ରାସ୍ତାରେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରକରେ ପିଟି ହୋଇ ଯୁବକ ମୃତ

ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ମୁସୁରିପଦର ଛକ ନିକଟରେ ଗୋଟିଏ ବାଇକ୍ ରାସ୍ତା ଉପରେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ସୁଚନା ମିଳିଛି । ମୃତକ ବାଇକ୍ ଚାଳକ ଜଣକ ଟିକିରି ଥାନା ମୁସୁରିପଦର ଗ୍ରାମର ଲାକି ମାଝୀ ବୋଲି ଜଣାପଡ଼ିଛି । ସେ କୌଣସି ଏକ କାମରେ ରାତି ୮ଟା ସମୟରେ ନିଜ ବାଇକରେ ମୁସୁରିପଦରରୁ ଟିକିରି ଅଭିମୁଖେ ଯାଉଥିବା ସମୟରେ ରାସ୍ତା ଉପରେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରକ ଗାଡିଟିକୁ ଦେଖି ନପାରି ପଛପଟେ ବାଡେଇ ହୋଇ ରାସ୍ତା ଉପରକୁ ଛିଟିକି ପଡିଥିଲେ । ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକ ସେଠାରେ ପହଞ୍ଚିବା ପରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ଖବର ପାଇ ଟିକିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ । ସ୍ଥାନୀୟ ଏକ କାରଖାନାକୁ ଦୈନିକ ଶତାଧିକ ମାଲ ବୋଝେଇ ଟ୍ରକ୍ ଯିବାଆସିବା କରୁଥିବା ବେଳେ ପାର୍କିଙ୍ଗର ସୁବିଧା ନଥିବାରୁ ରାସ୍ତ ଉପରେ ଘଣ୍ଟା ଘଣ୍ଟା ଗାଡି ଗୁଡିକ ଛିଡା ହୋଇରହୁଛି । ତେଣୁ ଦୈନିକ ଛୋଟବଡ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଥିବାରୁ ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ତେବେ ମୃତକଙ୍କ ପରିବାର ସହ ଗ୍ରାମବାସୀ ରାସ୍ତା ଅବରୋଧ କରି ବସିଥିବାରୁ ଟିକିରି ରାୟଗଡ଼ା ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ।

Leave A Reply

Your email address will not be published.