
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ବାନ୍ଦୁପାଲି କ୍ଲଷ୍ଟରର ନିପୁଣ ଓଡ଼ିଶା ମେଳା ବରମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡର ଶିକ୍ଷକ ପ୍ରଶିକ୍ଷକ ଗଗନ ବେହେରା, ଜନକ୍ ସେଠ୍, ସୁଶ୍ରୀ ତନୁଶ୍ରୀ ତନୁଜା ନାଗ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ପାଣ୍ଡେ, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଦିବାକର ବରିହା, ବିଜେପୁର ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବାସୁଦେବ ପଧାନ ବରିଷ୍ଠ ସିଆର୍ସିସି ଶରତ କୁମାର ପଧାନ, ବରିଷ୍ଠ ପ୍ରଧାନ ଶିକ୍ଷକ କୈଳାସ ରାଜହଂସ ଯୋଗ ଦେଇ ନିପୁଣ ମେଳା କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୀତାରାମ ଦୀପ ନିପୁଣ ମେଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଖେଳ ଶିକ୍ଷକ ବିଶ୍ୱଜିତ ହୋତା ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ଛାତ୍ରୀମାନେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ବଡବାଉଁସେନ କ୍ଲଷ୍ଟରର ସିଆର୍ସିସି ନିପୁଣ ମେଳାର ଶପଥ ପାଠ କରାଇଥିଲେ । ନିପୁଣ ମେଳାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ସମସ୍ତ ଏଫ୍ଏଲ୍ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ ଏଫ୍ଏଲ୍ଏନ୍ ଶିକ୍ଷକ ଭାବେ ଭାଲୁପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ଏଫ୍ଏଲ୍ଏନ୍ ଶିକ୍ଷକ ମାଧବ ଚନ୍ଦ୍ର ସାହୁଙ୍କୁ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମକୁ ମନୋନୟନ କରାଗଲା । ସମସ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଭୂତି ଭୂଷଣ ସାହୁ ସଂଯୋଜନା କରିଥିଲେ । ଅମୀୟ ପ୍ରସାଦ ଭୋଇ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଜେପୁର ବ୍ଲକର ସମସ୍ତ ସିଆର୍ସିସିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ବାନ୍ଦୁପାଲି କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗର ହାତ ବଢାଇଥିବା ବେଳେ ସମସ୍ତ ଅଭିଭାବକ ଅଭିଭାବିକା ଓ ଛାତ୍ରଛାତ୍ରୀ ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।