
ରାଉରକେଲା, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ୭୯ତମ ରାଜ୍ୟସ୍ତରୀୟ ନୂଆଁଖାଇ ଲୋକ ସଂସ୍କୃତି ମହୋତ୍ସବ ଓଡ଼ିଶା ସାଂସ୍କୃତିକ ସମାଜ ପରିସରରେ ପାଳିତ ହୋଇଯାଇଛି । ସାରସ୍ଵତ ଅଧିବେଶନର ଉଦଘାଟକ ଭାବେ ବିଧାୟକ ସମ୍ବଲପୁର ଜୟନାରାୟଣ ମିଶ୍ର ସାହିତ୍ୟ ଏବଂ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ଉଦାହରଣ ମାଧ୍ୟମରେ ସ୍ପଷ୍ଟ କରିଥିଲେ । ମୁଖ୍ୟ ଅତିଥି ଭାବେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଡ଼କ୍ଟର ସୁଶାନ୍ତ କୁମାର ଦାସ ଯୋଗଦେଇ ନୂଆଁଖାଇ ପର୍ବର ଗୁରୁତ୍ଵ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବୃଦ୍ଧି ପାଉଛି ବୋଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ଅତିଥି ସମ୍ବଲପୁର ବିଶ୍ଵବିଦ୍ୟାଳୟ ଆଇନ ବିଭାଗ ଡିନ ପ୍ରଫେସର ଡ଼କ୍ଟର ବିଜୟାନନ୍ଦ ବେହେରା ଯୋଗଦାନ କରି ନୂଆଁଖାଇ ପର୍ବର ପାଳନ ବିଧି ବିଷୟରେ ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି ଅଧ୍ୟାପକ ପ୍ରତାପ କୁମାର ରଥ, ଭବାନୀ ଶଙ୍କର ପଟେଲ , ପ୍ରଦୀପ କୁମାର ପଣ୍ଡା ଏବଂ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ନିବେଦିତା ବିଶ୍ଵାଳ ଯୋଗଦାନ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ୱ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ ଏବଂ ନୂଆଁଖାଇ ପର୍ବରେରେ ଗୁରୁଜନଙ୍କୁ ଜୁହାର ହେବା ବିଶ୍ଵ ସାମାଜିକ ପରମ୍ପରାରେ ଆଦୃତ ହେଲାଣି ବୋଲି ମତବ୍ୟକ୍ତ କରିଥିଲେ । ବାରୋଟି ସାହିତ୍ୟ ଅନୁଷ୍ଠାନ ଏବଂ ଦଶଟି ସାଂସ୍କୃତିକ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ଜୀବନ ବ୍ୟାପି ସଂସ୍କୃତି ସୁରକ୍ଷା ପାଇଁ “ମାଆ ସମଲେଇ ସାରସ୍ଵତ ସମ୍ମାନ ୨୦୨୫” ପ୍ରଦାନ କରାଯାଇଥିଲା । ଦୁଇ ଶହରୁ ଉର୍ଦ୍ଧ ବରିଷ୍ଠ ସାରସ୍ଵତ ସାଧକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପଚାଶରୁ ଉର୍ଦ୍ଧ କବି ” ନୂଆଁଖାଇ ମିଳନ ” ଶୀର୍ଷକ କବିତା ପାଠ କରିଥିଲେ । ଦଶ ଜଣ କଣ୍ଠଶିଳ୍ପୀ ଭକ୍ତି ସଙ୍ଗୀତ ଗାନ କରିଥିଲେ । ବରିଷ୍ଠ ସାହିତ୍ୟିକ ଭବାନୀ ଶଙ୍କର ପଟେଲଙ୍କ ଦୁଇଟି ପୁସ୍ତକ ” ଉଷାବତୀ ପରିଣୟ ” ଏବଂ “ପ୍ରବନ୍ଧ ପୀୟୂଷ “ର ଶୁଭ ଉନ୍ମୋଚନ କରାଯାଇଥିଲା । ସୁରେନ୍ଦ୍ର ମେହେରଙ୍କ ପାକ୍ଷିକ ସମ୍ବାଦ ପତ୍ରିକା “ବାଟ କଢ଼ୁଆଲ” ର ଏହି ମାସ ସଂଖ୍ୟା ପ୍ରଦର୍ଶନ କରାଯାଇଥିଲା । କବୟିତ୍ରୀ ମନ୍ଦାକିନୀ ପାଢ଼ୀ, ସ୍ୱର୍ଣକାନ୍ତି ପତି, ଗିତାମୟୀ ମହାପାତ୍ର, ତାନଶ୍ରୀ ପାଣିଗ୍ରାହୀ କବିତା ସଂଯୋଜନା ଏବଂ ମଞ୍ଚ ପରିଚାଳନା କରିଥିଲେ । କବୟିତ୍ରୀ ଅନୁପମା ବିଶ୍ଵାଳ ଏବଂ ମନୋଜ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।