ଏକ ହାତୀପଲ ଡଙ୍ଗରପଡ଼ା ଗ୍ରାମର ଉତ୍ତର ଦିଗ ଜଙ୍ଗଲରେ ରହୁଥିବା ବିଭାଗ ପକ୍ଷରୁ ଜଣାପଡିଛି ।

Leave A Reply

Your email address will not be published.