ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌ : ବାପା, ମା’, ପୁଅ ସମେତ ୫ ମୃତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଜାତୀୟ ରାଜପଥ କୃଷ୍ଣା ଛକଠାରେ ଟ୍ରକ୍ ଏବଂ ବାଇକ୍‌ ମଧ୍ୟରେ ମହାଁମୁହିଁ ଧକ୍କା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଗୋଟିଏ ପରିବାରର ବାପା, ମା’ ଓ ଶିଶୁପୁତ୍ର । ମୃତକ ମାନେ ହେଲେ କୋମନା ଥାନା ସାନବାହାଲି ଗାଁର ନୀଳ ମାଝୀ (୨୬), ନୀଳଙ୍କ ଦୁଇ ଭିଣୋଇ ଖଡ଼ିଆଳ ଥାନା ଖନତରି ଗାଁର ରମେଶ ମାଝୀ (୨୬) ଓ ଭିଣୋଇ କୋମନା ଥାନା ହାତୀସରା ଗାଁର ଭଜନ ମାଝୀ (୨୮) ଏବଂ ଭଜନଙ୍କ ପତ୍ନୀ କୁନ୍ତଳା ମାଝୀ (୨୫) ଓ ୩ ବର୍ଷର ଶିଶୁପୁତ୍ର ଦୁର୍ଜନ ମାଝୀ ।
ସୂଚନା ଅନୁସାରେ ନୀଳ ମାଝୀ ତାଙ୍କ ଭିଣୋଇ ରମେଶ ମାଝୀଙ୍କ ସହ ଭଉଣୀ ଘର କୋମନା ଥାନା ତରବୋଡ଼ ଫାଣ୍ତି ହାତୀସରା ଗାଁକୁ ଯାଇଥିଲେ । ସେଠାରୁ ଅପରାହ୍ନ ୩ଟାରେ ବାଇକରେ ନୀଳ, ରମେଶ, ଭଜନ, କୁନ୍ତଳା ଓ ଦୁର୍ଜନ ସନବାହାଲି ଗାଁକୁ ଫେରୁଥିଲେ । ଏହି ସମୟରେ ଖଡ଼ିଆଳ ପଟୁ ଯାଉଥିବା ଏକ ମାଲବୋଝେଇ ଟ୍ରକ୍ ସେମାନଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ରମେଶ, ଭଜନ ଓ ନୀଳଙ୍କ ମୃ୍ତ୍ୟୁ ଘଟିଥିଲା । କୁନ୍ତଳା ଓ ତାଙ୍କ ଶିଶୁପୁତ୍ର ଦୁର୍ଜନ ଗୁରୁତର ହୋଇଥିଲେ । ଏହି ସମୟରେ ନୂଆପଡ଼ା ଆର୍‌ଟିଓ ସେହି ରାସ୍ତା ଦେଇଯାଉଥିବା ବେଳେ ଗୁରୁତର ମା’-ପୁଅଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ କୋମନା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଦୁର୍ଜନର ମୃତ୍ୟୁ ଘଟିଥିଲା । ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ କୁନ୍ତଳାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କୁନ୍ତଳାଙ୍କ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.