- ମୁରିବାହାଲ୍ ଥାନା ଓ ବସଷ୍ଟାଣ୍ଡକୁ ମିଳିଲା ପଟ୍ଟା
- ୧୪୭ ଜଣଙ୍କୁ ପଟ୍ଟା ଓ ୯୮ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଘଣ୍ଟବାହାଲ ଖେଳ ପଡିଆରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ରାଜସ୍ୱ ମେଳା ଅନୁଷ୍ଠିତ ହୋଇଯାଇଛି । ତହସିଲଦାର ଜଗଦୀଶ କର୍ତ୍ତାମୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବସୁନ୍ଧରା ଯୋଜନାରେ ମୋଟ ୧୪୭ ଜଣଙ୍କୁ ପଟ୍ଟା ଓ ମଧୁବାବୁ ଯୋଜନାରେ ୯୮ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା କାର୍ଡ ବଣ୍ଟନ କରିଥିଲେ । ଏଥିରେ ୧୩୭ଜଣ ଗରିବ, ଭୂମିହୀନ ତଥା ମୁରିବାହାଲ ଥାନା, ବସଷ୍ଟାଣ୍ଡ ଭଳି ୧୦ଟି ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟକୁ ପଟ୍ଟା ବଣ୍ଟନ କରାଯାଇଥିଲା । ସେହିପରି ୫୧ଜଣଙ୍କୁ ଦିବ୍ୟାଙ୍ଗ ଭତ୍ତା ଓ ୪୭ଜଣ ବିଧବା ମହିଳାଙ୍କୁ ବିଧବା ଭତ୍ତା ବଣ୍ଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବିଡ଼ିଓ ବାସନ୍ତୀ ସେଠୀ, ଅତିରିକ୍ତ ତହସିଲଦାର ହେମନ୍ତ କୁମ୍ଭାର, ସଦର ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା ଉପସ୍ଥିତ ଥିଲେ । ମୁରିବାହାଲ ସଦର ପଞ୍ଚାୟତ ଅଫିସ୍ ଗୃହ ପାଇଁ ସ୍ଥାୟୀ ଜାଗା ନ ଥିବା ତଥା ବନବାହାଲ ଓ ଟିକେମନିପାଲିକୁ ରାସ୍ତା ନ ଥିବା ସରପଞ୍ଚ ଶ୍ରୀ ଯୋଶୀ ଅଭିଯୋଗ କରିଥିଲେ । ଆଇନଜୀବୀ ସୁଦାମ ଚରଣ ବଘାର ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଏସ୍ଏସ୍ଓ ରିଙ୍କୁ ମେହେର, ତହସିଲ ଅଫିସ୍ ସେକ୍ସନ ଅଫିସର ଲମ୍ବୋଦର ଭୋଇ, ଏସ୍ଆର୍ଏ ପ୍ରଭାସିନୀ ବିଭାର, ଜେଆର୍ଏ ଶଶାଙ୍କ ମଲ୍ଲିକ, ଭୂପେନ୍ଦ୍ର ବେହେରା, ଯୁଗଳକିଶୋର ମାଝୀ, ଅମିନ ଗୋବିନ୍ଦ ମଲ୍ଲିକଙ୍କ ସହ ସମସ୍ତ ୭ଟି ଆର୍ଆଇ ସର୍କଲର ଆର୍ଆଇ,ଏଆର୍ଆଇ ଓ ସମସ୍ତ ପିଇଓମାନେ ଉପସ୍ଥିତ ଥିଲେ ।