ମେରି ମାଟି ମେରା ଦେଶର ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବରଗଡ, (ନିରୋଜ କୁମାର ପାଣୀ) : ନେହେରୁ ଯୁବ କେନ୍ଦ୍ର ବରଗଡ଼ ତରଫରୁ ମେରି ମାଟି ମେରା ଦେଶ ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ଜାମୁଟପାଲିରେ ବିଭିନ୍ନ ଯୁବକ ସଂଘର ଯୁବ ଗୋଷ୍ଠୀ ଏବଂ ଜି.ପି.ଏଲ.ଏଫ. ସଦସ୍ୟଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ସ୍ଥଳସେନା ଅଧିକାରୀ ସୁବଲ ଗଡତିଆ ଓ ରାଜେନ୍ଦ୍ର ବେହେରାଙ୍କ ଦ୍ୱାରା ପ୍ରଥମେ ବୃକ୍ଷ ରୋପଣ କରାଯାଇଥିଲା । ନେହେରୁ ଯୁବ କେନ୍ଦ୍ରର ସମସ୍ତ କାର୍ଯ୍ୟକର୍ତ୍ତା ଓ ସ୍ୱେଚ୍ଛାସେବୀ ଗଣ ସୁବଲ ଗଡତିଆ ଏବଂ ରାଜେନ୍ଦ୍ର ବେହେରାଙ୍କ ମଥାରେ ଚନ୍ଦନ ତିଲକ ଫୁଲ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବ୍ଲକ ଚ୍ୟାରମେନ ପ୍ରଣୟ ସାହୁ, ଗ୍ରାମର ସରପଞ୍ଚ ସୁମିତ୍ରା ସାହୁ, ସମିତି ସଭ୍ୟ ସରୋଜ ଶ୍ରୀଭୁଷଣ ସାହୁ, ପ୍ରକୃତି ବନ୍ଧୁ ଅନନ୍ତ ମେହେର, ମିନିକେତନ ସାହୁ, ଜଙ୍ଗଲ ବିଭାଗର କର୍ମଚାରୀମାନେ, ଜାମୁଟପାଲି ଜି.ପି.ଏଲ.ଏଫ.ର ମଞ୍ଜୁଶ୍ରୀ ପଧାନ, ରୁପା ଡୁଙ୍ଗୁରି, ସସ୍ମିତା ସାହୁ ଏବଂ ଅନ୍ୟ ସଦସ୍ୟା ଓ ସ୍ୱେଚ୍ଛାସେବୀ ରତିକାନ୍ତ ପଧାନ, ଡିଲେଶ୍ଵର ନାଏକ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ଜାମୁଟପାଲି ଜି.ପି. ଏଲ.ଏଫ.ର ସଦସ୍ୟାମାନେ ଆଗରୁ ମଧ୍ୟ ୭୦୦ରୁ ଅଧିକ ବୃକ୍ଷ ରୋପଣ କରିଥିଲେ । ସେଥିପାଇଁ ତାଙ୍କୁ ନେହେରୁ ଯୁବକେନ୍ଦ୍ର ତରଫରୁ ଧନ୍ୟବାଦ୍ ଦିଆଯାଇଥିଲା । ଏହି ଗ୍ରାମରେ ୭୫ ଟି ବୃକ୍ଷ ରୋପଣ ହୋଇଥିଲା । ବୃକ୍ଷ ହିଁ ଜୀବନ ପରିବେଶ ସୁରକ୍ଷା ପାଇଁ ବୃକ୍ଷର ଉପକାରିତା ଉପରେ ଅତିଥିଗଣ ବକ୍ତବ୍ୟ ରଖିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଜିଲ୍ଲା ଯୁବ ଅଧିକାରୀ ରୋଷନ୍ ଟଣ୍ଡନ ଓ ପରିଚାଳନା କରିଥିଲେ ତ୍ରିଲୋଚନ ଶତପଥୀ । ଗାଇସିଲାଟ, ଜାମୁଟପାଲିର ଯୁବଗୋଷ୍ଠୀ ଓ ସ୍ଥାନୀୟ ହାଇସ୍କୁଲର ଛାତ୍ରଛାତ୍ରୀ ଗଣ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରୁଥିଲେ ଅନିଲ ସାହୁ ।

Leave A Reply

Your email address will not be published.