ବାଲ୍ୟ ବିବାହ ପ୍ରଥା ରୋକାଯିବା ନିମନ୍ତେ ଜିଲ୍ଲାସ୍ତରୀୟ ନିର୍ଭୟକଢ଼ି ଓ ମୋ-ଗେହ୍ଲାଝିଅ କାର୍ଯ୍ୟକ୍ରମ

  • ଗଞ୍ଜାମ ଜିଲ୍ଲାରେ ୨୦୪୨ଗ୍ରାମ, ସହରାଞ୍ଚଳର ୨୬୬ଟି ୱାର୍ଡ ଏବଂ ୨୨୧ଟି ଗ୍ରାମ ପଞ୍ଚାୟତ ବାଲ୍ୟ ବିବାହ ମୁକ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାଲ୍ୟ ବିବାହମୁକ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଏକ ଅଭିନବ ପ୍ରୟାସ ଜାରୀ ରହିଛି । ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବୁଧବାର ଅପରାହ୍ନରେ ଜିଲ୍ଲାସ୍ତରୀୟ ନିର୍ଭୟକଢ଼ି ଓ ମୋ-ଗେହ୍ଲାଝିଅ କାର୍ଯ୍ୟକ୍ରମ ସର୍ବୋପରି ବାଲ୍ୟ ବିବାହ ପ୍ରଥା ରୋକାଯିବା ନିମନ୍ତେ ସଚେତନତା ମଞ୍ଚ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ, ୟୁନିସେଫ୍ ଓ ଆକ୍ସନ୍ଏଡ୍‌ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସମସ୍ତଙ୍କୁ ସ୍ବାଗତ କରିବା ସହ କହିଥିଲେ ଯେ, ଗଞ୍ଜାମରେ ୨୦୪୨ ଗ୍ରାମ, ସହରାଞ୍ଚଳର ୨୬୬ଟି ଓ୍ବାର୍ଡ ଏବଂ ୨୨୧ଟି ପଞ୍ଚାୟତକୁ ଅଦ୍ୟାବଧି ବାଲ୍ୟ ବିବାହମୁକ୍ତ ହୋଇଛି । ଲିଙ୍ଗ ଅନୁପାତରେ ସମାନୁପାତୀ ରହିବା ଦରକାର । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟବିବାହ ନିଷେଧ ଅଧିକାରୀ ଏବଂ ଚିକିତ୍ସାଳୟ ଅଧିକାରୀ ବାଲ୍ୟ ବିବାହ ରୋକିବା ନିମନ୍ତେ ଯଥୋଚିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା-ମାର୍ଜିଷ୍ଟ୍ରେଟ ପରାମର୍ଶ ଦେଇଥିଲେ । ଜିଲ୍ଲାର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକରେ ସପ୍ତାହର ପ୍ରତ୍ୟେକ ଶନିବାର ଦିନ ମୋ ଗେହ୍ଲାଝିଅ ଓ ନିର୍ଭୟକଢି ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯିବା ସହ ବାଲ୍ୟ ବିବାହ ହେଉଥିବା ସମ୍ପର୍କରେ ଖବର ଦେଲେ ଖବରଦାତାଙ୍କୁ ପାଞ୍ଚ ହଜାରରୁ ବୃଦ୍ଧିକରି ଦଶ ହଜାର ଟଙ୍କା ପୁରସ୍କାର ରାଶି ଦେବା ସହ ସେମାନଙ୍କ ନାମ ଗୋପନ ରଖାଯିବ ବୋଲି ଜିଲ୍ଲାପାଳ କହିଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପ୍ରଶାସନ ତରଫରୁ ୩୦ ଜଣ କିଶୋର କିଶୋରୀ, ଯେଉଁମାନେ ବାଲ୍ୟ ବିବାହକୁ ସାହାସର ସହିତ ନାଁ କରିଛନ୍ତି ସେମାନଙ୍କୁ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଥିଲେ ଯେ, ଏହି ୩୦ ଜଣ ଆଗାମୀ ଦିନରେ ବ୍ଲକ୍ ସ୍ତରରେ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବେ । ଜିଲ୍ଲାର ସମସ୍ତ ଗ୍ରାମରେ ନିର୍ଭୟ କଢି ଏବଂ ଆଦ୍ବିକା କାର୍ଯ୍ୟକ୍ରମ ଜରିଆରେ ତିଆରି ହୋଇଥିବା କିଶୋର କିଶୋରୀ ସମୁହର ନେତୃତ୍ବ ବିକାଶ ଦିଗରେ ପଦକ୍ଷେପ ନେବାକୁ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁମାନେ ବାଲ୍ୟ ବିବାହକୁ ନା’ କରି ଆଗକୁ ଆସିଛନ୍ତି ସେମାନଙ୍କର ଦକ୍ଷତା ବିକାଶ ଯେପରି ହୋଇପାରିବ ସେ ଦିଗରେ ଜିଲ୍ଲା ପ୍ରଶାସନ ତରଫରୁ ପଦକ୍ଷେପ ନିଆଯିବ । ଜିଲ୍ଲାରେ ଥିବା ସମସ୍ତ ପୁରୋହିତମାନଙ୍କୁ ଏ ଦିଗରେ ସଚେତନ କରାଯିବ ଯଦି କୌଣସି ପୁରୋହିତ ବାଲ୍ୟବିବାହ କାର୍ଯ୍ୟରେ ସଂପୃକ୍ତ ରୁହନ୍ତି, ତେବେ ଆଇନ୍ ଅନୁସାରେ ଦଣ୍ଡିତ କରାଯିବ । ଜିଲ୍ଲାରେ ଥିବା କୁଳ-ସମାଜ ଏବଂ ମନ୍ଦିର ପ୍ରଶାସକମାନଙ୍କୁ ବାଲ୍ୟ ବିବାହର କୁପରିଣାମ ସମ୍ପର୍କରେ ସଚେତନ କରାଯିବ ଏବଂ ବିବାହ ସମୟରେ ଉପଯୁକ୍ତ ଜନ୍ମ ପ୍ରମାଣ ପତ୍ର ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ସମସ୍ତ ସଚେତନତାମୂଳକ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଏବଂ ଏହି ନିର୍ଭୟକଢି ଓ ମୋ-ଗେହ୍ଲାଝିଅ ଅଭିଯାନ ଏକ ସାମାଜିକ ଅଭିଯାନର ରୂପ ନେବ ସେଥିପାଇଁ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ବାନ ଦେଇଥିଲେ । ବେ÷ଠକରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଛତ୍ରପୁର ଉପଜିଲ୍ଲାପାଳ ନୀଳ ମାଧବ ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ, ଆକ୍ସନ୍ ଏଡ୍-ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ, ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର, ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ, ସଖୀ ଓ୍ବାନ୍ ଷ୍ଟପ୍ ସେଣ୍ଟର, ଚାଇଲ୍ଡ ଲାଇନର କର୍ମକର୍ତ୍ତାମାନେ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.