
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଆର୍ଥିକ ଓ ସାମାଜିକ ନିରାପତ୍ତାକୁ ସୁଦୃଢ କରିବା ସହ ସଂଚୟକୁ ସୁନିଶ୍ଚିତ କରିବା ବାର୍ତ୍ତାରେ ଆଜି ସୁବର୍ଣ୍ଣପୁରଠାରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଭବିଷ୍ୟତକୁ ନଜରରେ ରଖି କଷ୍ଟୋପାର୍ଜିତ ଅର୍ଥର ସଂଚୟ ଆତ୍ମନିର୍ଭର ହେବାକୁ ପ୍ରବର୍ତ୍ତାଇ ଥାଏ ବୋଲି ଜିଲ୍ଲାପାଳ ବିମଳେନ୍ଦୁ ରାୟ ଓ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଆଜିର ବ୍ୟୟ ବହୁଳ ସମୟରେ ମିତବ୍ୟୟିତା ଅପରିହାର୍ୟ୍ୟର୍ଯ୍ୟ ହୋଇ ପଡିଥିବା ବେଳେ ପ୍ରଚଳିତ ସ୍ୱଳ୍ପ ସଂଚୟ ଯୋଜନାକୁ ନେଇ ଜନ ଜାଗରଣ ଉପରେ ଗୁରୁତ୍ବାରୋପ କରିଥିଲେ । ଭାରପ୍ରାପ୍ତ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଅଶ୍ବିନୀ କୁମାର ଭୋଇଙ୍କ ତତ୍ୱାବଧାନରେ ପରିଚାଳିତ ସଚେତନତା ଶୋଭାଯାତ୍ରା ତଥା ସଂଚୟ ରଥ ପରିକ୍ରମା କାର୍ଯ୍ୟକ୍ରମରେ ଅବସରରେ ପୋଷ୍ଟାଲ ଏଜେଣ୍ଟଙ୍କ ଦ୍ବାରା ସଚେତନତା ରାଲି ସହର ପରିକ୍ରମା କରିଥିବା ବେଳେ ସଂଚୟ ରଥ ଜିଲ୍ଲାର ସୋନପୁର ସହର ସହିତ ବିଭିନ୍ନ ବ୍ଲକ ପରିକ୍ରମା କରି ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଜନ ଜାଗରଣ ସୃଷ୍ଟି କରିବ । ଅନୁଷ୍ଠିତ ଶୋଭାଯାତ୍ରା ଓ ସଂଚୟ ରଥକୁ ଜିଲ୍ଲାପାଳ ଶ୍ରୀ ରାୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରଠାରେ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ପୋଷ୍ଟାଲ ଏଜେଣ୍ଟ, ଶିକ୍ଷକ ଶିକ୍ଷୟତ୍ରୀ, ବୁଦ୍ଧିଜୀବୀ, ଜିଲ୍ଲାସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦାନ କରିଥିଲେ । ବିଭଗୀୟ କର୍ମଚାରୀ, ମାନଭଞ୍ଜନ ପଟ୍ଟନାୟକ, ଦୁଃଖିଶ୍ୟାମ ସେଠୀ, ସଞ୍ଜୟ ବାରିକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।